ରାୟଗଡା: କୋରୋନା ସଂକ୍ରମଣ ବୃଦ୍ଧି ପରେ ପଡ଼ୋଶୀ ରାଜ୍ୟରୁ ଘରମୁହାଁ ହେଉଥିବା ପ୍ରବାସୀ ଶ୍ରମିକଙ୍କ ଉପରେ ନଜର ରଖିବାକୁ ତତ୍ପର ହୋଇଛି ରାୟଗଡ଼ା ଜିଲ୍ଲା ପ୍ରଶାସନ । ଆଜି ଆନ୍ଧ୍ର-ଓଡ଼ିଶା ସୀମାନ୍ତ କେରେଡ଼ାରେ ସ୍ଥିତି ଯାଞ୍ଚ କରିବା ପରେ ଆସନ୍ତା କାଲିଠୁ ଯାଞ୍ଚ କଡାକଡ଼ି କରିବାକୁ ଜିଲ୍ଲାପାଳ ସରୋଜ କୁମାର ମିଶ୍ର ନିର୍ଦ୍ଦେଶ ଦେଇଛନ୍ତି ।
ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ରାୟଗଡ଼ା ଉପଖଣ୍ଡର କେରେଡ଼ା, ଗୁଣପୁର ଉପଖଣ୍ଡର ବେସନାଗୁଡ଼ା, କାଟିକିରେ ପରିବହନ-ସ୍ବାସ୍ଥ୍ୟ-ପୋଲିସ୍ ବିଭାଗ କର୍ମଚାରୀ ମିଳିତ ଭାବେ ସୀମାନ୍ତରେ ୨୪ ଘଣ୍ଟିଆ ଡ୍ୟୁଟି କରିବାକୁ ନିର୍ଦ୍ଦେଶ ହୋଇଛି ।
ଆଜି ଠାରୁ ଆନ୍ଧ୍ର ଓଡିଶା ସୀମା ସିଲ୍ କରି ଚେକ ପଏଣ୍ଟ କାର୍ଯ୍ୟକାରୀ କରାଯାଇଛି । ଚେକ୍ ପଏଣ୍ଟରେ ଓଡ଼ିଶାକୁ ପ୍ରବେଶ କରୁଥିବା ସମସ୍ତ ଯାନବାହନ ଓ ପ୍ରବାସୀ ଶ୍ରମିକଙ୍କ ସମ୍ପର୍କରେ ଟିକନିକ୍ ତଥ୍ୟ ରଖିଛି ଜିଲ୍ଲା ପ୍ରଶାସନ । ବାହାର ରାଜ୍ୟରୁ ଆସୁଥିବା ପ୍ରବାସୀ ଶ୍ରମିକ କୋଭିଡ଼୍ ନେଗେଟିଭ୍ ରିପୋର୍ଟ ସହ ଟିକାକରଣ କାଗଜପତ୍ର ଦେଖାଇବା ବାଧ୍ୟତାମୂଳକ କରାଯାଇଛି । ନଚେତ୍ ୭ ଦିନ ସଙ୍ଗରୋଧରେ ରହିବେ । ନିଜ ଘରେ ସଙ୍ଗରୋଧରେ ରହିବାର ସୁବିଧା ନଥିଲେ ସରକାରଙ୍କ ଦ୍ବାରା ପରିଚାଳିତ ଟିଏମସି ସେଣ୍ଟରରେ ପ୍ରବାସୀଙ୍କୁ ରଖିବାକୁ ନିଷ୍ପତ୍ତି ହୋଇଥିବା କହିଛନ୍ତି ରାୟଗଡା ଉପ-ଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ପ୍ରଧାନ ।
କେରେଡ଼ାରେ ଏକ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ଖୋଲିବା ସହ ଏଠାରେ ୨୪ ଘଣ୍ଟିଆ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାର ବ୍ୟବସ୍ଥା କରାଯାଇଛି । ଏଥିସହିତ ରାୟଗଡ଼ା ରେଳ ଷ୍ଟେସନରେ ମଧ୍ୟ ପରିବହନ-ସ୍ବାସ୍ଥ୍ୟ-ପୋଲିସ୍ ବିଭାଗର ଏକ ଟିମ୍ ଯାଞ୍ଚ ପାଇଁ ରଖାଯାଇଛି । ସମସ୍ତ ଯାତ୍ରୀଙ୍କୁ ସ୍କ୍ରିନିଂ ପରେ ହିଁ ଘରକୁ ଛଡ଼ାଯିବ ବୋଲି କହିଛନ୍ତି ଉପଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ପ୍ରଧାନ ।
ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ପ୍ରାଥମିକ ପର୍ଯ୍ୟାୟରେ ତାଡ଼ମା, ଗୁଣପୁର, ବିଷମକଟକ କୋଭିଡ଼୍ କେୟାର ସେଣ୍ଟର କାର୍ଯ୍ୟକ୍ଷମ କରାଯିବ । ଏହି ୩ କେନ୍ଦ୍ରରେ ଶଯ୍ୟା ସାଙ୍ଗକୁ ଅନ୍ୟ ସମସ୍ତ ସୁବିଧା ଯୁଦ୍ଧକାଳୀନ ଭିତ୍ତିରେ ଉପଲବ୍ଧ ରଖିବାକୁ ଜିଲ୍ଲାପାଳ ନିର୍ଦେଶ ଦେଇଛନ୍ତି ।
ବର୍ତ୍ତମାନ ଜିଲ୍ଲାରେ ୧୭୧ ଆକ୍ଟିଭ୍ ସଂକ୍ରମିତ ଥିବା ବେଳେ ଜେକେପୁର ସ୍ଥିତ ଜିଲ୍ଲା କୋଭିଡ଼୍ ସ୍ବାସ୍ଥ୍ୟକେନ୍ଦ୍ରରେ ୧୦ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି । ୧୬୧ ଜଣ ଘରେ ସଙ୍ଗରୋଧରେ ରହି ଚିକିତ୍ସିତ ହେଉଛନ୍ତି।
ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ