ବ୍ରହ୍ମଗିରି: ମିଶନ ଶକ୍ତି ମହାମଞ୍ଚ ପ୍ରତିନିଧି ଚୟନରେ ଅନିୟମିତତା। ପୁରୀ ଜିଲ୍ଲା ବ୍ରହ୍ମଗିରି ବ୍ଲକ ଅଧୀନ କୁସୁବେଣ୍ଟି ପଞ୍ଚାୟତରେ ମହିଳା ମିଶନ ଶକ୍ତିର ମହାମଞ୍ଚ ପାଇଁ ପାଞ୍ଚ ଜଣିଆ ପ୍ରତିନିଧି ଚୟନରେ ଅନିୟମିତତା ନେଇ କିଛି ମହିଳା ଅଭିଯୋଗ କରିଛନ୍ତି।
ବ୍ରହ୍ମଗିରି ବ୍ଲକ ଅଧୀନ କୁସୁବେଣ୍ଟି ପଞ୍ଚାୟତ ରେ ଶୁକ୍ରବାର ମହିଳା ମିଶନ ଶକ୍ତିର ମହାମଞ୍ଚ ପାଇଁ ପାଞ୍ଚ ଜଣିଆ ପ୍ରତିନିଧି ନିର୍ବାଚନ ହେବାର ଥିଲା। ପଞ୍ଚାୟତରେ ଥିବା 169 ଏସଏଚଜି ମହିଳା ମାନଙ୍କ ମଧ୍ୟରୁ ମନୋନୀତ କରାଯାଇ 20ଟି ମଞ୍ଚ ପ୍ରସ୍ତୁତ କରାଯାଇଛି।ମହାମଞ୍ଚ ନିର୍ବାଚନ ପାଇଁ ଆଗରୁ ପସ୍ତୁତ ହୋଇଥିବା ମଞ୍ଚ ମଧ୍ୟରୁ ପ୍ରତ୍ୟେକ ମଞ୍ଚର ସଭାନେତ୍ରୀ, ସମ୍ପାଦିକା ଓ ଜଣେ ସଦସ୍ୟାଙ୍କ ନାମ ଘୋଷଣା କରାଯାଇ ଏକ ଲିଖିତ ଭାବେ ମହାମଞ୍ଚ ନିର୍ବାଚନ ପାଇଁ ମହିଳା ଶିଶୁ ବିକାଶ ଅଧିକାରୀ ଙ୍କୁ ଦିଆଯାଇଥିଲା।
ଶୁକ୍ରବାର ନିର୍ବାଚନରେ ଭାଗ ନେବା ପାଇଁ ଆଗରୁ ନାମ ଘୋଷଣା ହୋଇଥିବା ମହିଳା ମାନେ ଆସିଥିଲେ। କିନ୍ତୁ ସେଠାରେ ଦେଖିବାକୁ ପାଇଲେ ନାମ ଲେଖା ହୋଇଯାଇଥିବା ଖାତାରେ କିଛି ମହିଳାଙ୍କ ଲେଖା ଥିବା ନାମ ଉପରେ ଧଳା ରଙ୍ଗ କରାଯାଇଛି । ସେହି ନାମ ପରିବର୍ତ୍ତେ ନୁଆଁ ମହିଳାଙ୍କ ନାମ ଲେଖାଯାଇଛି ଓ ଆଗରୁ ନାମ ଥିବା ମହିଳା ମାନଙ୍କୁ ନିର୍ବାଚନରୁ ବାସନ୍ଦ କରାଯାଇଛି। ଫଳରେ ସେହି ମହିଳାମାନେ ହୋହଲା କରିଥିଲେ ଓ ଆଜିର ନିର୍ବାଚନ ବନ୍ଦ ହୋଇଥିଲା।
ବ୍ରହ୍ମଗିରିରୁ ଦେବାଶିଷ ଦାସ, ଇଟିଭି ଭାରତ