ପୁରୀ: ପୁରୀ ଜିଲ୍ଲା ପୋଲିସକୁ ଖାତିର କରୁନି ଗ୍ରାମ୍ୟକମିଟି । ସାଧାରଣ ଲୋକଙ୍କୁ ନ୍ୟାୟ ପ୍ରଦାନ କରିବା ପାଇଁ ପୋଲିସ ପଦକ୍ଷେପ ନେଲେ ସଂପୃକ୍ତ ବ୍ୟକ୍ତିର ପରିବାରକୁ ଗାଁରୁ ବାସନ୍ଦ କରୁଛି ଗ୍ରାମ୍ୟକମିଟି । ଦେଶର ଆଇନ ବ୍ୟବସ୍ଥାକୁ ଚାଲେଞ୍ଜ କରୁଛି ଗାଁ କମିଟି । ଗାଁର ମୁଷ୍ଟିମେୟ ଲୋକ ଗାଁରେ ଚଲାଇଛନ୍ତି କଙ୍ଗାରୁ କୋର୍ଟ । ଗାଁ କମିଟିର କଥା ଯିଏ ଅବମାନନା କରୁଛି ତାକୁ ଏବଂ ସେହି ପରିବାରକୁ ଗାଁରୁ ବାସନ୍ଦ କରାଯାଉଛି । କେବଳ ସେତିକି ନୁହେଁ କମିଟିର ବଳରେ ବଳିୟାନ ଲୋକେ ସେପରିବାରର ଘରେ ନିଆଁ ଲଗେଇ ଦେଉଛନ୍ତି । ଗାଡି ମୋଟର ଭାଙ୍ଗି ଦେଉଛନ୍ତି । ଘର ଆଗରେ ଛେପ ପକାଉଛନ୍ତି । ଗାଁର ଯାନି ଯାତରକୁ ବାରଣ କରୁଛନ୍ତି । ଗାଁରେ ନିଆଁ ପାଣି ବାସନ୍ଦ କରୁଛନ୍ତି । ଏପରିକି ଗାଁର କୌଣସି ବ୍ୟକ୍ତି ସେ ଛୋଟ ଛୁଆ ହେଉ କି ବଡ ଏହି ପରିବାର ସହ କଥା ହେଲେ ତାକୁ ଲଣ୍ଡା ହେବାକୁ ପଡୁଛି । ଏଥିସହ ୫ ହଜାର ଟଙ୍କା ଜୋରିମାନା ଦେବାକୁ କୁହାଯାଉଛି ।
ଏହା ଦିନେ କି ଦୁଇ ଦିନର ନିର୍ଯାତନା ନୁହେଁ ଦୀର୍ଘ ଅଢେଇ ବର୍ଷ ହେଲା ଗାଁ କମିଟିର ନିର୍ଯାତନାରେ ଅତିଷ୍ଠ ହୋଇଗଲେଣି ଗୋଟିଏ ପରିବାର । ପୋଲିସ ପାଖରେ ଗୁହାରୀ କଲେ ମାମଲା ରୁଜୁ କରି ନିଜର ଅସହାୟତା ପ୍ରକାଶ କରୁଥିବା ଅଭିଯୋଗ କରିଛନ୍ତି ପୀଡିତା ପରିବାର । ଶେଷରେ ପୂରା ପରିବାର ଏସପିଙ୍କ ଦ୍ବାରସ୍ଥ ହୋଇ ନ୍ୟାୟ ଦେବାକୁ ଗୁହାରୀ କରିଛନ୍ତି । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ପୁରୀ ସଦର ଥାନା ଅନ୍ତର୍ଗତ ଧାଉଡ଼ିଆ ଗ୍ରାମରେ ।
ଅଭିଯୋଗ ଅନୁଯାୟୀ, ପୁରୀ ସଦର ଥାନା ଅନ୍ତର୍ଗତ ଧାଉଡ଼ିଆ ଗ୍ରାମର ଗୀତା ସିଂହ ତାଙ୍କ ଘରୁ ଲୁହାରଡ, ସିମେଣ୍ଟ ଚୋରି ହୋଇଥିବା ନେଇ ଥାନାରେ ଅଭିଯୋଗ କରିଥିଲେ । ଏହି ଘଟଣାରେ ପୋଲିସ ତ୍ବରୀତ ପଦକ୍ଷେପ ନେଇ ଗାଁର କିଛି ବ୍ୟକ୍ତିଙ୍କୁ ଗିରଫ କରି କୋର୍ଟ ଚାଲଣ କରିଥିଲା । ପରେ ଗାଁର କିଛି ଲୋକ ପ୍ରତିକ୍ରିୟାଶୀଳ ହୋଇ କମିଟିରେ ଫେରାଦ କରିଥିଲେ । ଆଉ ଏହାପରେ ଗ୍ରାମ୍ୟକମିଟି ଅଭିଯୋଗକାରୀଙ୍କ କୌଣସି କଥା ନଶୁଣି କଙ୍ଗାରୁ କୋର୍ଟ ଜରିଆରେ ସଂପୃକ୍ତ ପରିବାରକୁ ଗାଁରୁ ବାସନ୍ଦ କରିଥିଲେ । ଅଭିଯୋଗକାରିଣୀ ଓ ତାଙ୍କ ଭିନ୍ନକ୍ଷମ ସ୍ବାମୀଙ୍କୁ ଗାଁରେ ଏକ ଘରିକିଆ କରିଦେଲେ । ଘଟଣାକୁ ଗାଁ କମିଟିରେ ସମାଧାନ ନକରି ପୋଲିସ ପାଖକୁ ଯିବା କାରଣରୁ ଆକ୍ରୋଶ ରଖି ଗାଁର କିଛି ମୁଷ୍ଟିମେୟ ବ୍ୟକ୍ତି ଏଭଳି ବାସନ୍ଦ କରିଥିବା ମହିଳା ଜଣକ ଅଭିଯୋଗ କରିଛନ୍ତି ।
ମହିଳା ଜଣକ ଅଭିଯୋଗ କରିଛନ୍ତି, "ଚୋରି ଅଭିଯୋଗ ନେଇ ଥାନାକୁ ଯିବାରୁ ଆମ ପରିବାରକୁ ବାସନ୍ଦ କରିଛି ଗାଁ କମିଟି । ଆମକୁ ଗାଁ ଲୋକେ ନିଆଁ ପାଣି ବାସନ୍ଦ କରିଛନ୍ତି । ଆମ ଘରେ ନିଆଁ ଲଗେଇ ଦେଇଛନ୍ତି । ଗାଁର ଯାନି ଯାତରକୁ ବାରଣ କରୁଛନ୍ତି । ଗାଁର କୌଣସି ବ୍ୟକ୍ତି ଆମ ପରିବାର ସହ କଥା ହେଲେ ତାକୁ ଲଣ୍ଡା ହେବାକୁ ପଡୁଛି । ଏପରିକି ୫ ହଜାର ଟଙ୍କା ଜୋରିମାନା ଦେବାକୁ କୁହାଯାଉଛି । କେବଳ ଏତିକି ନୁହେଁ ଘର ଦୁଆର ମୁହଁରେ ଛେପ ଖଙ୍କାର ମଧ୍ୟ ପକାଉଛନ୍ତି ଗାଁର କେତେକ ଲୋକ । ୨୦୨୦ ମସିହାରୁ ଗୀତା ଓ ତାଙ୍କ ପରିବାର ଏହି କଙ୍ଗାରୁ କୋର୍ଟ ଦ୍ବାରା ଶାରୀରିକ ଓ ମାନସିକ ନିର୍ଯ୍ୟାତନା ପାଉଛନ୍ତି । ଏ ନେଇ ଗୀତା ସଦର ଥାନାରେ ଲିଖିତ ଅଭିଯୋଗ କରିଥିଲେ ହେଁ ପୋଲିସ ତାଙ୍କ ଏତଲା ରଖି କେବଳ ମାମଲା ରୁଜୁ କରୁଛି । ଘର ପୋଡିବା, ଗାଡିମୋଟର ଭାଙ୍ଗିବା, ଘର ଆଗରେ ଉଦ୍ଦେଶ୍ୟମୂଳକ ଭାବେ ଛେପ ପକାଇବାର ଭିଡିଓକୁ ପ୍ରମାଣ ଭାବେ ପୋଲିସକୁ ଦେଇଛନ୍ତି, ହେଲେ ନ୍ୟାୟ ପାଇଁ ଯେତେ ଗୁହାରୀ ହେଲେବି ଆମ କଥା ଶୁଣୁନାହିଁ ପୋଲିସ" ।
ଅଭିଯୋଗ ଅନୁଯାୟୀ, ଦୀର୍ଘ ଅଢେଇ ବର୍ଷ ହେବ ଗାଁରେ ଏକ ଘରିକିଆ ହୋଇ ରହିଛନ୍ତି ଗୋଟିଏ ପରିବାର । ଶେଷରେ ନ୍ୟାୟ ପାଇଁ ନିଜ ଭିନ୍ନକ୍ଷମ ସ୍ବାମୀଙ୍କୁ ଧରି ପୁରୀ ଏସପିଙ୍କ ଦ୍ବାରସ୍ଥ ହୋଇଛନ୍ତି ମହିଳା ଜଣକ । ପୋଲିସ ଘଟଣାର ଅଭିଯୁକ୍ତମାନଙ୍କ ୧୦ ଦିନ ଭିତରେ ନ୍ୟାୟ ନମିଳିଲେ ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆତ୍ମାହୁତି ଦେବାକୁ ବାଧ୍ୟହେବେ ବୋଲି କହିଛନ୍ତି ମହିଳା ଜଣକ । ତେବେ ଏନେଇ ଗ୍ରାମାଞ୍ଚଳ ଅତିରିକ୍ତ ଏସପିଙ୍କ ସହ ଯୋଗାଯୋଗ କରାଯାଇଥିଲା ହେଁ ତାଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।
ଇଟିଭି ଭାରତ, ପୁରୀ