ପୁରୀ: ଲଘୁଚାପ ବର୍ଷାରେ ଜଳବନ୍ଦୀ ବସ୍ତି ବାସିନ୍ଦା । ବର୍ଷା ଜଳ ନିଷ୍କାସନ ନ ହୋଇ ପାରି ଜମି ରହି ଥିବା ହେତୁ ତାଳ ବଣିଆ ନିକଟ ଧୋବାଖାଲ ତାରିଣୀ ବସ୍ତିରେ କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । 7 ଫୁଟ ଉଚ୍ଚର ଜମି ରହିଥିବା ବର୍ଷା ଜଳ ନଦୀର ଭ୍ରମ ସୃଷ୍ଟି କରିଛି। ଫଳରେ ସେଠାରେ ରହୁଥିବା ତାରିଣୀ ବସ୍ତିର ଲୋକେ ବାଧ୍ୟ ହୋଇ ରାସ୍ତା କଡରେ ଆଶ୍ରୟ ନେଇଛନ୍ତି ।
ଘର ପାଣିରେ ବୁଡି ରହିଥିବା ହେତୁ ସବୁ ଆସବାବ ପତ୍ର ନଷ୍ଟ ହୋଇଯାଇଛି । ଖାତା ବହି ପାଣିରେ ନଷ୍ଟ ହୋଇ ଯାଇଥିବାରୁ ପାଠ ପଢିବାରୁ ବଞ୍ଚିତ ହୋଇଛନ୍ତି ବସ୍ତିରେ ରହୁଥିବା ପିଲାମାନେ । ତେବେ ବର୍ଷା ଦିନରେ ରାସ୍ତା କଡରେ ପଲିଥିନ ତଳେ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ଛୁଆ ପିଲାଙ୍କୁ ନେଇ ଚଳୁଛନ୍ତି ବସ୍ତି ବାସିନ୍ଦା ।
ପ୍ରଶାସନ ରନ୍ଧା ଖାଦ୍ୟ ଯୋଗାଇ ନ ଥିବା ଅଭିଯୋଗ କରିଛନ୍ତି ବସ୍ତି ବାସିନ୍ଦା । ଘର ଦ୍ୱାର ସବୁ ପାଣିରେ ଭାସି ଯାଇଥିବାରୁ ସରକାର ସେମାନଙ୍କୁ ଉପଯୁକ୍ତ ଜାଗା ଦେଇ ଥଇଥାନ କରିବାକୁ ବସ୍ତି ବାସିନ୍ଦା ଦାବି କରିଛନ୍ତି।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ