ପୁରୀ: ଜିଲ୍ଲାର ଗୋପ ବ୍ଲକ ୧୧ ନମ୍ବର ଜୋନର ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ସନ୍ଦେହ ଜନକ ମୃତ୍ୟୁକୁ ନେଇ ଧର୍ମେନ୍ଦ୍ରଙ୍କ ଗ୍ରାମ ଖଣ୍ଡିଆକୁଦରେ ଶୋକର ଛାୟା ଖେଳି ଯାଇଛି । ଘଟଣାରେ ଅନେକ ସସ୍ପେନ୍ସ ଲାଗି ରହିଥିବା ବେଳେ ଏହାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି ଖଣ୍ଡିଆକୁଦ ଗ୍ରାମବାସୀ । ପୁରୀ ଜିଲ୍ଲା ଗୋପ ୧୧ ନଂ ଜୋନର ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି ।
ଶିଶୁପାଳଗଡ ଲକ୍ଷ୍ମୀବିହାର ସ୍ଥିତ ଘରୁ ତାଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ । ତେବେ ସେ କଣ ପାଇଁ ଆତ୍ମହତ୍ୟା କଲେ ତାହା ବର୍ତ୍ତମାନ ସୁଦ୍ଧା ଅସ୍ପଷ୍ଟ । ମୃତ୍ୟୁ ପୂର୍ବରୁ ସେ ଦୁଇଟି ଫୋନରେ ଅନେକ ଗୁମର ଥିବା ଫେସବୁକରେ ଭିଡିଓ ମାଧ୍ୟମରେ କହିଛନ୍ତି । ଏନେଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏହା ପଛରେ ପାରିବାରିକ କଳହ ନାଁ ଆଉ କିଛି କାରଣ ରହିଛି ସେନେଇ ତଦନ୍ତ କରିବ ପୋଲିସ । ତେବେ ଧର୍ମେନ୍ଦ୍ରଙ୍କ ଘର ପାଖରୁ ୨ଟି ଫୋନ୍ ପୋଲିସ ଜବତ କରିଥିବା ସୂଚନା ମିଳିଛି ।
ଏହା ମଧ୍ୟ ପଢ଼ନ୍ତୁ...ବିଜେଡି ଜିଲ୍ଲାପରିଷଦ ସଭ୍ୟଙ୍କ ଆତ୍ମହତ୍ୟା, ସସପେନ୍ସ ବଢାଇଲା ଫେସବୁକ ପୋଷ୍ଟ
ଧର୍ମେନ୍ଦ୍ରଙ୍କ ମୃତ୍ୟୁ ଖବରକୁ ଗ୍ରାମବାସୀ ବିଶ୍ବାସ କରିପାରିନାହାନ୍ତି । ଜଣେ ମିଷ୍ଠ ଭାଷୀ ମେଳାପୀ, ପରୋପକାରୀ ଭାବରେ ଜଣାଶୁଣା ଥିବା ଜନପ୍ରିୟ ନେତା ଥିଲେ ଧର୍ମେନ୍ଦ୍ର । ତେବେ କାହିଁକି ଆତ୍ମହତ୍ୟା କଲେ ବୋଲି ଏବେ ସମସ୍ତଙ୍କ ମନରେ ପ୍ରଶ୍ନ ଉଠିଛି । ତେବେ ଧର୍ମେନ୍ଦ୍ରଙ୍କ ଘର ପାଖରୁ ଜବତ ହୋଇଥିବା ତାଙ୍କର ଦୁଇଟି ଫୋନରେ ଥିବା ଭିଡିଓ ହସ୍ତଗତ ହେଲେ ସବୁର ଖୁଲାସା ହେବ ବୋଲି ଦାବି କରିଛନ୍ତି ଧର୍ମେନ୍ଦ୍ରଙ୍କ ଗ୍ରାମବାସୀ । ଏନେଇ ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି ଲୋକେ ।
ଇଟିଭି ଭାରତ, ପୁରୀ