ପୁରୀ: ରୋଗୀ ସେବା ନାଁରେ ଆର୍ଥିକ ଶୋଷଣ । ସରକାରୀ ଚିକିତ୍ସାଳୟକୁ ଆସୁଥିବା ରୋଗୀଙ୍କୁ ମଗାଯାଉଛି ଲାଞ୍ଚ। ପୁରୀ ବଡ ମେଡିକାଲରେ ଚିକିତ୍ସା ନାଁରେ ରୋଗୀଙ୍କ ଠାରୁ ଲାଞ୍ଚ ମାଗୁଥିବା ଘଟଣା ସାମ୍ନାକୁ ଆସିଛି। ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
ସ୍ବାସ୍ଥ୍ୟସେବା ଆଳରେ ରୋଗୀଙ୍କ ଠାରୁ ଅର୍ଥ ଆଦାୟ କରୁଛନ୍ତି ମେଡ଼ିକାଲ କର୍ମଚାରୀ । ଏନେଇ ସୋସିଆଲ ମିଡିଆରେ ଭିଡିଓ ଭାଇରଲ ହୋଇଛି । ସ୍ତ୍ରୀ ଓ ପ୍ରସୂତି ବିଭାଗରେ ଏଭଳି ଅର୍ଥ କାରବାର ହୋଇଥିବା ଅଭିଯୋଗ ହୋଇଛି । ସଂଗ୍ରାମ ପରିଡା ନାମକ ଜଣେ ବ୍ୟକ୍ତି ଏଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି । ନିଜ ସମ୍ପର୍କୀୟଙ୍କ ପ୍ରସୂତି ପାଇଁ ସେ ଏଭଳି ଅର୍ଥ ଦେଇଥିବା ଅଭିଯୋଗ କରିଛନ୍ତି । ଓଟି ଚାର୍ଜ, ଷ୍ଟ୍ରେଚର ଚାର୍ଜ ଆଦି କହି ଏହି ଟଙ୍କା ନେଇଛନ୍ତି ମେଡିକାଲ କର୍ମଚାରୀ ।
ଦୀର୍ଘବର୍ଷ ହେବ ଏଭଳି ଅଭିଯୋଗ ହୋଇ ଆସୁଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଶୁନ । ତେବେ ସରକାର ମେଡିକାଲରେ ସବୁକିଛି ମାଗଣାରେ ସ୍ବାସ୍ଥ୍ୟସେବା ଯୋଗାଇ ଦେଉଥିବାବେଳେ ପୁରୀ ମେଡ଼ିକାଲର କର୍ମଚାରୀମାନେ ରୋଗୀଙ୍କ ଠାରୁ ଚିକିତ୍ସା ଆଳରେ ଟଙ୍କା ଆଦାୟ କରିବା ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।
ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଯଦି, ଏଭଳି ଅବସ୍ଥା ଗ୍ରାମାଞ୍ଚଳରେ କିଭଳି ରୋଗୀଙ୍କୁ ଡାକ୍ତରଖାନାରୁ ସ୍ବାସ୍ଥ୍ୟସେବା ମିଳୁଥିବ ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ