ପୁରୀ: କୋଣାର୍କ ବେଳାଭୂମି ରାସ୍ତା ମୁଦୁଲି ଛକରେ ସିରିଜ ଦୁର୍ଘଟଣା । ଭୟଙ୍କର ସଡକ ଦୁର୍ଘଟଣାରେ ୨ଜଣଙ୍କ ମୃତ୍ୟୁ । ମେରାଇନ ଡ୍ରାଇଭ ରୋଡର ମୁଦୁଲି ଛକରେ ଘଟିଛି ଏହି ମର୍ମନ୍ତୁଦ ଦୁର୍ଘଟଣା । ଦୁର୍ଘଟଣାରେ ଟ୍ରାଭେରା, ବାଇକ ଏବଂ ଅଟୋ ଚୁରମାର ହୋଇଥିବା ସୂଚନା । ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ୧୫ଜଣ ଆହତ ହୋଇଛନ୍ତି । ଆହତଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ପୁରୀ ସଦର ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ୨ଜଣଙ୍କ ମଧ୍ୟରୁ ଜଣେ ଆନ୍ଧ୍ରପ୍ରଦେଶର ପର୍ଯ୍ୟଟକ ହୋଇଥିବା ସୂଚନା ରହିଛି ।
ସୂଚନାଅନୁସାରେ, ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସିଥିବା ଆନ୍ଧ୍ରପ୍ରଦେଶ ଚିତ୍ତୋର ଓ ନେଲୋର୍ ଜିଲ୍ଲାର ଶ୍ରଦ୍ଧାଳୁ କୋଣାର୍କରୁ ଅଟୋ ଯୋଗେ ପୁରୀ ଅଭିମୁଖେ ଫେରୁଥିଲେ । ଏହି ସମୟରେ ପୁରୀ-କୋଣାର୍କ ବେଳାମାର୍ଗରେ ଟ୍ରାଭେରା, ବାଇକ, ଅଟୋ ସିରିଜ ଦୁର୍ଘଟଣା ଘଟିଛି। ପ୍ରଥମେ ଘନଶ୍ୟାମ ହେମଲତା କଲେଜ ନିକଟରେ ବାଇକର ଚକ ଫାଟିଯାଇଥିଲା । ଫଳରେ ବାଇକଟି ଭାରସାମ୍ୟ ହରାଇ ପୁରୀରୁ ଆସୁଥିବା ଅଟୋ ସହ ମୁହାଁମୁହିଁ ହୋଇଥିଲା । ଏହି ସମୟରେ ବିପରୀତ ଦିଗରୁ ଆସୁଥିବା ଟ୍ରାଭେଟା ମଧ୍ୟ ପିଟି ହୋଇଯାଇଥିଲା । ଫଳରେ ଅଟୋଟି ଓଲଟି ପଡିଥିଲା । ସେଠାରେ ଥିବା ସ୍ଥାନୀୟ ଲୋକ ମାନେ ରୁଣ୍ଡ ହୋଇଥିଲେ । ଦୁର୍ଘଟଣାରେ ମୋଟ ୧୭ଜଣଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।
ଏହା ମଧ୍ୟ ପଢନ୍ତୁ: DD college upgraded to university: କେନ୍ଦୁଝରକୁ ଭେଟି, ଡିଡି କଲେଜ ହେଲା ବିଶ୍ବବିଦ୍ୟାଳୟ
ତେବେ ହସ୍ପିଟାଲରେ ପହଞ୍ଚିବା ପରେ ୨ଜଣଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର । ୧୫ ଜଣଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଥିବା ସୂଚନା ରହିଛି । ଏହାସହ ଅନ୍ୟମାନେ ପୁରୀ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ମୃତକ ମହିଳା ହେଉଛନ୍ତି ଆନ୍ଧ୍ରପ୍ରଦେଶ ଚିତ୍ତୋର ଅଞ୍ଚଳର ୫୦ ବର୍ଷୀୟା ଆମୁଲୁ ଓ ମୃତ ଅଟୋ ଡ୍ରାଇଭର ପୁରୀ ଧୋବାସାହିର ରାଜେଶ। ମୃତକ ହେଲେ ଅଟୋ ଡ୍ରାଇଭର ଏବଂ ଅଟୋରେ ରହିଥିବା ଆନ୍ଧ୍ର ପର୍ଯ୍ୟଟକ । ତେବେ ସ୍ଥାନାନ୍ତର ହୋଇଥିବା ୩ଜଣଙ୍କ ମଧ୍ୟରେ ଜଣେ ବାଇକ ଚାଳକ ଏବଂ ତାଙ୍କ ପୁଅ ଏବଂ ଅନ୍ୟ ଜଣେ ଅଟୋରେ ରହିଥିବା ଯାତ୍ରୀ ଅଟନ୍ତି ।
ଏନେଇ ପୁରୀ ମେଡିକାଲ ଅଧିକାରୀ କହିଛନ୍ତି, "ସକାଳ ୮.୩୦ ସମୟରେ ଦୁର୍ଘଟଣା ନେଇ ଆମେ ଖବର ପାଇଥିଲୁ । ତେଣୁ ଆମେ ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିଲୁ । ମେଡିକାଲକୁ ମୋଟ ୧୭ଜଣ ଆସିଥିଲେ । ସେଥିମଧ୍ୟରୁ ୨ଜଣଙ୍କ ମୃତ୍ୟୁ ହୋଇଛି । ବୋଲେରୋରେ ରହିଥିବା ଯାତ୍ରୀମାନେ ସାମାନ୍ୟ ଆହତ ହୋଇଛନ୍ତି । କିନ୍ତୁ ବୋଲେରୋ ଅଟୋକୁ ଧକ୍କା ଦେବା ଫଳରେ ସେଥିରେ ବସିଥିବା ଯାତ୍ରୀମାନେ ଗୁରୁତର ହୋଇଛନ୍ତି । ସେମାନଙ୍କ ଅବସ୍ଥା ଗୁରୁତର ରହିଛି । ମୋଟ ୧୫ଜଣ ଚିକିତ୍ସିତ ହେଉଛନ୍ତି ।"
ଇଟିଭି ଭାରତ, ପୁରୀ