ପୁରୀ: ଆସନ୍ତା 23ରେ ହେବାକୁ ଥିବା ପବିତ୍ର ଘୋଷଯାତ୍ରାକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ଏହାପରେ ନିଜର ପ୍ରତିକ୍ରୟା ରଖିଛନ୍ତି ଜଗତଗୁରୁ ଶଙ୍କରାଚାର୍ଯ୍ୟ । ସେ କହିଛନ୍ତି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶର ସମୀକ୍ଷା ପରେ ମୁଁ ନିଷ୍ପତ୍ତି ନେବି।
ତେବେ ଆଜି ବା ଶୁକ୍ରବାର ପରିଚାଳନା କମିଟିର ସଦସ୍ୟମାନେ ଆସି ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ରଥଯାତ୍ରାର ବିକଳ୍ପ ରହିଛି ସେ ନେଇ ଆଲୋଚନା ହେବ। ତେବେ ଆଇନମନ୍ତ୍ରୀ ଓ ମୁଖ୍ୟ ଶାସନ ସଚିବ ତାଙ୍କ ସହିତ ଆଲୋଚନା କରିବା ଆବଶ୍ୟକ ବୋଲି ଶଙ୍କରାଚାର୍ଯ୍ୟ କହିଛନ୍ତି । ମନ୍ଦିର ଭିତରେ କଣ ରୂପରେଖ ରହିବ ସମସ୍ତଙ୍କ ଭାବନା ଜାଣିବା ପରେ ହିଁ ମୁଁ ମୋର ନିର୍ଣ୍ଣୟ ଶୁଣାଇବି ବୋଲି କହିଛନ୍ତି ଶଙ୍କରାଚାର୍ଯ୍ୟ ।
ଏହାସହ ଗଲୱାନ ଭ୍ୟାଲିରେ ସହିଦ ହୋଇଥିବା ବୀର ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ତାଙ୍କର ଅମର ଆତ୍ମାର ସଦଗତି କାମନା କରିଛନ୍ତି । ସହିଦଙ୍କ ପରିବାର ବର୍ଗଙ୍କୁ ସମବେଦନା ଜଣାଇବା ସହ ଏସବୁ ସହିବାକୁ ତାଙ୍କୁ ଧର୍ଯ୍ୟ ଦେବା ପାଇଁ ଠାକୁରଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି । ଚୀନକୁ ଶଙ୍କରାଚାର୍ଯ୍ୟ ଚେତାଇ ଦେଇଛନ୍ତି । ଚୀନ ବୁଝି ବିଚାରି ପଦକ୍ଷେପ ନେଉ । ଭାରତକୁ କମଜୋର ନ ଭାବୁ । ଚୀନ ନେହେରୁଙ୍କ ଠାରୁ ଆରମ୍ଭ କରି ଏବେ ପର୍ଯ୍ୟନ୍ତ କୂଟନୀତି କରିଆସୁଛି । ତେଣୁ କୌଣସି ଚୁକ୍ତି କରିବା ପୂର୍ବରୁ ଭାରତ ବୁଝି ବିଚାରି କରୁ । ସୈନିକଙ୍କ ଜୀବନ ସହ ଖେଳିବାର କୌଣସି ଅଧିକାର ନାହିଁ । ରାଜନେତାମାନେ ଯୁଦ୍ଧ କ୍ଷେତ୍ରକୁ ଯାଉ ନାହାନ୍ତି ଗୋଟିଏ କୋଠରୀ ଭିତରେ ରହି ଏଭଳି କିଛି ନିଷ୍ପତି ନ ନିଅନ୍ତୁ ଯାହା ତାଙ୍କୁ ବିପଦରେ ପକାଇବ ବୋଲି ସେ କହିଛନ୍ତି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ