ପୁରୀ: ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଶୃଙ୍ଖଳିତ ରଥଯାତ୍ରା ପାଇଁ ରିଜର୍ଭ ପୋଲିସ ଲାଇନ ପଡ଼ିଆରେ ପୋଲିସ ଓ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ରଥଟଣାର ମକ୍ଡ୍ରିଲ କରାଯାଇଛି । ପୁରୀ ରିଜର୍ଭ ପୋଲିସ ଲାଇନ୍ ପଡ଼ିଆରେ ପୋଲିସ ପକ୍ଷରୁ ରଥ ଟଣା, ଭିଡ଼ ନିୟନ୍ତ୍ରଣ ଓ ଆଇନଶୃଙ୍ଖଳା ରକ୍ଷାର ଅଭ୍ୟାସ କରାଯାଇଛି। ଏଥିରେ ସହାୟତା କରୁଛନ୍ତି ରେଳବାଇ ଓ ତଟରକ୍ଷୀ ବାହିନୀ । ରେଳବାଇ ପୋଲିସ ପକ୍ଷରୁ ଯାତ୍ରୀଙ୍କ ସୁରକ୍ଷାକୁ ଗୁରୁତ୍ବ ଦିଆଯାଇଥିବାବେଳେ ପ୍ରଥମ ଥର ପାଇଁ ହେଲିକପ୍ଟର ଓ ଫାଷ୍ଟ ପାଟ୍ରୋଲିଂ ଭେଇକିଲ ବ୍ୟବହୃତ ହେବ ବୋଲି ଜଣାପଡିଛି ।
ସେହିପରି ପୋଲିସ ପକ୍ଷରୁ ଟ୍ରାଫିକ ସୁପରିଚାଳନା ପାଇଁ ମଧ୍ୟ ସ୍ବତନ୍ତ୍ର ଟ୍ରାଫିକ ମୋବିଲିଟି ପ୍ଲାନ୍ ପ୍ରସ୍ତୁତ କରାଯାଇଛି । ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଇଁ ପ୍ରସ୍ତୁତ ହୋଇଥିବା ସ୍ଵତନ୍ତ୍ର ଟ୍ରାଫିକ ମୋବିଲିଟି ପ୍ଲାନ୍ ଆସନ୍ତାକାଲି ଅର୍ଥାତ ୧୯ ତାରିଖ ମଧ୍ୟରାତ୍ରରୁ ଲାଗୁ ହୋଇ ୨୧ ତାରିଖ ଯାଏଁ ବଳବତ୍ତର ରହିବ। ସେହିପରି ସନ୍ଧ୍ୟା ଦର୍ଶନ, ବାହୁଡା଼, ସୁନାବେଶ ଏବଂ ଅନ୍ୟ ଦିନରେ ଭିଡ଼କୁ ଦେଖି ଟ୍ରାଫିକ ବ୍ୟବସ୍ଥା ହେବ ବୋଲି ଟ୍ରାଫିକ ଦାୟିତ୍ବରେ ଥିବା ଏଡିଜି ଅମିତାଭ ଠାକୁର ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।
ପୁରୀ ସହର ଭିତରେ 2ଟି ଓ ବାହାରେ ଟ୍ରାଫିକ ବ୍ୟବସ୍ଥାକୁ ୩ ଭାଗରେ ବିଭକ୍ତ କରାଯାଇଛି । ଭୁବନେଶ୍ୱର ଓ କୋଣାର୍କ ପଟୁ ଆସୁଥିବା ଚାରି ଚକିଆ ଗାଡ଼ି ତାଳବଣିଆ ଓ ଗ୍ରିଡ୍ ଷ୍ଟେସନ ଛକ ଓ ବ୍ରହ୍ମଗିରି ପଟୁ ଆସିଥିବା ଚାରି ଚକିଆ ଗାଡ଼ି ଫ୍ଲୋରିସ ଇଣ୍ଡିଆରେ ପାର୍କିଂ କରିବ। ସହରକୁ ୧୪ଟି ଜୋନ୍ ଓ ୨୯ଟି ସେକ୍ଟରରେ ବିଭକ୍ତ କରାଯାଇଛି। ସେହିପରି ଦୁଇଚକିଆ ଗାଡ଼ି ପାର୍କିଂ ପାଇଁ ୨୪ଟି ପାର୍କିଂ ସ୍ଥଳ ଚିହ୍ନଟ କରାଯାଇଥିବା କହିଛନ୍ତି ଏଡିଜି । ଏଥିସହ ୨୪ ଘଣ୍ଟିଆ ଟ୍ରାଫିକ କଣ୍ଟ୍ରୋଲ ରୁମ୍ ମଧ୍ୟ କାର୍ଯ୍ୟ କରିବ ।
ଆମ୍ବୁଲାନ୍ସ ଯାତାୟତ ପାଇଁ ଗ୍ରୀନ କରିଡ଼ର ସହ ଜରୁରୀକାଳୀନ ସେବା, ରଥଯାତ୍ରାରେ ନିୟୋଜିତ ଅଧିକାରୀ, ସେବାୟତ ଓ ସହରବାସୀଙ୍କ ପାଇଁ ସ୍ବତନ୍ତ୍ର ଟ୍ରାଫିକ ବ୍ୟବସ୍ଥା କରାଯାଇଛି । ଏପଟେ ରଥଯାତ୍ରା ପାଇଁ ଚଳିତ ବର୍ଷ ରେଳବାଇ ପୋଲିସ ପକ୍ଷରୁ ମଧ୍ୟ ବ୍ୟାପକ ପ୍ରସ୍ତୁତି କରାଯାଇଛି । ରେଳ ଷ୍ଟେସନରେ ପ୍ରଥମ ଥର ପାଇଁ ବ୍ୟବହୃତ ହେବ ଫେସ୍ ରେକଗନାଇଜେସନ୍ ସିଷ୍ଟମ । ଏହା ପକେଟମାର, ଲୋକଙ୍କୁ ନିଶା ଦେଇ ଲୁଟୁଥିବା ଦୁର୍ବୃତ୍ତଙ୍କ ଫଟୋ ଉଠାଇବ । ତେବେ ଯାତ୍ରୀଙ୍କ ସୁରକ୍ଷା ଓ ଭିଡ଼ ନିୟନ୍ତ୍ରଣ ପାଇଁ ଅଧିକ କଣ୍ଟ୍ରୋଲ ରୁମ୍, ଡ୍ରୋନ୍ ସହ ପର୍ଯ୍ୟାପ୍ତ ଆରପିଏଫ୍ ଓ ଜିଆରପି ପୋଲିସ ମୁତୟନ, ସାଧା ପୋଷାକଧାରୀ ପୋଲିସ, ସିସିଟିଭି କ୍ୟାମେରା ଓ ସମନ୍ୱିତ କଣ୍ଟ୍ରୋଲ ରୁମ୍ କାର୍ଯ୍ୟ କରିବ ।
ସେହିପରି ତଟ ସୁରକ୍ଷାରେ ହେଲିକପ୍ଟର ସହ ଜୁଲାଇ ୨ ତାରିଖ ପର୍ଯ୍ୟନ୍ତ ଫାଷ୍ଟ ପାଟ୍ରୋଲିଂ ଭେଇକିଲ କାର୍ଯ୍ୟ କରିବ । ପାରାଦ୍ଵୀପରେ ଫାଷ୍ଟ ଇଣ୍ଟରସେପ୍ଟର ବୋଟ ରହିବା ସହ ପୁରୀ ପେଣ୍ଠକଟାଠାରେ କଣ୍ଟ୍ରୋଲ ରୁମ୍ କାର୍ଯ୍ୟ କରିବ । ତଟରକ୍ଷୀ ବାହିନୀ ଓ ଭାରତୀୟ ନୌସେନା ବୈଷୟିକ ଟିମ ଓ ଗୁଇନ୍ଦା ସୂଚନା ପାଇଁ ସାଗର ମିତ୍ରର ମଧ୍ୟ ସହାୟତା ନିଆଯାଇଛି । ଆଜି ଟାଉନ ହଲରେ ରଥଯାତ୍ରାକୁ ନେଇ ରେଳବାଇ ପୋଲିସ ପକ୍ଷରୁ ଆୟୋଜିତ ହୋଇଥିବା ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦିଆଯାଇଛି । ରେଳବାଇ ଓ ତଟ ସୁରକ୍ଷା ଏଡିଜି ଦୟାଲ ଗଙ୍ଗୱାର ଓ ଡ଼ିଆଇଜି ସତ୍ୟଜିତ ନାୟକଙ୍କ ଉପସ୍ଥିତିରେ ଏହି ବ୍ରିଫିଂ ହୋଇଥିଲା ।
ରଥଯାତ୍ରା ସମୟରେ ୨୦୫ଟି ସ୍ଵତନ୍ତ୍ର ଟ୍ରେନ ଚାଲିବ ବୋଲି କୁହାଯାଇଛି । ରଥଯାତ୍ରା ସମୟରେ ୧୭୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବାକୁ ଥିବାବେଳେ ରାଜ୍ୟର ସବୁଠାରୁ ଏହା ବଡ଼ ପୋଲିସ ସୁରକ୍ଷା ବ୍ୟବସ୍ଥା ବୋଲି କୁହାଯାଇଛି । ଉଭୟ ଜଳ, ସ୍ଥଳ ଓ ଆକାଶ ପଥରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ତେବେ ଆସନ୍ତାକାଲି ନବଯୌବନ ଦର୍ଶନରେ ୬୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ରହିବେ ବୋଲି ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି ।
ଇଟିଭି ଭାରତ, ପୁରୀ