ପୁରୀ: ପବିତ୍ର ଦୋଳ ପୂର୍ଣ୍ଣିମା ଅବସରରେ ଶ୍ରୀମନ୍ଦିରରେ ଜମିଛି ଭକ୍ତଙ୍କ ଖଚାଖଚ ଭିଡ । ମହାପ୍ରଭୁଙ୍କୁ ସୁନାବେଶ ତଥା ରାଜାଧିରାଜ ବେଶରେ ରତ୍ନ ସିଂହାସନରେ ଦେଖିବା ପାଇଁ ଅନେଇ ବସିଛି ଶ୍ରଦ୍ଧାଳୁ ମନ । ଶ୍ରୀମନ୍ଦିରରେ ପାଳନ ହେଉଥିବା ଦ୍ଵାଦଶ ଯାତ୍ରା ମଧ୍ୟରୁ ଦୋଳ ଏକ ପ୍ରମୁଖ ଉତ୍ସବ । ଦୋଳ ପୂର୍ଣ୍ଣିମାରେ ହୋଇଥାଏ ମହାପ୍ରଭୁଙ୍କ ସୁନାବେଶ । ଯାହାକୁ ଦର୍ଶନ ପାଇଁ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥାଏ ।
ସେପଟେ ଶ୍ରୀମନ୍ଦିରରେ ଦୋଳ ପୂର୍ଣ୍ଣିମା ନେଇ ହୋଇଛି ସ୍ବତନ୍ତ୍ର ନୀତିକାନ୍ତି । ରାତି ପ୍ରାୟ 3ଟାରେ ଦ୍ବାର ଫିଟା ନୀତି ପରେ ଭିତର ଶୋଧ, ମଙ୍ଗଳ ଆଳତୀ, ମଇଲମ, ତଡପଲାଗି ନୀତି, ପରେ ଅବକାଶ, ରୋଷହୋମ, ସୂର୍ଯ୍ୟପୂଜା, ଦ୍ବାରପାଳ ପୂଜା ଆଦି ନୀତି ସମ୍ପନ୍ନ ହୋଇଛି । ସର୍ବାଙ୍ଗ ନୀତି ପରେ ନୂଆ ବସ୍ତ୍ର ପିନ୍ଧି ମହାପ୍ରଭୁ ନାଭିକଟା ମଣ୍ଡପକୁ ବିଜେ କରିବେ । ଏହି ଅବସରରେ ଶ୍ରୀଜୀଉ ପାଟବସ୍ତ୍ର ସହିତ ପ୍ରାୟ 32 ପ୍ରକାରର ଅଳଙ୍କାର ପିନ୍ଧି ଶ୍ରଦ୍ଧାଳୁଙ୍କୁ ସୁନାବେଶରେ ଦର୍ଶନ ଦେବେ ।
ଅନ୍ୟପଟେ ଦୋଳ ପୂର୍ଣ୍ଣିମା ଅବସରରେ ବିମାନରେ ଶ୍ରୀଦେବୀ, ଭୂଦେବୀ ଓ ଦୋଳ ଗୋବିନ୍ଦ ଶ୍ରୀମନ୍ଦିର ବାହାରକୁ ଯାଇ ଦୋଳ ବେଦୀରେ ବିଜେ କରିବେ । ଏଥିସହ ଭକ୍ତଙ୍କ ସହିତ ଫଗୁ ଖେଳିବାର ପରମ୍ପରା ମଧ୍ୟ ରହିଛି । ଏଥିପାଇଁ ହଜାର ହଜାର ଭକ୍ତ ଶ୍ରୀକ୍ଷେତ୍ରରେ ଏକାଠି ହୋଇଛନ୍ତି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ