ପୁରୀ: ସାମୁଦ୍ରିକ ଝଡ଼ ଅମ୍ଫାନକୁ ମୁକାବିଲା ନେଇ ପୁରୀ ଜିଲ୍ଲା ପ୍ରଶାସନ ପ୍ରସ୍ତୁତି ସାରିଛି । ପୁରୀ ଜିଲ୍ଲାପାଳ ବଲବନ୍ତ ସିଂଙ୍କ ସୂଚନା ଅନୁଯାୟୀ ପାଣିପାଗ ବିଭାଗର ସୂଚନା ଆଧାରରେ ପୁରୀ ଜିଲ୍ଲାର ଅସ୍ତରଙ୍ଗ, କାକଟପୁର, କୋଣାର୍କ ଓ ଗୋପ ଅଞ୍ଚଳରେ ଏହାର ଅଧିକ ପ୍ରଭାବ ପଡିବ । ଏଣୁ ପୁରୀ ସହର ସମେତ ଏହି ସବୁ ଅଞ୍ଚଳରେ ବିଶେଷ ଧ୍ୟାନ ଦେଇଛି ଜିଲ୍ଲା ପ୍ରଶାସନ ।
ସୂଚନା ଅନୁଯାୟୀ 90 ହଜାର ଲୋକଙ୍କୁ ଆଶ୍ରୟସ୍ଥଳୀକୁ ନେବା ପାଇଁ ବ୍ୟବସ୍ଥା ହୋଇଛି । 885 ଆଶ୍ରୟ ସ୍ଥଳ ଚିହ୍ନଟ ହୋଇଛି । ବାତ୍ୟା ଆଶ୍ରୟସ୍ଥଳୀ ସମେତ, ସ୍କୁଲ, କଲେଜ ଗୃହରେ ବ୍ୟବସ୍ଥା ହୋଇଛି । ତେବେ ପୁରୀରେ ଗୋଟିଏ ଏନଡିଆରଏଫ ଟିମ, ଓଡ୍ରାଫ ଟିମ ଥିବା ବେଳେ 60 ଟିମ ରାସ୍ତା ସଫା ପାଇଁ ତିଆରି ହୋଇଛି ।
ସେହିପରି ପବନରେ ବେଗ 40 କିମିରୁ ଅଧିକ ହେଲେ ବିଦ୍ୟୁତ ସରବରାହ ବନ୍ଦ ହେବ। ମେଡ଼ିକାଲରେ ଲାଇନ ବ୍ୟବସ୍ଥା ପାଇଁ ଜେନେରେଟର ବ୍ୟବସ୍ଥା ହୋଇଛି । ଡାକ୍ତରମାନେ ମଧ୍ୟ ରହିବେ । କେହି ଛୁଟିରେ ରହି ପାରିବେନାହିଁ । ସେହିପରି ପାନୀୟ ଜଳ ଯୋଗାଣ ପାଇଁ 30ଟି ଜେନେରେଟର ବ୍ୟବସ୍ଥା ହୋଇଛି । ସେହିପରି 19 ତାରିଖ ରାତିରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯିବ । ଏଥିରେ ଲୋକମାନେ ସହଯୋଗ କରିବା ସହ ଅଯଥାରେ ଆତଙ୍କିତ ନ ହେବାକୁ ଜିଲ୍ଲାପାଳ କହିଛନ୍ତି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ