ପୁରୀ: ପୁରୀରେ ଏବେ କୋଭିଡ଼ ସ୍ଥିତି ଚିନ୍ତାଜନକ ହୋଇଥିବାବେଳେ ଗତ ଏକ ସପ୍ତାହ ମଧ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ଦେଢ଼ ହଜାରରୁ ଊର୍ଦ୍ଧ୍ବ ବୃଦ୍ଧି ପାଇଛି । ତେବେ କୋଭିଡ଼ ରୋଗୀଙ୍କୁ ଆବଶ୍ୟକୀୟ ଚିକିତ୍ସା ସେବା ଯୋଗାଇବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱାସ୍ଥ୍ୟ ଭିତ୍ତିଭୂମି ପ୍ରସ୍ତୁତ କରାଯାଉଛି ।
ଜିଲ୍ଲା ଯକ୍ଷ୍ମା ଓ ସଂକ୍ରମକ ଚିକିତ୍ସାଳୟରେ ୧୩୦ଟି ଶଯ୍ୟା ଓ ୧୫ଟି ଆଇସିୟୁ ରହିଛି । ସେହିପରି ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟରେ ୬୦ଟି ସାଧାରଣ ଶଯ୍ୟା, ବ୍ରହ୍ମଗିରି ସରକାରୀ ପଲିଟେକନିକରେ ୧୦୦ଟି ସାଧାରଣ ଶଯ୍ୟା, କୋଣାର୍କ ସରାକରୀ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ୮୦ ଟି ସାଧାରଣ ଶଯ୍ୟା ଓ ନିମାପଡ଼ା ମହିଳା କଲେଜରେ ୭୨ ଟି ସାଧାରଣ ଶଯ୍ୟା ପ୍ରସ୍ତୁତ ହୋଇ ରହିଥିବା ଜିଲ୍ଲାପାଳ କହିଛନ୍ତି ।
ଅନ୍ୟପଟେ କରୋନା ଆକ୍ରାନ୍ତଙ୍କ ପାଇଁ ପୁରୀରେ ଆରମ୍ଭ ହେବାକୁ ଯାଉଛି ସ୍ୱତନ୍ତ୍ର ବ୍ୟବସ୍ଥା । ପିପିପି ମୋଡ଼ରେ ପୁରୀରେ ଆରମ୍ଭ ହେବାକୁ ଯାଉଛି ୧୫୦ ଶଯ୍ୟା ବିଶିଷ୍ଟ କୋଭିଡ଼ ହସ୍ପିଟାଲ । ଏହି ହସ୍ପିଟାଲକୁ ଭୁବନେଶ୍ୱରରେ ଥିବା ସମ୍ ହସ୍ପିଟାଲ ପରିଚାଳନା କରିବ।
ଏହା ଭିତରେ ସ୍ୱତନ୍ତ୍ର ବ୍ୟବସ୍ଥା ମାନ କରାଯିବ। ଏଥିରେ ୪୦ଟି ଆଇସିୟୁ ସହ ହସ୍ପିଟାଲରେ ୪ଟି ଭେଣ୍ଟିଲେଟର ବ୍ୟବସ୍ଥା ରହିବ। ପୁରୀ ବାଲିଗୁଆଳି ଠାରେ ଥିବା ଶ୍ରୀଜଗନ୍ନାଥ ମେଡ଼ିକାଲ କଲେଜରେ ଏହି କୋଭିଡ଼ ହସ୍ପିଟାଲ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ୭ ଦିନରୁ ୧୦ ଦିନ ଭିତରେ ସମସ୍ତ କାର୍ଯ୍ୟ ଶେଷ ହୋଇଯିବ ବୋଲି ଆଶା ରଖିଛନ୍ତି ଜିଲ୍ଲାପାଳ।
ଅନ୍ୟପଟେ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ହେଲ୍ପଲାଇନ ନମ୍ବର ଜାରି କରାଯାଇଛି । ଆଇଡିଏଚ୍ ହସ୍ପିଟାଲ ପାଇଁ ୭୮୪୮୦୩୨୬୪୬ । ଗୋପବନ୍ଧୁ ଆୟୁର୍ବେଦିକ ହସ୍ପିଟାଲ ପାଇଁ ୭୮୪୮୦୨୭୨୭୪ । କୋରୋନା ରୋଗୀଙ୍କ ସମ୍ପର୍କୀୟ ଏହି ନମ୍ବରରେ ଯୋଗାଯୋଗ କରିପାରିବେ । ଫୋନ କରି ରୋଗୀଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ବୁଝିପାରିବେ ସମ୍ପର୍କୀୟ ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ