ପୁରୀ: ଖିମଜି ଫାଉଣ୍ଡେସନ ପକ୍ଷରୁ ଶ୍ରୀମନ୍ଦିର ପ୍ରଶାସନକୁ ଏକ ଆମ୍ବୁଲାନ୍ସ ପ୍ରଦାନ କରାଯାଇଛି । ଖିମଜି ଫାଉଣ୍ଡେସନ ନିର୍ଦ୍ଦେଶକ ମିତେଶ ଖିମଜି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡାକ୍ତର କ୍ରୀଷନ କୁମାରଙ୍କୁ ଏହି ଆମ୍ବୁଲାନ୍ସ ପ୍ରଦାନ କରିଛନ୍ତି । ଏହି ଆମ୍ବୁଲାନ୍ସ ଯୋଗେ ଶ୍ରୀମନ୍ଦିରକୁ ଆସି ଆହତ କିମ୍ବା ଗୁରୁତର ଆହତ ହୋଇଥିବା ଭକ୍ତ, ଶ୍ରଦ୍ଧାଳୁ, ପର୍ଯ୍ୟଟକ, ତୀର୍ଥଯାତ୍ରୀ, ସେବାୟତ ଓ ଶ୍ରୀମନ୍ଦିର ପ୍ରଶାସନର କର୍ମଚାରୀମାନଙ୍କୁ ତୁରନ୍ତ ଡାକ୍ତରଖାନା ନେବାରେ ସହାୟକ ହୋଇ ପାରିବ ।
୨୮ ଲକ୍ଷ ଟଙ୍କାରେ ତିଆରି ଏହି ଆମ୍ବୁଲାନ୍ସରେ ବେସିକ ଲାଇଫ ସପୋର୍ଟ ସିଷ୍ଟମ ରହିଛି । ପୂର୍ବରୁ ଶ୍ରୀମନ୍ଦିର ପ୍ରଶାସନ ପାଖରେ ମାତ୍ର 2ଟି ଆମ୍ବୁଲାନ୍ସ ରହିଥିଲା । ବିଶେଷ ଦିନ ଓ ପର୍ବପର୍ବାଣିରେ ଶ୍ରୀକ୍ଷେତ୍ରରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେଉଥିବାରୁ ଅନେକ ସମୟରେ ଭକ୍ତ ଅସୁସ୍ଥ ହେଉଥିଲେ । ସେମାନଙ୍କୁ ତୁରନ୍ତ ଶ୍ରୀମନ୍ଦିରରୁ ସଦର ମୁଖ୍ୟ ଚିକିତ୍ସାଳୟ ନେବା ପାଇଁ ଅଧିକ ଆମ୍ବୁଲାନ୍ସର ଆବଶ୍ୟକତା ପଡୁଥିଲା । ଖିମଜୀ ଫାଉଣ୍ଡେସନ ପକ୍ଷରୁ ମହାପ୍ରଭୁଙ୍କ ଭକ୍ତଙ୍କ ପାଇଁ ଏହା ଦାନ କରାଯାଇଛି । ଯାହାକୁ ସାଧାରଣରେ ସ୍ବାଗତ କରାଯାଇଛି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ