ପୁରୀ: ସ୍କୁଲ ପିଲାଙ୍କ ବହି ବିକ୍ରି କରି ଟଙ୍କା ଖାଇଗଲେ ଶିକ୍ଷକ । କବାଡିଆକୁ ବହି ବିକ୍ରି କରି ଏବେ ହଟହଟା ସ୍କୁଲ ଶିକ୍ଷକ । ଏପରି ଅଭିଯୋଗ ଆସିଛି ପୁରୀ ବ୍ରହ୍ମଗିରି ବ୍ଳକର କାଙ୍କୁଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ବାସୁଦେବ ସ୍ବାଇଁଙ୍କ ନାମରେ । ଏହି ଘଟଣା ଜଣା ପଡିବା ପରେ ଶିକ୍ଷକ ଜଣଙ୍କୁ ଗ୍ରାମବାସୀ ଅଟକ ରଖିଥିବା ବେଳେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବ୍ଳକ ଶିକ୍ଷା ଅଧିକାରୀ ସୂଚନା ଦେଇଛନ୍ତି । ତେବେ ଛାତ୍ରଛାତ୍ରୀଙ୍କ ପାଇଁ ଆସିଥିବା ବହିକୁ କବାଡିଆକୁ ଶିକ୍ଷକ ଜଣଙ୍କ ବିକ୍ରି କରିବା ଘଟଣା ଏବେ ଉକ୍ତ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ସପଟେ ଶିକ୍ଷକଙ୍କ ଏଭଳି କାର୍ଯ୍ୟକୁ ଅଭିଭାବକ ମାନେ ନିନ୍ଦା କରିଛନ୍ତି ।
ସୂଚନା ଅନୁଯାୟୀ, ଗୁରୁବାର ଜଣେ କବାଡିଆ ସ୍କୁଲ ପରିସରରୁ କିଛି ଜିନିଷ ଆଣି ଆସୁଥିଲେ । ଏହି ସମୟରେ ଗ୍ରାମ କିଛି ଯୁବକ କବଡିଆକୁ ଅଟକାଇ କଣ ସ୍କୁଲରୁ ଆଣିଛ ବୋଲି ପଚାରି ଥିଲେ । ଏହାପରେ କିଛି ଯୁବକ କବାଡିଆଙ୍କ ବ୍ୟାଗ ଚେକ କରିବା ପରେ ଭିତରେ ବହିଥିବା ଦେଖିବାକୁ ପାଇଥିଲେ । 2023-24 ମସିହା ପାଇଁ ଆସିଥିବା ନୂଆ ବହି ଓ ସ୍କୁଲ୍ ରେଜିଷ୍ଟର ମଧ୍ୟ ମିଳିଥିଲା । ଗଣିତ, ସଂସ୍କୃତ, ଇଂରାଜୀ, ହିନ୍ଦୀ, ଇତିହାସ ବହି ମିଳିଥିଲା କବାଡିଆ ଠାରୁ । ତେବେ ସ୍କୁଲରେ ଅନେକ ପିଲାଙ୍କୁ ବହି ଦିଆଯାଇ ନଥିବାରୁ ସେମାନେ ପାଠ ପଢ଼ି ପାରୁନାହାନ୍ତି । ତେବେ ଛାତ୍ରଛାତ୍ରୀଙ୍କ ପାଇଁ ଆସିଥିବା ବହି ବଣ୍ଟନ କରାନଯାଇ ଶିକ୍ଷକ କବାଡିଆକୁ ବିକ୍ରି କରିଦେବା ଘଟଣା ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି ।
ସରକାର ପିଲାଙ୍କୁ ପାଠ ପଢ଼ାଇବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ମାଗଣା ବହି ଠାରୁ ଆରମ୍ଭ କରି ପୋଷାକ, ମଧ୍ୟାହ୍ନ ଭୋଜନ ମଧ୍ୟ ଦେଉଛନ୍ତି । ହେଲେ କିଛି ଦୁର୍ନୀତିଖୋରଙ୍କ ଯୋଗୁ ଏହି ଲକ୍ଷ୍ୟ ପୂରଣ ହୋଇପାରୁନାହିଁ । ଏଣୁ ଏହି ଅପାରଗ ଶିକ୍ଷକଙ୍କୁ ବହିଷ୍କାର କରି ଦକ୍ଷ ଶିକ୍ଷକ ନିଯୁକ୍ତି କରିବା ପାଇଁ ବୁଦ୍ଧିଜୀବୀ ଓ ଅଭିଭାବକ ଦାବି କରିଛନ୍ତି ।
ଗତ କିଛିଦିନ ତଳେ ଖୋର୍ଦ୍ଧା ଜିଲ୍ଲାରୁ ଏପରି ସମାନ ଘଟଣା ସାମ୍ନାକୁ ଆସିଥିଲା । ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ ଦେଉଳି କ୍ଲଷ୍ଟର ରିସୋର୍ସ ସେଣ୍ଟର କୋର୍ଡିନେଟର ମନମୋହନ ମିଶ୍ର ପିଲାଙ୍କ ବହି ବିକ୍ରି କରୁଥିବାର ଭିଡ଼ିଓ ଭାଇରାଲ ହୋଇଥିଲା । ପରେ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା । ପ୍ରାୟ ତିନି କ୍ୱିଣ୍ଟାଲ ପାଠ୍ୟ ପୁସ୍ତକକୁ ବିକ୍ରି କରୁଥିବା ବେଳେ ଗ୍ରାମବାସୀଙ୍କ ହାତରେ ଧରା ପଡ଼ିଥିଲେ ମନମୋହନ । ଧରାପଡ଼ିବା ପରେ କାନଧରି ଉଠବସ ମଧ୍ୟ ହୋଇଥିଲେ । ଭିଡ଼ିଓ ଭାଇରାଲ ହେବା ପରେ ବ୍ଲକ ଶିକ୍ଷା ଅଧିକାରୀ ସିଆରସିସିଙ୍କ କାର୍ଯ୍ୟାଳୟକୁ ସିଲ କରାଯିବା ସହ ସିଆରସିସି ମନମୋହନଙ୍କୁ ନିଲମ୍ବିତ କରାଯାଇଥିଲା
ଇଟିଭି ଭାରତ, ପୁରୀ