ପୁରୀ: ପୁରୀରେ ପୁଣି ହଣାକଟା । ସଦର ଥାନା ଅନ୍ତର୍ଗତ କଣ୍ଠପୁରରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଦୁଇ ଗୋଷ୍ଠୀ ମଧ୍ୟରେ ଖଣ୍ଡା ଆକ୍ରମଣ । ଏହି ଆକ୍ରମଣରେ ଉଭୟ ପରିବାରର ତିନି ଜଣ ଗୁରୁତର ଆହତ ହୋଇଥିବା ବେଳେ ସମସ୍ତଙ୍କୁ ଚିକିତ୍ସା ପାଇଁ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ତେବେ ଗୁରୁତର ଆହତ ମାନେ ହେଲେ ଶଙ୍କର ପ୍ରଧାନ, ଟୁନିଆ ପ୍ରଧାନ ଓ ବାଦଲ ପ୍ରଧାନ ବୋଲି ଜଣାପଡିଛି ।
ତେବେ ଶଙ୍କରଙ୍କ ବାମ ହାତ ଓ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ବେଳେ ବାଦଲ ମୁଣ୍ଡରେ ମଧ୍ୟ ଗଭୀର ଆଘାତ ଲାଗିଛି । ଏନେଇ ଖବର ପାଇ ଘଟଣାସ୍ଥଳରେ ଏବଂ ହସ୍ପିଟାଲରେ ସଦର ଥାନା ପୋଲିସ ପହଞ୍ଚି ଛାନଭିନ୍ ଆରମ୍ଭ କରିଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଦୁଇ ପରିବାର ମଧ୍ୟରେ ଏଭଳି ହଣାକଟା ହୋଇଥିବା ବେଳେ ତଦନ୍ତ ପରେ ଘଟଣାର ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଗତ ସପ୍ତାହେ ମଧ୍ୟରେ ଗୋଷ୍ଠୀ ସଂଘର୍ଷକୁ ନେଇ ପୁରୀରେ ତିନି ତିନି ଥର ଖଣ୍ଡା ଆକ୍ରମଣ ଘଟଣା ହୋଇଛି । କଥା କଥାରେ ଖଣ୍ଡା ଆଦି ମାରଣାସ୍ତ୍ରରେ ଆକ୍ରମଣ ହେଉଛି । ପୁରୀ ସହରରେ ମଧ୍ୟ ଗୁଳିମାଡ଼ ଘଟଣା ମଧ୍ୟ ବଢ଼ିବାରେ ଲାଗିଥିବା ବେଳେ ଏହି ସବୁ ଘଟଣା ପୋଲିସ ପାଇଁ ଏକ ବଡ ଚ୍ୟାଲେଞ୍ଜ ।
ସେପଟେ ଅଭ୍ୟାସଗତ ଅପରାଧୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବା ସହ ପୁରୀରେ ବିଭିନ୍ନ ଅପରାଧରେ ଜଡ଼ିତ ଅଭ୍ୟାସଗତ ଅପରାଧୀଙ୍କୁ ସାବାଡ କରିବାକୁ ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି । ଅପରାଧରେ ଜଡ଼ିତ ଥାଇ ଅଟକ ବା ଗିରଫ ହୋଇ ଭଲ ଆଚରଣ ପ୍ରଦର୍ଶନ କରିବାକୁ ୧୧୦ରେ ଦଣ୍ଡ ଦେଇ ମୁକୁଳି ଥିବା ଓ ଏହାର ଉଲ୍ଲଘଂନ କରି ପୁଣି ଅପରାଧରେ ଜଡ଼ିତ ଅପରାଧୀ ମାନଙ୍କ ପାଇଁ କଠୋର ଆଭିମୁଖ୍ୟ ଗ୍ରହଣ କରାଯିବ ବୋଲି ଆଇନ ଶୃଙ୍ଖଳା ରକ୍ଷା ପାଇଁ ଗୁରୁତ୍ୱପୂର୍ଣ୍ଣ ବୈଠକରେ ସ୍ପଷ୍ଟ କରି ଦିଆଯାଇଛି ।
ସେହିପରି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଉପଜିଲ୍ଲାପାଳ ତଥା ଏସଡିଏମ ଭବତାରଣ ସାହୁଙ୍କ ଅଧ୍ୟକ୍ଷତା ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଯେଉଁଥିରେ ଅପରାଧ ଓ ଅପରାଧୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ସହ ସହର ତଥା ଜିଲ୍ଲାରେ ଶାନ୍ତି ପ୍ରତିଷ୍ଠା ପାଇଁ ସମସ୍ତ ପଦକ୍ଷେପ ଗ୍ରହଣ କରିବାକୁ ସେ ପରାମର୍ଶ ଦେଇଥିଲେ । ୨୬୩ ଜଣ ବଣ୍ଡ ଦେଇ ମୁକୁଳି ଥିବା ବ୍ୟକ୍ତିଙ୍କ ମଧ୍ୟରୁ ପରବର୍ତ୍ତୀ ସମୟରେ ଦେବୀଘାଟର ରୁମାନୀ ପ୍ରସାଦ ସିଂ, ମାର୍କଣ୍ଡେଶ୍ୱର ସାହିର ବାପୁନା ଓରଫ ସନ୍ତୋଷ ରାଉତ, ଲୋକନାଥ୍ ରୋଡର ଜୁଲୁ ଓରଫ ଜ୍ଞାନେନ୍ଦ୍ର ମାଣିଆ ପୁନଃ ଅପରାଧରେ ଜଡ଼ିତ ହେଉଥିବା ଜଣାଯାଇଛି ।
ଏନେଇ ସିଆରପିସି ଧାରା ୧୨୨, ୧ବି ଅନୁଯାୟୀ ଭଲ ବ୍ୟବହାର ପାଇଁ ବଣ୍ଡ ଦେଇ ମୁକୁଳି ଥିବା ବ୍ୟକ୍ତି ଯଦି ପୁଣି ଅପରାଧରେ ଜଡ଼ିତ ହୁଏ ତେବେ ବଣ୍ଡରେ ଉଲ୍ଲେଖ ୩ ବର୍ଷରୁ ବାକିଥିବା ସମୟର ସଜା ତାକୁ ଭୋଗିବାକୁ ପଡ଼ିବ ବୋଲି ଭବତାରଣ ସାହୁ ସ୍ପଷ୍ଟ କରିଛନ୍ତି । ଏପରିକି ବଣ୍ଡ ନିୟମ ଅନୁସାରେ ସଂପୃକ୍ତ ଥାନାରେ ନିର୍ଦ୍ଧାରିତ ସମୟରେ ହାଜର ନହେଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଥିଲେ । ଅତିରିକ୍ତ ଏସ ପି ପ୍ରଫୁଲ୍ଲ ଚନ୍ଦ୍ର ବଡଜେନା ଅପରାଧୀଙ୍କ ପ୍ରତି ପୋଲିସ ପ୍ରଶାସନ କଡା ନଜର ରଖିବା ସହ ଅଭ୍ୟାସଗତ ଅପରାଧୀଙ୍କ ବିରୁଦ୍ଧରେ ଆଇନ ଅନୁଯାୟୀ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଉଛି ବୋଲି ଜଣାଇଛନ୍ତି । ଅନ୍ୟ ମାନଙ୍କ ମଧ୍ୟରେ ଏସଡିପିଓ କିଶୋର କୁମାର ମୁଣ୍ଡ ସିଟି ଡିଏସପି କେକେ ହରିପ୍ରସାଦ, ସମସ୍ତ ଥାନାର ଆଇଆଇସି ପ୍ରମୁଖ ଏହି ବୈଠକରେ ଯୋଗ ଦେଇଥିଲେ ।
ଇଟିଭି ଭାରତ, ପୁରୀ