ପୁରୀ: ଜିଲ୍ଲା ଗୋପ ବ୍ଲକ ତାଳକପା ଗ୍ରାମର 6ଟି ବାରିକ ପରିବାର ବହୁବର୍ଷ ହେବ ଗ୍ରାମବାସୀଙ୍କ ଦ୍ଵାରା ବାସନ୍ଦ ହୋଇ ବାହାରେ ରହିଛନ୍ତି । ବିଭିନ୍ନ ସମୟରେ ଗ୍ରାମବାସୀ ମାନସିକ ନିର୍ଯାତନା ସହ ପରିବାରକୁ ଧମକ ଚମକ ଦେଉଥିବା ଅଭିଯୋଗ ହୋଇଛି । ଶେଷରେ ସ୍ଥାନୀୟ ପୋଲିସ ପ୍ରଶାସନ ପକ୍ଷରୁ ସହଯୋଗ ଓ ନ୍ୟାୟ ନ ମିଳିବା ପରେ ଏହି ୬ଟି ପରିବାର ଆଜି(ଶନିବାର) ପୁରୀ ଏସପିଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି ।
ବନ୍ତଳୀ ଗ୍ରାମପଞ୍ଚାୟତ ଅନ୍ତର୍ଗତ ତାଳକପା ଗାଁର ୧୦ ଘର ବାରିକ ପରିବାର ରହିଆସୁଛନ୍ତି । ଘଟଣା ଅନୁଯାୟୀ, ବାରିକ ପରିବାର ସେମାନଙ୍କ ବୃତ୍ତି କାର୍ଯ୍ୟ ବନ୍ଦ କରିବା ପରେ ବିବାଦ ଉପୁଜିଥିଲା । ଗ୍ରାମବାସୀଙ୍କର ଗୋଡ ଧୋଇବା ଓ ଶଙ୍ଖୁଡ଼ି ପତ୍ର ଉଠାଇବା ପାଇଁ ଏହି ପରିବାରଙ୍କୁ ବାଧ୍ୟ କରାଯାଉଥିଲା । ଏହି କାର୍ଯ୍ୟ କରିବାକୁ ବାରିକ ପରିବାର ରାଜି ନହେବାରୁ ସେମାନଙ୍କୁ ସାମାଜିକ ବାସନ୍ଦ ଓ ଏକଘରିକିଆ କରାଯାଇଥିବା ଅଭିଯୋଗ ହୋଇଛି ।
ଦୀର୍ଘ ୩୦ ବର୍ଷ ହେବ ବାସନ୍ଦ ହୋଇଥିଲେ ହେଁ ପୋଲିସ ଓ ଜିଲ୍ଲା ପ୍ରଶାସନ କୌଣସି ପଦକ୍ଷେପ ଗ୍ରହଣ କରୁନାହାନ୍ତି । ସେହିପରି ଗ୍ରାମବାସୀ ଜାଣିଶୁଣି ତାଙ୍କ ଘର ପାଖରେ ଅନ୍ତିମ ସତ୍କାର କରୁଥିବା ଅଭିଯୋଗ ହୋଇଛି । ଗାଁର ଏକ ସ୍ଥାୟୀ ଶ୍ମଶାନ ଥାଇ ମଧ୍ୟ ଗ୍ରାମବାସୀଙ୍କ ଏପରି କାର୍ଯ୍ୟକଳାପ ଅତିଷ୍ଠ କରୁଥିବା କହିଛନ୍ତି । ସେପଟେ ଏହା ଦୀର୍ଘଦିନର ସମସ୍ୟା ହୋଇଥିବାରୁ ସମାଧାନ ପାଇଁ ଉଦ୍ୟମ କରାଯିବ ବୋଲି ଅତିରିକ୍ତ ଏସପି କହିଛନ୍ତି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ