ପୁରୀ : ଗତ ୬ ବର୍ଷ ହେଲା ପୁରୀରେ ପୌର ପରିଷଦ ନିର୍ବାଚନ ହେଉନାହିଁ । ମୁଷ୍ଟିମେୟ ପ୍ରଶାସନିକ ଅଧିକାରୀଙ୍କ ନିକଟରେ କ୍ଷମତାକେନ୍ଦ୍ରିତ ହୋଇରହିଛି । ନିର୍ବାଚିତ ଜନପ୍ରତିନିଧି ନଥିବା କାରଣରୁ ଜନସାଧାରଣ ବିଭିନ୍ନ ସମସ୍ୟା ଭୋଗୁଛନ୍ତି ଏବଂ ନିଜର ସମସ୍ୟା ଉପସ୍ଥାପନ କରିପାରୁନାହାନ୍ତି । ରାସ୍ତାଘାଟ ବିପର୍ଯ୍ୟସ୍ତ ହୋଇପଡ଼ିଥିବା ବେଳେ ମଶା ତେଲ ପଡ଼ୁନଥିବାରୁ ଅଞ୍ଚଳରେ ମଶାଙ୍କ ଉପଦ୍ରବ ବଢ଼ିଛି । ନିୟମିତ ଅନ୍ତରାଳରେ ନାଳ ନର୍ଦ୍ଦମା ମଧ୍ୟ ସଫା ହେଉନାହିଁ ।
ପୁରୀରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ‘ଶ୍ରୀକ୍ଷେତ୍ର ବଞ୍ଚାଅ ଅଭିଯାନ’ ଅନୁଷ୍ଠାନର ସଭାପତି ଶ୍ରୀକାନ୍ତ ପରିଜା ଆନ୍ଦୋଳନ ନେଇ ସୂଚନା ଦେଇଛନ୍ତି । କହିଛନ୍ତି, "ଏହି ସବୁ ପ୍ରସଙ୍ଗ ନେଇ ‘ଶ୍ରୀକ୍ଷେତ୍ର ବଞ୍ଚାଅ ଅଭିଯାନ’ ପୁରୀ ପୌରପାଳିକାକୁ ଘେରିବ । ବିଭିନ୍ନ ୱାର୍ଡ ବୁଲି ନାନାଦି ସମସ୍ୟା ସବୁକୁ ସାମ୍ନାକୁ ଆଣିବ । ପୁରୀର ଅନ୍ୟ ପ୍ରମୁଖ ସମସ୍ୟା ସମ୍ପର୍କରେ ମଧ୍ୟ ଅନୁଷ୍ଠାନ ସ୍ବର ଉଠାଇବ । ସହର ସଫେଇ କାମରେ ନିୟୋଜିତ ଏଜେନ୍ସି କୋଟିକୋଟି ଟଙ୍କା ହରିଲୁଟ କରୁଛନ୍ତି । ନିମ୍ନମାନର ମଶା ତେଲ, ମଶାଧୂଆଁ ଓ ବ୍ଲିଚିଂ ବ୍ୟବହାର କରାଯାଉଛି । ପେବର ବ୍ଳକ୍ ରାସ୍ତାରେ କୋଟି କାଟି ଖର୍ଚ୍ଚ ହୋଇଛି । ହେଲେ ୬ ମାସ ମଧ୍ୟରେ ଏହି ରାସ୍ତା ସବୁ ନଷ୍ଟ ହୋଇଯାଉଛି । ସମସ୍ତ କ୍ଷେତ୍ରରେ ନିମ୍ନ ମାନର କାମ ହେଉଛି ।
ଏହା ମଧ୍ୟ ପଢନ୍ତୁ... 5T ଅଧ୍ୟକ୍ଷଙ୍କ ଶ୍ରୀମନ୍ଦିର ପରିଦର୍ଶନ; ପରିକ୍ରମା ପ୍ରକଳ୍ପର ସମୀକ୍ଷା, ଦର୍ଶନ ବ୍ୟବସ୍ଥା ଉପରେ ଗୁରୁତ୍ଵ
ଜନସାଧାରଣଙ୍କ ଟିକସ ଟଙ୍କାକୁ ପୌରପାଳିକା ଠିକ୍ ଉପାୟରେ ବିନିଯୋଗ କରୁନାହିଁ । ସ୍ୱେରେଜ ବୋର୍ଡ ଠିକ୍ ଭାବରେ କାର୍ଯ୍ୟ କରୁନଥିବା ବେଳେ ସହରରେ ବିଦ୍ୟୁତ ବିଭାଗର ଜୁଲମ ମଧ୍ୟ ବଢ଼ି ଚାଲିଛି । ସହରର ୮୦ ଭାଗ ଲୋକଙ୍କର ଜଗନ୍ନାଥ ଜମି ସମସ୍ୟାର ସମାଧାନ ହୋଇପାରିନାହିଁ । ଉଠା ଦୋକାନୀଙ୍କ ସମସ୍ୟାର ସ୍ଥାୟୀ ସମାଧାନ ହେଉନି ବୋଲି ଅନୁଷ୍ଠାନ ପକ୍ଷରୁ ଅଭିଯୋଗ କରାଯାଇଛି ।
ପୁରୀବାସୀଙ୍କ ଅନେକ ସମସ୍ୟା ଦେଇ ଗତି କରୁଛନ୍ତି ହେଲେ ପ୍ରଶାସନ ଆଖିରେ କଳା ଚଷମା ପିନ୍ଧି ସେସବୁକୁ ଅଣଦେଖା କରୁଛି । ସେସବୁକୁ ପ୍ରଶାସନର ଦୃଷ୍ଟିକୁ ଅଣାଯିବ ବୋଲି ଏହି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ବୁଦ୍ଧିଜୀବୀ ମାନେ ମତ ଦେଇଥିଲେ । ଏହି ସଭାରେ ଅନୁଷ୍ଠାନର ଉପାଦେଷ୍ଟା ରାଜେଶ ମିଶ୍ର, ସଂପାଦକ କାଳିପ୍ରସାଦ ନାୟକଙ୍କ ସମେତ ଦେବାଶିଷ ସାମଲ, ହରପ୍ରିୟା ପରିଜା, ଅବନି କୁମାର ଦାସ ଓ ପବିତ୍ର ମୋହନ ଦଳେଇ ପ୍ରମୁଖ ଉପସ୍ଥିତ ଥିଲେ ।
ଇଟିଭି ଭାରତ, ପୁରୀ