ପୁରୀ: ଜିଲ୍ଲାରେ ଥିବା ଅର୍ବାନ ହାଟକୁ ବିଜୁ ସ୍ମୃତି ପୀଠ କରିବା ନେଇ ଦାବି । ଏଥିସହ ବିଜୁ ବାବୁଙ୍କ ସ୍ମୃତିରେ ଥିବା ଡାକୋଟା ବିମାନକୁ ଆଣି ଅର୍ବାନ ହାଟ ପରିସରରେ ରଖାଯାଇ ଏହାକୁ ଏକ ଦର୍ଶନୀୟ ସ୍ଥାନ ଭାବେ କରିବାକୁ ସାଧାରଣରେ ଦାବି ହୋଇଛି ।
ବିଜୁ ଜୟନ୍ତୀ ଅବସରରେ ଏହି ଦାବି କରିଛି ପୁରୀର ଶ୍ରୀଜଗନ୍ନାଥ ସେନା । ଆଜି(ଶୁକ୍ରବାର) ବିଜୁ ଜୟନ୍ତୀ ଅବସରରେ ଶ୍ରୀଜଗନ୍ନାଥ ସେନା ପକ୍ଷରୁ ପୂର୍ବରୁ ସ୍ଵର୍ଗଦ୍ୱାରରୁ ବିଜୁ ବାବୁଙ୍କ ସମାଧି ପୀଠରୁ ସଂଗୃହିତ ଚିତାଭସ୍ମ ସଂଗ୍ରହ କରାଯାଇ ଅର୍ବାନ ହାଟରେ ରଖାଯାଇଛି । ସେଠାରେ ବିଜୁ ଜୟନ୍ତୀ ଅବସରରେ ଦୀପ ଦାନ ଅନୁଷ୍ଠିତ ହୋଇଥିଲା । ଶ୍ରୀଜଗନ୍ନାଥ ସେନା କହିଛି ଯେ, ଅର୍ବାନ ହାଟ ପରିତ୍ୟକ୍ତ ଅବସ୍ଥାରେ ରହିଛି । ଏଠାରେ ନାନା ଅସାମାଜିକ ଲୋକ ନିଶାଦ୍ରବ୍ୟ ସେବନ କରି ପରିବେଶ ନଷ୍ଟ କରି ଦେଲେଣି ।
ତେଣୁ ସ୍ୱର୍ଗଦ୍ୱାରରେ ଥିବା ବିଜୁ ସମାଧି ପୀଠ ଉଛେଦ ପରେ ଅର୍ବାନ ହାଟ ଭଳି ଏକ ବଡ଼ ସୁନ୍ଦର ସ୍ଥାନକୁ ବିଜୁ ସ୍ମୃତି ପୀଠ ଭାବେ ପରିଣତ କରିବାକୁ ସଙ୍ଗଠନ ଦାବି କରିଛି । ଏହା ଦ୍ୱାରା କଳିଙ୍ଗର ବରପୁତ୍ରଙ୍କୁ ପ୍ରକୃତ ସମ୍ମାନ ମିଳିବା ସହ ଲୋକେ ବିଜୁ ବାବୁଙ୍କ ଆଦର୍ଶ, ନୀତି ବିଷୟରେ ଅବଗତ ହୋଇପାରିବେ । ଏଥିସହ ବିଜୁ ବାବୁଙ୍କୁ ଭାରତ ରତ୍ନ ପ୍ରଦାନ ନିମନ୍ତେ ଶ୍ରୀଜଗନ୍ନାଥ ସେନା ଦାବି କରିଛି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ