ପୁରୀ: ଫେରିଲା ମହାପ୍ରଭୁଙ୍କ ସୂର୍ଯ୍ୟ ଚନ୍ଦ୍ର । ମହାପ୍ରଭୁଙ୍କ ନାଗାର୍ଜୁନ ବେଶରେ ଲାଗିଥିବା ସୂର୍ଯ୍ୟ ଚନ୍ଦ୍ର ଫେରାଇଛନ୍ତି ସେବାୟତ । ତେବେ ବଡଠାକୁରଙ୍କ ନାଗାର୍ଜୁନ ବେଶରୁ ସୂର୍ଯ୍ୟ ଚନ୍ଦ୍ର ଗାଏବ ହେବା ଘଟଣା ପରେ ଜୋରଦାର ତନାଘନା ଆରମ୍ଭ ହୋଇଥିଲା । ଶୁକ୍ରବାର ଜଗନ୍ନାଥଙ୍କ ଏହି ବେଶ ସାମଗ୍ରୀକୁ ଫେରାଇଛନ୍ତି ସେବାୟତ ।
ଠାକୁରଙ୍କୁ ଲାଗୁ ହୋଇଥିବା ବେଶ ସଂଗ୍ରହାଳୟରେ ରଖାଯିବ ବୋଲି ପୂର୍ବରୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ହୋଇଥିଲା । ଛତିଶା ନିଯୋଗ ଓ ପରିଚାଳନା କମିଟି ବୈଠକରେ ସର୍ବସମ୍ମତି କ୍ରମେ ଏହି ନିଷ୍ପତ୍ତି ହୋଇଥିବା ବେଳେ କାହା ନିର୍ଦ୍ଦେଶରେ ସେବାୟତଙ୍କ ଘରକୁ ସୂର୍ଯ୍ୟ ଚନ୍ଦ୍ର ଗଲା ତାହାକୁ ନେଇ ପ୍ରଶ୍ନ ଉଠିଥିଲା । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ ଓ ନୀତି ପ୍ରଶାସକ ବେଶ ସରିବା ପରେ ସରଞ୍ଜାମକୁ କେଉଁଠି ରଖାଯାଇଥିଲା ଓ ଏହା ମନ୍ଦିର ବାହାରକୁ ଯାଇଛି କି ନାହିଁ ସେ ଦିଗରେ ତଦନ୍ତ କରିଥିଲେ । ଏନେଇ ଖବର ପ୍ରସାରଣ କରାଯାଇଥିଲା ।
ଆଜି (ଶୁକ୍ରବାର) ମହାପ୍ରଭୁଙ୍କ ସୂର୍ଯ୍ୟ ଚନ୍ଦ୍ର ଫେରାଇଛନ୍ତି ସେବାୟତ । ଏହି ଘଟଣାରେ ତଦନ୍ତ ଚାଲିଛି । ତଦନ୍ତ ପରେ ପଦକ୍ଷେପ ନିଆଯିବ ବୋଲି ଶ୍ରୀମନ୍ଦିର ନୀତି ପ୍ରଶାସକ କହିଛନ୍ତି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ