ପୁରୀ: ରାଜ୍ୟରେ ଅନ୍ତିମ ପର୍ଯ୍ୟାୟ ନିର୍ବାଚନକୁ ଆଉ ଗୋଟିଏ ଦିନ ବାକି ରହିଛି । ଜଗତସିଂହପୁର ଲୋକସଭା ଅଧୀନରେ ଆସୁଥିବା ପୁରୀର ନିମାପଡା ଓ କାକଟପୁର ବିଧାନସଭା ଆସନ ନିର୍ବାଚନ ପାଇଁ ସମସ୍ତ ପ୍ରାର୍ଥୀ ନିଜର ଜୋର ଲଗାଇ ଦେଇଛନ୍ତି ।
ଶେଷ ପ୍ରଚାର ଦିନରେ ଜୋରଦାର ପ୍ରଚାର କରି ନିମାପଡା ନିର୍ଵାଚନ ମଣ୍ଡଳୀ ଜନସାଧାରଣଙ୍କୁ ନିଜ ସପକ୍ଷକୁ ନେବାକୁ 3 ପ୍ରମୁଖ ଦଳ ଉଦ୍ୟମ କରୁଛନ୍ତି । ପ୍ରାର୍ଥୀମାନେ ଶନିବାର ରୋଡ଼ ସୋ କରିବା ସହ ଡୋର ଟୁ ଡୋର କ୍ୟାମ୍ପେନ କରିଛନ୍ତି । ବିଜେଡି ନବୀନ ସରକାରଙ୍କ ବିକାଶର ମୁଦ୍ଦାକୁ ନେଇ ନିର୍ବାଚନ ଲଢ଼ୁଥିବା ବେଳେ ବିଜେପି ଓ କଂଗ୍ରେସ ବିଜେଡିର ଦୁର୍ନୀତି, ଭ୍ରଷ୍ଟାଚାର, ନାରୀ ସୁରକ୍ଷା, ବେକାରୀ ସମସ୍ୟାକୁ ନେଇ ନିର୍ବାଚନ ମଇଦାନରେ ଲଢେ଼ଇ କରୁଛନ୍ତି ।
ନିମାପଡାରେ ବିଜେଡିର ସମୀର ରଞ୍ଜନ ଦାଶ ନିର୍ଵାଚନ ଲଢୁଥିବା ବେଳେ ବିଜେପି ପ୍ରଭାତୀ ପରିଡାଙ୍କୁ ଟିକେଟ ଦେଇ ବିଜେଡିର ଏହି ଗଡ ଦଖଲ କରିବାକୁ ପ୍ରୟାସ ଜାରି ରଖିଛି । ଅନ୍ୟପକ୍ଷରେ କଂଗ୍ରେସ ପ୍ରଥମଥର ଭାବରେ ଦିଲ୍ଲିପ ନାୟକଙ୍କ ଉପରେ ଭରସା ରଖି ନିର୍ଵାଚନ ଲଢୁଥିବା ବେଳେ ନିମାପଡାରେ ତ୍ରିମୁଖୀ ଲଢେଇ ହେବାର ଅନୁମାନ କରାଯାଉଛି ।
ବିଜୁ ଜନତା ଦଳକୁ ଜିତାଇବାପାଇଁ ଓଡିଶା ତଥା ନିମାପଡାର ଜନସାଧାରଣ ନିଷ୍ପତ୍ତି ନେଇସାରିଥିବା ବେଳେ ବହୁମତରେ ବିଜେଡି ନିମାପଡାରୁ ଜିତିବ ବୋଲି ବିଜେଡି ପ୍ରାର୍ଥୀ ସମୀର ରଞ୍ଜନ ଦାସ ପ୍ରତିକ୍ରିୟା ଦେଇଛନ୍ତି । ସେହିପରି ବିଜେପି ପ୍ରାର୍ଥୀ ପ୍ରଭାତୀ ପରିଡା ନିମାପଡା ଓ ଗୋପବାସୀଙ୍କୁ ଧନ୍ୟବାଦ ଦେବା ସହିତ ବିଜେପି ଚୌକିଦାର ସାଜି ଜନସାଧାରଙ୍କ ସେବା କରିବ ବୋଲି କହିଛନ୍ତି ।
ଅନ୍ୟପକ୍ଷରେ କଂଗ୍ରେସର ମୁଖ୍ୟ ପ୍ରତିଦ୍ବନ୍ଦୀ ଶଂଙ୍ଖ ରହିଥିବା ବେଳେ ପଦ୍ମ ମିଳାଇଯିବ ବୋଲି କଂଗ୍ରେସ ପ୍ରାର୍ଥୀ ଦିଲ୍ଲିପ ନାୟକ କହିଛନ୍ତି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ