ପୁରୀ: ବିଜେଡିରେ ପୁଣି ଥରେ ବଢୁଛି ସଞ୍ଜୟ ଦାସବର୍ମାଙ୍କ ଦବଦବା । ବ୍ରହ୍ମଗିରି ଆସନରୁ ପୁଣି ସଞ୍ଜୟ ପ୍ରାର୍ଥୀ ହେବା ନେଇ ବରିଷ୍ଠ ନେତାଙ୍କ ପରୋକ୍ଷ ଇଶାରା ପରେ ଚର୍ଚ୍ଚା ଜୋର ଧରିଛି । ବିଜେଡିରେ କିଛିଦିନ ହେବ କଣଠେସା ହୋଇ ରହିଥିବା ବରିଷ୍ଠ ନେତା ସଞ୍ଜୟ ଦାସବର୍ମାଙ୍କ ଦବଦବା ପୁଣି ବଢିଛି । କିଛି ଦିନ ତଳେ ବିଜେଡ଼ିର ସୁପ୍ରିମୋ ନବୀନ ପଟ୍ଟନାୟକ ସଞ୍ଜୟଙ୍କ ଉପରେ ପୁଣି ଆସ୍ଥା ପ୍ରକଟ କରି ସଞ୍ଜୟଙ୍କୁ ଭଦ୍ରକ ଜିଲ୍ଲା ପର୍ଯ୍ୟବେକ୍ଷକ ଭାବେ ନୂଆ ଦାୟିତ୍ଵ ଦେଇଛନ୍ତି । ସେପଟେ "ବ୍ରହ୍ମଗିରିରେ ଆଗାମୀ ନିର୍ବାଚନରେ ବିଜେଡ଼ିର କିଏ ପ୍ରାର୍ଥୀ ହେବ ?" ପ୍ରଶ୍ନର ଉତ୍ତର ଦେଇ ବରିଷ୍ଠ ନେତା ଲେନିନ ମହାନ୍ତି ପରୋକ୍ଷରେ ସଞ୍ଜୟଙ୍କ ଆଡ଼କୁ ଇସାରା କରିଛନ୍ତି ।
ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀରେ ବିଜେଡିର 3 ଦିନିଆ ପ୍ରଶିକ୍ଷଣ ଶିବିରରେ ଯୋଗ ଦେଇ ଲେନିନ ମହାନ୍ତି କହିଛନ୍ତି, "ପ୍ରଶିକ୍ଷଣ ଶିବିରର ନେତୃତ୍ୱ ସଞ୍ଜୟ ନେଉଛନ୍ତି ।" ଲେନିନଙ୍କ ଏଭଳି ବକ୍ତବ୍ୟ ରାଜନୈତିକ ପାଣିପାଗକୁ ଉଷ୍ମ କରିଦେଇଛି । ଗତ କିଛି ମାସ ତଳେ ବିଜେଡ଼ିରର ଶୀର୍ଷ ନେତୃତ୍ଵଙ୍କ ସହ ସଞ୍ଜୟ ଦାସ ବର୍ମାଙ୍କ ମତ ପାର୍ଥକ୍ୟ ସୃଷ୍ଟି ହୋଇଥିଲା। ଯାହାକି ବେଶ ଚର୍ଚ୍ଚାର ବିଷୟ ହୋଇଥଲା। ଏପରିକି ବିଜେଡିର ଦଳୀୟ କାର୍ଯ୍ୟକ୍ରମରେ ସଞ୍ଜୟକୁ ଦେଖିବାକୁ ମିଳିନଥିଲା । ଏଣୁ ସଞ୍ଜୟଙ୍କ ବଦଳରେ ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀରେ ଆଗାମୀ ନିର୍ବାଚନରେ ଆଉ ଜଣେ ନୂଆ ମୁହଁ ବିଜେଡି ପ୍ରାର୍ଥୀ ଦେଇପାରେ ବୋଲି ଚର୍ଚ୍ଚା ହୋଇଥଲା । ହେଲେ ଲେନିନ ମହାନ୍ତିଙ୍କ ବୟାନ ପରେ ମତ ପାର୍ଥକ୍ୟ ଦୂର ହୋଇଥିବା ନେଇ ଚର୍ଚ୍ଚା ହେଉଛି ।
ଏହା ବି ପଢନ୍ତୁ...ପୁରୀ ବିଜେଡିରେ ଫାଟ, ସଞ୍ଜୟଙ୍କ ପରେ ମହେଶ୍ବରଙ୍କ ତେରେଚ୍ଛା ବାଣକୁ ନେଇ ଚର୍ଚ୍ଚା
ସୂଚନା ଅନୁସାରେ, ବିଜେଡିର ଏହି ୩ ଦିନିଆ ପ୍ରଶିକ୍ଷଣ ଶିବିରରେ କର୍ମୀଙ୍କୁ ତାଲିମ ଦିଆଯିବ। ରାଜ୍ୟ ସରକାରଙ୍କ ଜନ କଲ୍ୟାଣକାରୀ ଯୋଜନା ଲୋକଙ୍କ ନିକଟରେ ପହଞ୍ଚାଇ ଆହୁରି ସମର୍ଥନ ହାସଲ କରିବା ପାଇଁ କର୍ମୀମାନେ ପ୍ରଚେଷ୍ଟା କରିବେ । ଆଉ ବିରୋଧୀଙ୍କୁ କିଭଳି ମୁକାବିଲା କରିବେ ସେନେଇ ପ୍ରଶିକ୍ଷଣ ଦିଆଯିବ । ସେପଟେ ସଞ୍ଜୟ ଦାସ ବର୍ମା କହିଛନ୍ତି, "ଦଳ ଯାହା ଦାୟିତ୍ଵ ଦେବ ସୁଚାରୁରୂପେ କାର୍ଯ୍ୟ କରିବି । ବିଜେଡି ସବୁବେଳେ ନିର୍ବାଚନ ପାଇଁ ପ୍ରସ୍ତୁତ ରହିଥାଏ । ଏଣୁ ଆଗାମୀ ନିର୍ବାଚନ ପାଇଁ ମଧ୍ୟ ଦଳ ପ୍ରସ୍ତୁତ ରହିଛି ।" ତେବେ ଗତ 2019 ନିର୍ବାଚନରେ ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀରେ ବରିଷ୍ଠ ବିଜେଡି ନେତା ସଞ୍ଜୟ ଦାସ ବର୍ମା ବିଜେପି ପ୍ରାର୍ଥୀ ଲଲିଟେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କ ଠାରୁ ହାରିଥିଲେ ।
ଇଟିଭି ଭାରତ, ପୁରୀ