ପୁରୀ: ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଛି ଶ୍ରୀମନ୍ଦିର ଅର୍ଥ ସବ୍ କମିଟି ବୈଠକ । ବୈଠକରେ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ବଜେଟ ଅଟକଳ ସହ ୨୦୨୨-୨୩ ଆର୍ଥିକ ବର୍ଷର ସଂଶୋଧିତ ବିବରଣୀ ସମ୍ପର୍କରେ ଆଲୋଚନା କରାଯାଇଛି । ଆଗାମୀ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ବଜେଟ ଅନୁମୋଦିତ କରାଯିବ । ତେବେ ୩୦୦ କୋଟି ୭୯ ଲକ୍ଷ ଟଙ୍କାର ଆୟ ରହିଥିବା ବେଳେ ବଜେଟରେ ୨୬୨ କୋଟି ୪୯ ଲକ୍ଷ ଟଙ୍କାର ବ୍ୟୟ ଅଟକଳ କରାଯାଇଛି ।
ଆଜିର ଶ୍ରୀମନ୍ଦିର ଅର୍ଥ ସବ୍ କମିଟି ବୈଠକରେ ୩୮ କୋଟି ୩୦ ଲକ୍ଷ ଟଙ୍କାର ବଳକା ବଜେଟ ପ୍ରସ୍ତୁତ କରାଯାଇଛି । ରାଜ୍ୟ ସରକାରଙ୍କ ସୂତ୍ରରୁ ୧୧୮ କୋଟି ୯୪ ଲକ୍ଷ, କର୍ପସ ଫଣ୍ଡ ସୁଧରୁ ୬୦ କୋଟି ୩୨ ଲକ୍ଷ ମିଳିବ । ସେହିପରି ବ୍ୟୟ ଅଟକଳ ମଧ୍ୟରେ ରଥଯାତ୍ରା ଓ ସ୍ନାନଯାତ୍ରା ପାଇଁ ୧୬.୬୨ କୋଟି, କର୍ପସ ଫଣ୍ଡ ଜମା ବାବଦରେ ୫୯.୪୬ କୋଟି, ପାଳିଆ ସେବାୟତଙ୍କୁ ପୁରସ୍କାର ବାବଦରେ ୧୮ କୋଟି ଟଙ୍କା ଖର୍ଚ୍ଚ ହେବ । ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବ ଏନେଇ ସୂଚନା ଦେଇଛନ୍ତି । ଏହି ବୈଠକରେ ଚାଟାର୍ଡ ଆକାଉଣ୍ଟାଣ୍ଟ ଓ ଅର୍ଥ ସବ୍ କମିଟିର ସଦସ୍ୟ ଯୋଗଦେଇଥିଲେ । ଗତ ୨୦୨୨-୨୩ ବର୍ଷ ପାଇଁ ଶ୍ରୀମନ୍ଦିର ପରିଚାଳନା କମିଟିରେ ୨୪୮ କୋଟି ୫୧ ଲକ୍ଷ ଟଙ୍କାର ବଜେଟ ପାରିତ ହୋଇଥିଲା । ବଜେଟରେ ବିଭିନ୍ନ ଯାନିଯାତ୍ରା, ପାଳିଆ ସେବକ ପାଉଣା, କର୍ମଚାରୀଙ୍କ ଦରମା, କର୍ପସ ଫଣ୍ଡ ଜମା ଆଦି ବିଭିନ୍ନ ସଂକ୍ରାନ୍ତରେ ଖର୍ଚ୍ଚ ନେଇ ଆଲୋଚନା ହୋଇଛି । ଏହାସହ ହୁଣ୍ଡିରୁ ଆମଦାନୀ, ବିଭିନ୍ନ କର୍ପସ ଫଣ୍ଡର ସୁଦ୍ଧ, ସରକାରୀ ଅନୁଦାନ, ଜମି ଅଧିଗ୍ରହଣ ସହାୟତା ରାଶି ଦିଗରୁ ଆୟ ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଛି ।
ସେପଟେ ଶ୍ରୀମନ୍ଦିରର ଆୟ କିଭଳି ବୃଦ୍ଧି ହୋଇ ପାରିବ ସେନେଇ ବୈଠକରେ ଅଲୋଚୋନା ହୋଇଥିଲା । କେବଳ ମହାପ୍ରଭୁଙ୍କର ବ୍ୟାଙ୍କ୍ ଡିପୋଜିଟ ଟଙ୍କାର ସୁଧ ଅର୍ଥରୁ ନଚଳି ଅଧିକରୁ ଅଧିକ କିଭଳି ରାଜସ୍ବ ଆୟ ବୃଦ୍ଧି ହେବ ସେନେଇ ବୈଠକରେ ପ୍ରସଙ୍ଗ ଉଠିଥିଲା । ଭକ୍ତ ମାନଙ୍କ ପାଇଁ ମାଗଣା ଜୋତା ଷ୍ଟାଣ୍ଡ, ବରିଷ୍ଠ ଦିବ୍ୟାଙ୍ଗ ଭକ୍ତଙ୍କ ପାଇଁ ମାଗଣାରେ ବ୍ୟାଟେରି ଗାଡ଼ି ବ୍ୟବସ୍ଥା ବାବଦରେ ଶ୍ରୀମନ୍ଦିର ପ୍ରଶାସନ ବାର୍ଷିକ ୫ କୋଟି ଟଙ୍କା ଖର୍ଚ୍ଚ ହେଉଛି । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଶେଷ ପରେ ଭକ୍ତଙ୍କ ସୁବିଧା ପାଇଁ ହେବାକୁ ଥିବା ଆନୁଷଙ୍ଗିକ ବ୍ୟବସ୍ଥା ପାଇଁ ବାର୍ଷିକ ୫୦ କୋଟି ଟଙ୍କା ଖର୍ଚ୍ଚ ହେବାର ଅନୁମାନ କରାଯାଉଛି । ଏହି ସବୁ ଆର୍ଥିକ ବୋଝକୁ କମାଇବା ପାଇଁ ସରକାରଙ୍କ ସହ ଆଲୋଚନା ହେବ । ସେହିପରି ମହାପ୍ରଭୁଙ୍କ କେତେକ ସମ୍ପତ୍ତି ପାଇଁ ସରକାର ଖଜଣା ନେଉଥିବା ବେଳେ ଏହାକୁ ସମ୍ପୂର୍ଣ୍ଣ ଛାଡ କରାଯିବା ନେଇ ସରକାରଙ୍କ ପ୍ରସ୍ତାବ ଦିଆଯିବ ବୋଲି ଆଲୋଚନା ହୋଇଛି । ଏହା ସହିତ ଅନଲାଇନ୍ରେ ଅଧିକରୁ ଅଧିକ ଦାନ ସଂଗ୍ରହ କରିବା ବ୍ୟବସ୍ଥା, ପ୍ରତି ଜିଲ୍ଲା ମୁଖ୍ୟାଳୟରେ ଦାନ କେନ୍ଦ୍ର ଖୋଲିବା, ମହାପ୍ରଭୁଙ୍କ ନୀତିକାନ୍ତି ପାଇଁ ଚନ୍ଦନ କାଠ ଓ ସୁନା ଭକ୍ତଙ୍କ ଠାରୁ ଦାନ ସୂତ୍ରରେ ଆଣିବା ବ୍ୟବସ୍ଥା କରିବା ନେଇ ଆଲୋଚୋନା ହୋଇଛି ।
ତେବେ ସବୁଠୁ ଗୁରୁତ୍ବପୁର୍ଣ୍ଣ କଥା ହେଉଛି ଗର୍ଭଗୃହରେ ମୂଷା ଉପଦ୍ରବ କମାଇବା ପାଇଁ ମେସିନ ସ୍ଥାପନ ବ୍ୟବସ୍ଥାକୁ ଗ୍ରହଣ କରିନାହାନ୍ତି ଶ୍ରୀମନ୍ଦିର ପରିଚାଳନା କମଟି ସଦସ୍ୟ । ଏହି ମେସିନରୁ ଅଧିକ ଶବ୍ଦ ବାହାରୁଥିବାରୁ ମହାପ୍ରଭୁଙ୍କ ନିଦ୍ରାରେ ବ୍ୟଘାତ ସୃଷ୍ଟି ଆଶଙ୍କାକୁ ନେଇ ମୂଷା ଧରା ମେସିନ ଗର୍ଭଗୃହରେ ସ୍ଥାପନ ସମ୍ଭବ ନୁହେଁ ବୋଲି ଶ୍ରୀମନ୍ଦିର ପରିଚାଳନା କମଟି ସଦସ୍ୟ କହିଛନ୍ତି । ପୂର୍ବରୁ ଯେଉଁଭଳି ପାରମ୍ପରିକ ପଦ୍ଧତି ଅନୁଯାୟୀ ଯନ୍ତା ବସାଯାଉଥିଲା, ସେହି ପଦ୍ଧତି ଜାରି ରହିବ ବୋଲି ଶ୍ରୀମନ୍ଦିର ପରିଚାଳନା କମଟି ସଦସ୍ୟ ମତ ରଖିଛନ୍ତି ।
ଇଟିଭି ଭାରତ, ପୁରୀ