ପୁରୀ: ଖୁବଶୀଘ୍ର ଆରମ୍ଭ ହେବ ସାକ୍ଷୀଗୋପାଳ ମନ୍ଦିର ବିକାଶ ପ୍ରକଳ୍ପ । ସେବାୟତଙ୍କ ସହ ବୈଠକ କଲେ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା । ଠାକୁରଙ୍କ ଚନ୍ଦନ ପୋଖରୀଠାରୁ ମନ୍ଦିରର ଚାରିପାଖ ଉନ୍ନୟନ ନେଇ ଆଲୋଚନା । ସତ୍ୟବାଦୀରେ ଓଡ଼ିଆ ବିଶ୍ବବିଦ୍ୟାଳୟ ଏବଂ ଏହା ସହିତ ଉତ୍କଳମଣି ଗୋପବନ୍ଧୁଙ୍କ ଜନ୍ମପୀଠର ବିକାଶ କାର୍ଯ୍ୟ ଚାଲିଥିବା ବେଳେ ସାକ୍ଷୀଗୋପାଳ ମନ୍ଦିର ଓ ଏହାର ସଂଲଗ୍ନ ବକୁଳବନର ବିକାଶ ଯୋଜନା ରହିଛି ।
ରାଜ୍ୟର ଅନ୍ୟତମ ପ୍ରସିଦ୍ଧ ପୁରୀ ସାକ୍ଷୀଗୋପାଳ ମନ୍ଦିରର ବିକାଶ କାମ ଖୁବ୍ ଶୀଘ୍ର ଆରମ୍ଭ ହେବ । ସାକ୍ଷୀଗୋପାଳ ଠାକୁରଙ୍କ ଚନ୍ଦନ ପୋଖରୀଠାରୁ ମନ୍ଦିର ଚାରିପାଖ ଉନ୍ନୟନ କରାଯିବ । ଏହା ସହିତ ଐତିହାସିକ ବକୁଳବନ, ପଞ୍ଚସଖା ସ୍ମୃତି ପାଠାଗାର, ଖେଳପଡ଼ିଆ, ଶ୍ରୀ ସିଦ୍ଧବକୁଳ ପୀଠକୁ ଏହି ପ୍ରକଳ୍ପରେ ସାମିଲ କରାଯାଇ ଆକର୍ଷଣୀୟ କରାଯିବା । ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ସାକ୍ଷୀଗୋପାଳ ଠାକୁରଙ୍କ ସେବାୟତମାନଙ୍କ ସହିତ ଏନେଇ ଆଲୋଚନା କରିଛନ୍ତି ।
ପ୍ରସ୍ତୁତ କରାଯାଇଥିବା ପ୍ରକଳ୍ପର ରୂପରେଖ ଅନୁଧ୍ୟାନ କରି ପଦକ୍ଷେପ ଗ୍ରହଣ କରିବା ନିମନ୍ତେ ଉପସ୍ଥିତ ଅଧିକାରୀମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ପ୍ରକଳ୍ପରେ କ୍ଷତିଗ୍ରସ୍ତ ସେବାୟତ ପରିବାରଙ୍କ ଥଇଥାନ ପ୍ରତି ମଧ୍ୟ ଗୁରୁତ୍ବ ଦେବାକୁ ଜିଲ୍ଲାପାଳ କହିଥିଲେ । ସତ୍ୟବାଦୀରେ ଓଡ଼ିଆ ବିଶ୍ବବିଦ୍ୟାଳୟ ଏବଂ ଏହା ସହିତ ଉତ୍କଳମଣି ଗୋପବନ୍ଧୁଙ୍କ ଜନ୍ମପୀଠର ବିକାଶ କାର୍ଯ୍ୟ ଚାଲିଥିବା ବେଳେ ସାକ୍ଷୀଗୋପାଳ ମନ୍ଦିର ଓ ଏହାର ସଂଲଗ୍ନ ବକୁଳବନର ବିକାଶ ଯୋଜନା ରହିଛି ।
ଇଟିଭି ଭାରତ, ପୁରୀ