ପୁରୀ: ପର୍ଯ୍ୟଟକଙ୍କ ପାଇଁ ମୃତ୍ୟୁର ଯନ୍ତା ପାଲଟିଛି କି ପୁରୀ ସମୁଦ୍ର । ଗତ 3 ଦିନ ଭିତରେ ଚାରୋଟି ଜୀବନ ଚାଲିଯାଇଛି । ସମୁଦ୍ର ସ୍ନାନ ବେଳେ ଭାସିଯାଇ ଅନେକ ନିରୀହ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟୁଛି । ପର୍ଯ୍ୟଟକମାନଙ୍କ ମଧ୍ୟରେ ସଚେତନତା ଅଭାବ ଏବଂ ପୁରୀ ଜିଲ୍ଲା ପ୍ରଶାସନର ବେପରୁଆ ମନୋଭାବ ଯୋଗୁଁ ସମୁଦ୍ରରେ ଦିନକୁ ଦିନ ଅଘଟଣ ବୃଦ୍ଧି ପାଉଥିବା ଦାବି ହେଉଛି । ଗତ ବୁଧବାର ଓ ଗୁରୁବାର ପଶ୍ଚିମବଙ୍ଗରୁ ପୁରୀ ଆସିଥିବା ଚାରି ପର୍ଯ୍ୟଟକ ସମୁଦ୍ର ସ୍ନାନ ବେଳେ ବୁଡ଼ି ଯାଇ ମୃତ୍ୟୁବରଣ କରିଛନ୍ତି ।
ପର୍ଯ୍ୟଟକଙ୍କ ମୃତ୍ୟୁ ଏବେ ଚିନ୍ତାର ବିଷୟ ପାଲଟିଛି । ପୁରୀ ଧାମକୁ ମହାପ୍ରଭୁଙ୍କ ଦର୍ଶନ ପାଇଁ ରାଜ୍ୟ ତଥା ରାଜ୍ୟ ବାହାରୁ ଲକ୍ଷାଧିକ ଶ୍ରଦ୍ଧାଳୁ ଧାଇଁ ଆସନ୍ତି । ଆଶା ମହାପ୍ରଭୁଙ୍କ ଦର୍ଶନର ସାନିଧ୍ୟ ଲାଭ କରି ମହୋଦଧିରେ ସ୍ନାନ କରିବେ । କିନ୍ତୁ ପୁରୀ ସମୁଦ୍ର ଏବେ ପର୍ଯ୍ୟଟକଙ୍କ ପାଇଁ କାଳ ସାଜିଛି ! ଏକଥା ଆମେ କହୁନୁ ନିକଟରେ ଚାରି ଜଣ ପର୍ଯ୍ୟଟକ ସମୁଦ୍ରରେ ବୁଡି ପ୍ରାଣ ହରାଇଛନ୍ତି । ଏଥିପାଇଁ ଦାୟୀ କିଏ ? ପର୍ଯ୍ୟଟକଙ୍କୁ ସଚେତନା କରାଯାଉନି ନା ପର୍ଯ୍ୟାପ୍ତ ଲାଇଫ ଗାର୍ଡ ନାହାନ୍ତି । ଏଭଳି ତମାମ ପ୍ରଶ୍ନ ଏବେ ଉଙ୍କି ମାରିଛି । ଏନେଇ କେବଳ ପୁରୀରେ ନୁହେଁ ରାଜ୍ୟରେ ମଧ୍ୟ ଲୋକଙ୍କ ମଧ୍ୟରେ ଉଦବେଗ ପ୍ରକାଶ ପାଇଛି ।
ଏନେଇ ହୋଟେଲିୟର ଶ୍ରୀମନ୍ତ ଦାଶ କହିଛନ୍ତି,‘‘ପୁରୀ ବେଳାଭୂମିରେ କୌଣସି ସଚେତନତା ସାଇନ ବୋର୍ଡ ନାହିଁ । ପର୍ଯ୍ୟାପ୍ତ ଲାଇଫ ଗାର୍ଡ ନଥିବା କାରଣରୁ ପର୍ଯ୍ୟଟକଙ୍କ ମଧ୍ୟରେ ସଚେତନତାର ଅଭାବ ରହୁଛି । ଯାହା ଫଳରେ ଆନେକ ଧନଜୀବନ ହାନୀ ଘଟୁଛି । ଆଗକୁ ରଥଯାତ୍ରା ଥିବାରୁ ଅନେକ ପର୍ଯ୍ୟଟକଙ୍କ ସମାଗମ ହେବ ପୁରୀ ବେଳାଭୂମିରେ । ତେଣୁ ସେମାନଙ୍କ ସୁରକ୍ଷା ପାଇଁ ତୁରନ୍ତ ଜିଲ୍ଲା ପ୍ରଶାସନ ପଦକ୍ଷେପ ନେଉ’’ ।
ପୁରୀ ସମୁଦ୍ରରେ ସ୍ନାନ ବେଳେ ବୁଡ଼ି ମୃତ୍ୟୁବରଣ କରିଥିବା ସଂଖ୍ୟାକୁ ଦେଖିଲେ ଏହା ବେଶ୍ ଉଦବେଗଜନକ । ଗତ ୨୦୧୩ ମସିହାରୁ ମେ ୫ ୨୦୨୩ ପର୍ଯ୍ୟନ୍ତ ମୋଟ ୪୧ ଜଣ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଛି । ସେହିପରି ସମୁଦ୍ରରେ ବୁଡ଼ି ଯାଉଥିବା ଅବସ୍ଥାରେ ୩ହଜାରରୁ ଊର୍ଦ୍ଧ୍ବ ପର୍ଯ୍ୟଟକଙ୍କୁ ଉଦ୍ଧାର କରାଯାଇଛି । ତେବେ ସମୁଦ୍ରକୂଳରେ କୌଣସି ସୂଚନା ଫଳକ ନଥିବା ଯୋଗୁଁ ଅନେକ ପର୍ଯ୍ୟଟକଙ୍କ ମୃତ୍ୟୁ ହେଉଛି । ସେହିପରି ବିଭିନ୍ନ ସମୟରେ ସମୁଦ୍ରରେ କରେଣ୍ଟ ଅଧିକ ରହୁଥିବାରୁ ପର୍ଯ୍ୟଟକଙ୍କ ମୃତ୍ୟୁ ହେଉଥିବା ମଧ୍ୟ ଜଣାପଡିଛି ।
ବରିଷ୍ଠ ସେବାୟତ ବିନାୟକ ଦାସ ମହାପାତ୍ର କହିଛନ୍ତି, ‘‘ପର୍ଯ୍ୟଟକଙ୍କ ସୁରକ୍ଷାକୁ ପ୍ରଶାସନ ଗୁରୁତର ସହକାରରେ ଗ୍ରହଣ କରୁ । ନିଶା ସେବନ କରି ଗାଧେଇବାକୁ ଆସୁଥିବା ଲୋକଙ୍କ ଉପରେ ତଣ୍ଡ ଲଗାଯାଉ । ଘୋଷଯାତ୍ରା ପୂର୍ବରୁ ପର୍ଯ୍ୟାପ୍ତ ପରିମାଣରେ ଲାଇଫ ଗାର୍ଡ ନିଯୁକ୍ତ କରନ୍ତୁ ସରକାର’’ ।
ସେପଟେ ପୁରୀ ଅଗ୍ନିଶମ ବିଭାଗ ଅଧିକାରୀ ପ୍ରଦୀପ ରାଉତ କହିଛନ୍ତି, ‘‘ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯିବା ସତ୍ତ୍ୱେ କିଛି ଅମାନିଆଙ୍କ ଯୋଗୁଁ ଏଭଳି ଅଘଟଣ ଘଟୁଛି । ଆଗାମୀ ଦିନରେ ପ୍ରଶାସନ ପକ୍ଷରୁ ଅଧିକ ଲାଇଫ ଗାର୍ଡ ମୁତୟନ କରାଯିବା ସହ ସଚେତନତା କାର୍ଯ୍ୟକ୍ରମକୁ ଜୋରଦାର କରାଯିବ । ତେବେ ଲୋକଙ୍କ ସୁରକ୍ଷା ପାଇଁ 13, 14 ଓ 15 ନମ୍ୱର୍ ଜୋନ୍ କୁ ‘ନୋ ବାଥିଂ ଜୋନ୍’ କରାଯାଇଛି ’’ ।
ଇଟିଭି ଭାରତ, ପୁରୀ