ପୁରୀ: ସୋମବାର ମହାମହିମ ରାଷ୍ଟ୍ରପତି ରାମନାଥ କୋବିନ୍ଦ କୋଣାର୍କ ଗସ୍ତରେ ଆସୁଛନ୍ତି । ଏଥିଲାଗି ବ୍ଲାକ ପାଗୋଡାରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଥିବା ଦେଖିବାକୁ ମିଳିଛି ।
କୋଣାର୍କରେ NSGର 3 ଜଣିଆ ଟିମ୍ ପ୍ରଥମେ ସୁରକ୍ଷା ସ୍ଥିତି ଅନୁଧ୍ୟାନ କରିବା ପରେ ପୋଲିସ ଏଡ଼ିଜି ଖୋଦ କୋଣାର୍କ ଆସି ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି । ରାଷ୍ଟ୍ରପତି ସୋମବାର ସକାଳ 10 ଟା 45 ମିନିଟ ମଧ୍ୟରେ କୋଣାର୍କ ହେଲିପ୍ୟାଡ଼ରେ ଆକାଶମାର୍ଗରୁ ବାୟୁସେନାର ସ୍ଵତନ୍ତ୍ର ବିମାନରେ ଅବତରଣ କରିବାର କାର୍ଯ୍ୟକ୍ରମ ରହିଛି । ପରେ କୋଣାର୍କ ସୂର୍ଯ୍ୟ ମନ୍ଦିର ବୁଲି 11 ଟା 20ରେ କୋଣାର୍କ ଇଣ୍ଡିଆନ ଅଏଲ ପକ୍ଷରୁ ନିର୍ମିତ ବ୍ୟାଖାନ କେନ୍ଦ୍ର ପରିଦର୍ଶନ କରି ମଧ୍ୟାହ୍ନ ଭୋଜନ କୋଣାର୍କ ଯାତ୍ରୀନିବାସରେ କରିବାର କାର୍ଯ୍ୟକ୍ରମ ରହିଛି ।
ସେଥିପାଇଁ ରବିବାର ହେଲିପ୍ୟାଡ଼ ଠାରୁ ସୂର୍ଯ୍ୟ ମନ୍ଦିର ଓ ଯାତ୍ରୀନିବାସ ପର୍ଯ୍ୟନ୍ତ କାରକେଡ଼ ରିହରସଲ କରାଯାଇଥିଲା । ପୋଲିସ ଏଡ଼ିଜି, ପୁରୀ ଏସପିଙ୍କ ସହ ନିମାପଡା ଏସଡିପି ଓ ଏବଂ କୋଣାର୍କ ଆଇଆଇସିଙ୍କ ସହ ପୋଲିସ ବିଭାଗର ବହୁ ଅଧିକାରୀମାନେ ଉପସ୍ଥିତ ଥିଲେ । ରାଷ୍ଟ୍ରପତିଙ୍କ ଏହି ଗସ୍ତ ପାଇଁ କୋଣାର୍କରେ 40 ପ୍ଲାଟୁନ ପୋଲିସ ଫୋର୍ସ ସହ 250 ଅଫିସରଙ୍କ ସହ ସମସ୍ତ ସମ୍ବେଦନଶୀଳ ସ୍ଥାନରେ ଏସପି ରାଙ୍କର ଜଣେ ଲେଖାଏଁ ଅଫିସର ରହିବେ ବୋଲି ଏଡ଼ିଜି ସୂଚନା ଦେଇଛନ୍ତି ।
ଅନ୍ୟପକ୍ଷରେ ରାଷ୍ଟ୍ରପତିଙ୍କ ପ୍ରଥମ କୋଣାର୍କ ଗ୍ରସ୍ତ ପାଇଁ IOCLକୁ ରଙ୍ଗୀନ ଅଲୋକମାଳାରେ ସଜାଯାଇଛି । ଏହାସହିତ ଭବ୍ୟ ସ୍ୱାଗତ ପାଇଁ କୋଣାର୍କର ସମସ୍ତ ସ୍ଥାନରେ ରାଷ୍ଟ୍ରପତିଙ୍କ ହୋଡିଂ ଲଗାଯିବା ସହ କୋଣାର୍କକୁ ସଂଯୋଗ କରୁଥିବା ପୁରୀ, କାକଟପୁର ଓ କୋଣାର୍କର ପ୍ରତି ମୁଖ୍ୟ ରାସ୍ତାରେ ପୋଲିସ ପକ୍ଷରୁ କଡା ପ୍ରହରା ଦିଆଯାଉଛି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ