ପୁରୀ: ଦୁଇ ଦିନିଆ ପୁରୀ ଗସ୍ତରେ ଆସିବେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭିକେ ପାଣ୍ଡିଆନ । ଏନେଇ ଜିଲ୍ଲାର ୬ଟି ନିର୍ବାଚନ ମଣ୍ଡଳୀରେ ବ୍ୟାପକ ପ୍ରସ୍ତୁତି କରାଯାଇଛି । ସମସ୍ତ ବର୍ଗର ବ୍ୟକ୍ତି ବିଶେଷ ଓ ଅନୁଷ୍ଠାନକୁ ଭେଟି ବିଭିନ୍ନ ଅଭିଯୋଗର ଶୁଣାଣି କରିବେ ୫ଟି ସଚିବ ।
ଆସନ୍ତା ୧୮ ଓ ୧୯ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ୫ଟି ସଚିବ ଦୁଇ ଦିନିଆ ପୁରୀ ଗସ୍ତରେ ଆସୁଛନ୍ତି । ଏହି ଗସ୍ତ ସମୟରେ ୫ଟି ସଚିବ ଭିକେ ପାଣ୍ଡିଆନ ପୁରୀ ଜିଲ୍ଲାର ୬ଟି ନିର୍ବାଚନ ମଣ୍ଡଳୀ ଗସ୍ତ କରିବାର କାର୍ଯ୍ୟସୂଚୀ ରହିଛି । ବିଭିନ୍ନ ବର୍ଗର ବ୍ୟକ୍ତି ବିଶେଷ ଓ ଅନୁଷ୍ଠାନକୁ ଭେଟି ବିଭିନ୍ନ ଅଭିଯୋଗର ଶୁଣାଣି କରିବେ । ମୁଖ୍ୟତଃ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସହିତ ଲୋକଙ୍କ ମଧ୍ୟରେ ସିଧାସଳଖ ଯୋଗାଯୋଗ ସୂତ୍ର ରଖିବା ପାଇଁ ଏହି ଗସ୍ତ କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ ରହିଛି । ତେବେ ୫ଟି ସଚିବଙ୍କ ବିଭିନ୍ନ ଜିଲ୍ଲା ଗସ୍ତ ଏବଂ ସିଧାସଳଖ ଲୋକଙ୍କ ଅଭିଯୋଗ ଅସୁବିଧା ଶୁଣିବା ଏବଂ ତତ୍କାଳ ସମସ୍ୟାର ସମାଧାନ ଦିଗରେ ପଦକ୍ଷେପ ନେବା ମୁଖ୍ୟମନ୍ତ୍ରୀଙ୍କ ଏହି କାର୍ଯ୍ୟକ୍ରମ ସାରା ରାଜ୍ୟରେ ଏବେ ଚର୍ଚ୍ଚାର ବିଷୟ ହୋଇଛି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସିଧା ଲୋକଙ୍କ ଦୁଆର ମୁହଁରେ ପହଞ୍ଚାଇବା ଏହି ଅଭିନବ ପ୍ରୟାସକୁ ସବୁଆଡେ ଉଚ୍ଚ ପ୍ରଶଂସା କରାଯାଉଛି ।
ତେବେ ସୂଚନା ଅନୁସାରେ, ୧୮ ଓ ୧୯ ତାରିଖରେ ପୁରୀ ଜିଲ୍ଲାର ୬ଟି ନିର୍ବାଚନ ମଣ୍ଡଳୀରେ ଗୋଟିଏ ଗୋଟିଏ ସାଧାରଣ ସଭା ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି । ସେହିପରି ପୁରୀରେ ତିନୋଟି କାର୍ଯ୍ୟକ୍ରମ ସ୍ଥିର ହୋଇଛି । ପୁରୀ ସଦର ନିର୍ବାଚନମଣ୍ଡଳୀର ସମସ୍ୟାକୁ ନେଇ ଏକ ସଭା ଏବଂ ଜନଶୁଣାଣି ଅନୁଷ୍ଠିତ ହେବାକୁ ଥିବାବେଳେ ଛାତ୍ରଛାତ୍ରୀଙ୍କ ସହିତ ଆଲୋଚନା ଏବଂ ବିଭିନ୍ନ ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କ ସହ ଆଲୋଚନା କାର୍ଯ୍ୟକ୍ରମ ରହିଛି । ଏହି ଅବସରରେ ୫ଟି ସଚିବ ଭିକେ ପାଣ୍ଡିଆନଙ୍କୁ ସ୍ବାଗତ କରିବା ସହ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ବିଜୁ ଯୁବ ଜନତା ଦଳ ପକ୍ଷରୁ ମଧ୍ୟ ବ୍ୟାପକ ପ୍ରସ୍ତୁତି ହୋଇଛି ।
ଏହା ମଧ୍ୟ ପଢନ୍ତୁ- ଦୁଇ ଦିନିଆ ପୁରୀ ଗସ୍ତ ଆସିବେ 5ଟି ସଚିବ, ଜିଲ୍ଲା ପ୍ରଶାସନର ଜୋରଦାର ପ୍ରସ୍ତୁତି
‘‘ବିଶେଷ କରି ଜଣେ ପ୍ରଶାସନିକ ଅଧିକାରୀ ଯେଭଳି ଭାବେ ତୃଣମୂଳ ସ୍ତରକୁ ଯାଇ ଲୋକଙ୍କୁ ସିଧାସଳଖ ଭେଟିବା ସହ ବିଭିନ୍ନ ଅଭିଯୋଗର ଶୁଣାଣି କରିବା, ତତ୍କାଳ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେବା, ମୁଖ୍ୟମନ୍ତ୍ରୀଙ୍କ ଜନକଲ୍ୟାଣକାରୀ ଯୋଜନାକୁ ଲୋକଙ୍କ ଦୁଆର ମୁହଁରେ ପହଞ୍ଚାଇବା । ମୋ ସରକାର ଯୋଜନାକୁ ସଫଳ ରୂପାୟନ କରିବା ପାଇଁ ଯେଭଳି ୫ ଟି ସଚିବ ଦିନରାତି ଲାଗି ପଡ଼ିଛନ୍ତି । ତାହା ଲୋକଙ୍କ ମନକୁ ବେଶ୍ ଛୁଇଁଥିବା’’ ବିଜୁ ଯୁବ ଜନତା ଦଳର ଉପସଭାପତି ଶୁଭାଶିଷ ଖୁଣ୍ଟିଆ କହିଛନ୍ତି ।
ଇଟିଭି ଭାରତ, ପୁରୀ