ପୁରୀ: ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗି ହେଉଥିବା ଗୀତ ଗୋବିନ୍ଦ ଖଣ୍ଡୁଆ ପାଟକୁ ଜଣେ ମଡେଲ ପରିଧାନ କରିବାକୁ ନେଇ ସେବାୟତ ଓ ଜଗନ୍ନାଥ ପ୍ରେମୀ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗି ହେଉଥିବା ବସ୍ତ୍ରକୁ ମଣିଷ ପରିଧାନ କରିବା ଅନୁଚିତ । ଏହାକୁ ଘରେ ପୂଜାସ୍ଥଳୀରେ ରଖିହେବ । କିନ୍ତୁ ପରିଧାନ କରିବା ଠିକ୍ ନୁହେଁ । ସୋସିଆଲ ମିଡିଆରେ ଜ୍ୟୋତି ରଞ୍ଜନ ନାୟକ ନାମକ ଜଣେ ଅଭିନେତା ଗୀତ ଗୋବିନ୍ଦ ଖଣ୍ଡୁଆ ପାଟ ପିନ୍ଧି ଫଟୋଗ୍ରାଫି କରିବା ଓ ଭିଡିଓ ଉତ୍ତୋଳନ କରିବା ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଛି । ଯଦିଓ ଏହାକୁ ନେଇ ସମ୍ପୃକ୍ତ ଅଭିନେତା ଜଣକ ପୁଣି ଏକ ଭିଡିଓ ମାଧ୍ୟମରେ କ୍ଷମା ପ୍ରାର୍ଥନା କରିଛନ୍ତି, ତେବେ ଏହାକୁ କଡ଼ା ସମାଲୋଚନା କରିଛନ୍ତି ଶ୍ରୀମନ୍ଦିର ସେବାୟତ ଓ ଜଗନ୍ନାଥ ପ୍ରେମୀ ।
![ମହାପ୍ରଭୁ ଙ୍କ ଶ୍ରୀ ଅଙ୍ଗ ରେ ଲାଗି ହେଉଥିବା ଗୀତ ଗୋବିନ୍ଦ](https://etvbharatimages.akamaized.net/etvbharat/prod-images/12-08-2023/od-pur-03-khanduacontroversy-byte-7205521_12082023162342_1208f_1691837622_655.jpg)
ଓଡ଼ିଆ ଅଭିନେତା ଜ୍ୟୋତି ରଞ୍ଜନ ନାୟକ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗି ହେଉଥିବା ଗୀତ ଗୋବିନ୍ଦ ଖଣ୍ଡୁଆ ପାଟ ପରିଧାନ କରି ସୋସିଆଲ ମିଡିଆରେ ଭିଡିଓ ଏବଂ ଫଟୋ ପୋଷ୍ଟ କରିବା ସେବାୟତ ଓ ଜଗନ୍ନାଥ ପ୍ରେମୀଙ୍କୁ ବେଶ୍ ଆଘାତ ଦେଇଛି । ଅନେକ ବ୍ୟକ୍ତି ଗୀତ ଗୋବିନ୍ଦ ଖଣ୍ଡୁଆ ପାଟକୁ କିଭଳି ରଖାଯାଏ ତାହା ଜାଣନ୍ତି ନାହିଁ । ଏଣୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏନେଇ ଭକ୍ତଙ୍କୁ ସଚେତନ କରାଯିବା ଉଚିତ୍ ବୋଲି ସେବାୟତ ମହଲରେ ଦାବି ହୋଇଛି । ଏନେଇ ଶ୍ରୀମନ୍ଦିର ସେବାୟତ ରାଜାରାମ ଖୁଣ୍ଟିଆ କହିଛନ୍ତି, "ଗୀତ ଗୋବିନ୍ଦ ଖଣ୍ଡୁଆ ପାଟ ମହାପ୍ରଭୁଙ୍କ ଏକ ସ୍ଵତନ୍ତ୍ର ବସ୍ତ୍ର । ଏହା କେବଳ ମହାପ୍ରଭୁଙ୍କ ପାଇଁ ଉଦ୍ଦିଷ୍ଟ । ମହାପ୍ରଭୁଙ୍କ ବିଭିନ୍ନ ନୀତିକାନ୍ତିରେ ଏହାର ବ୍ୟବହାର ହୋଇଥାଏ । ବିଶେଷ କରି ମହାପ୍ରଭୁଙ୍କ ବଡ଼ସିଂହାର ବେଶରେ ଏହି ଗୀତ ଗୋବିନ୍ଦ ଖଣ୍ଡୁଆ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗି ହୋଇଥାଏ । ଯାହାକି ଅନେକ ବ୍ୟକ୍ତିଙ୍କୁ ଜଣାନାହିଁ । ଏଣୁ ଅନେକ ବ୍ୟକ୍ତି ଏହାର ବ୍ୟବହାର ଠିକ୍ ଭାବରେ ଜାଣିନାହାନ୍ତି । ଏନେଇ ବ୍ୟାପକ ଭାବେ ସଚେତନ କରାଯିବା ଉଚିତ୍ ।"
![ମହାପ୍ରଭୁ ଙ୍କ ଶ୍ରୀ ଅଙ୍ଗ ରେ ଲାଗି ହେଉଥିବା ଗୀତ ଗୋବିନ୍ଦ](https://etvbharatimages.akamaized.net/etvbharat/prod-images/12-08-2023/od-pur-03-khanduacontroversy-avob-7205521_12082023155451_1208f_1691835891_951.jpg)
ଏହା ମଧ୍ୟ ପଢ଼ନ୍ତୁ...Commando Web Series: ଜଗା ଦର୍ଶନ ପରେ ଭାବବିହ୍ଵଳ ଅଭିନେତା ପ୍ରେମ, କହିଲେ ଓଡ଼ିଆ ପୁଅର ପୂରଣ ହେଲା ସ୍ୱପ୍ନ
ତେବେ ଗୀତ ଗୋବିନ୍ଦ ଖଣ୍ଡୁଆ ବିଭିନ୍ନ ସେବାୟତଙ୍କ ଶାଢୀ ବନ୍ଧା ନୀତିରେ ମଧ୍ୟ ବ୍ୟବହାର ହେଇଥାଏ । ସେହିପରି ମହାପ୍ରଭୁଙ୍କ ଦାରୁ ଅନ୍ବେଷଣ ବେଳେ ଯେଉଁ ବନଜାଗ ଯାତ୍ରା ହେଇଥାଏ, ତିନି ବାଡ଼ଗ୍ରାହି ଏହାକୁ ମୁଣ୍ଡରେ ଧାରଣ କରିଥାନ୍ତି । ଏହାକୁ ମଧ୍ୟ ବିଭିନ୍ନ ଦେବାଦେବୀଙ୍କ ପରିଧାନ ପାଇଁ ବ୍ୟବହାର ହେଇଥାଏ । ଏଣୁ ଗୀତ ଗୋବିନ୍ଦ ଭଳି ଏକ ପବିତ୍ର ବସ୍ତ୍ର, ଯାହାକି କେବଳ ଦେବତାମାନଙ୍କ ପାଇଁ ଉଦ୍ଦିଷ୍ଟ, ତାହା ଲୋକମାନେ ନିଜ ସଉକ୍ ପାଇଁ ପିନ୍ଧିବା ଠିକ୍ ନୁହେଁ ବୋଲି ଶ୍ରମନ୍ଦିରର ସେବାୟତ ରାଜାରାମ ଖୁଣ୍ଟିଆ କହିଛନ୍ତି । ଶ୍ରୀମନ୍ଦିର ପ୍ରଶାସନ ଏ ଦିଗରେ ଆବଶ୍ୟକ ପଦକ୍ଷେପ ନେବାକୁ ସେ ଦାବି କରିଛନ୍ତି ।
ଇଟିଭି ଭାରତ, ପୁରୀ