ପୁରୀ: ନୀଳାଦ୍ରି ନୀଳାଚଳ ଧାମ, ନିତିପ୍ରତି ଏଠାରେ ଚାଲିଥାଏ ମହାପ୍ରଭୁଙ୍କ ଅବ୍ୟକ୍ତ, ଅପ୍ରକଟ ଲୀଳା । ନୀଳଶୈଳ ନିତ୍ୟ ବୈକୁଣ୍ଠ ରେ ହୁଏ ମାନବୀୟ ଗୁଣାବଳୀର ପରିପ୍ରକାଶ, ଏଠାରେ ମାନବୀୟ ଲୀଳାଖେଳା କରନ୍ତି ମହାପ୍ରଭୁ । ଅପାର ମହିମା, ଅଗଣିତ କଥାବସ୍ତୁ ହିଁ ଜଗନ୍ନାଥ ସଂସ୍କୃତି ପରମ୍ପରାକୁ ରୁଦ୍ଧିମନ୍ତ କରିଥାଏ । ଅନେକ ଅଜଣା, ଅଶୁଣା ତଥ୍ୟ, ତତ୍ତ୍ବର ଗୁପ୍ତ ଗନ୍ତାଘର ଶଙ୍ଖକ୍ଷେତ୍ର । ଏହି ମର୍ତ୍ତ୍ୟ ବୈକୁଣ୍ଠରେ ମହାପ୍ରଭୁଙ୍କ ଦର୍ଶନଲାଭ ମହାପୁଣ୍ୟକର । ଏହି ଅପୂର୍ବ ଶ୍ରୀମନ୍ଦିର, ଶ୍ରୀଧାମକୁ ପ୍ରବେଶ କରି ମହାରାଣୀଙ୍କ ଦାରୁବ୍ରହ୍ମ ଦର୍ଶନ ତଥା ଗହଣ ବିଜେ ଉପରେ ଆମର ସ୍ବତନ୍ତ୍ର ଉପସ୍ଥାପନା ।
ମହାପ୍ରଭୁଙ୍କ ଦର୍ଶନ ପାଇଁ ମହାରଣୀ ଶ୍ରୀମନ୍ଦିରକୁ ବିଜେ କଲେ ତାହାକୁ ଗହଣ ବିଜେ କୁହାଯାଏ । ମହାପ୍ରଭୁଙ୍କ ଦର୍ଶନ ପାଇଁ ମହାରାଣୀ ରାଜପରିବାରର ସଦସ୍ୟଙ୍କ ଗହଣରେ ଯାତ୍ରା କରୁଥିବାରୁ ଶ୍ରୀମନ୍ଦିର ପରମ୍ପରାରେ ଏହି ଯାତ୍ରାକୁ ମହାରାଣୀଙ୍କ ଗହଣ ବିଜେ କୁହାଯାଏ । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଉପାସନା ଆରମ୍ଭ କାଳରୁ ଏହି ନୀତି ପ୍ରଚଳନ ଅଛି । ଶ୍ରୀଜଗନ୍ନାଥ ମନ୍ଦିର ସ୍ବତ୍ତଲିପିରେ ମହାରାଣୀଙ୍କ ଗହଣ ବିଜେ ପରମ୍ପରା ଉଲ୍ଲେଖ ଅଛି । ବିଭିନ୍ନ ବାଦ୍ୟବାଜଣା, ଶଙ୍ଖଧ୍ୱନି ଓ ହୁଳହୁଳି ମଧ୍ୟରେ ପ୍ରଥମେ ଗଜପତି ମହାରାଜା ପଟୁଆରରେ ତାମଜାନରେ ଶ୍ରୀନଅରରୁ ବାହାରିବେ । ତାଙ୍କ ପଛେ ପଛେ ମହାରାଣୀ ନିବୁଜ ସବାରିରେ ବସି ଶ୍ରୀନଅରରୁ ଶ୍ରୀମନ୍ଦିରକୁ ଯାତ୍ରା କରିବେ । ଏହି ସମୟରେ ବଡଦାଣ୍ଡରେ ସମବେତ ଜନତା ମହାରାଣୀକୁ ଦେଖିପାରିବେ ନାହିଁ ।
ମହାରାଣୀ ଶ୍ରୀମନ୍ଦିରକୁ ବିଜେହେଲେ ପ୍ରଥମେ ଶ୍ରୀମନ୍ଦିର ଶୋଧ ହୁଏ । ତତ୍କାଳରେ କୌଣସି ସେବାୟତ, ମୁକ୍ତିମଣ୍ଡପ, ଯାତ୍ରୀ ଓ ସୁରକ୍ଷାବାହିନୀ କେହି ଶ୍ରୀମନ୍ଦିର ଭିତରେ ରହୁନ୍ତି ନାହିଁ । ମହାରାଣୀ ସିଂହଦ୍ବାର ଦେଇ ଶ୍ରୀମନ୍ଦିରକୁ ପ୍ରବେଶ କରିଥାନ୍ତି ଓ ତାଙ୍କ ସାଥିରେ କେବଳ ମୁଦିରଥ ସେବକ ଥାନ୍ତି । ତତ୍ସହିତ ଗଜପତି କିମ୍ବା ରାଜପରିବାରର ସଦସ୍ୟମାନେ ଥାଇପାରନ୍ତି । ଶ୍ରୀମନ୍ଦିର ସିଂହଦ୍ବାର ଅରୁଣସ୍ତମ୍ଭ ପାଖରେ ଗଜପତିଙ୍କ ତାମଜାନ ଓ ମହାରାଣୀଙ୍କ ଗହଣରେ ଯାଉଥିବା ରାଜପରିବାରର ସଦସ୍ୟମାନେ ଅଟକି ଯିବେ । ମହାରାଣୀ ସବାରିରେ ଶ୍ରୀମନ୍ଦିର ବେଢା ଭିତରକୁ ପ୍ରବେଶ କରିବେ । କଳ୍ପବଟ ତଳେ ମହାରାଣୀଙ୍କ ସବାରି ରହିବ । ଏହାପରେ ସମସ୍ତ ନୀତିକାନ୍ତି ଅନୁଷ୍ଠିତ ହୁଏ । ମହାପ୍ରଭୁ ମହାବିଗ୍ରହଙ୍କୁ ଦର୍ଶନ ଓ ଦଣ୍ଡପ୍ରଣାମ କରନ୍ତି ମହାରାଣୀ ।
ଶ୍ରୀମନ୍ଦିରର ପରମ୍ପରା ଅନୁସାରେ ୨୦୦୭ ମସିହା ଏପ୍ରିଲ ୮ ତାରିଖରେ ଶୁଭବେଳାରେ ଗଜପତି ଦିବ୍ୟସିଂହ ଦେବ ମହାରାଣୀଙ୍କର ଗହଣ ବିଜେ ନୀତି ପାଳିତ ହୋଇଥିଲା ।
ପୁରୀରୁ ଶକ୍ତିପ୍ରସାଦ ମିଶ୍ରଙ୍କ ରିପୋର୍ଟ, ଇଟିଭି ଭାରତ