ପୁରୀ: ଆଗାମୀ ସ୍ଥିତକୁ ଦୃଷ୍ଟିରେ ରଖି ସାରା ରାଜ୍ୟରେ ହାଇଆଲର୍ଟ । ସମୁଦ୍ର ପଥରେ ଆନ୍ଧ୍ର ପ୍ରଦେଶରୁ ଆସି କିଛି ବ୍ୟକ୍ତି ଗଞ୍ଜାମ ଜିଲ୍ଲାରେ ପ୍ରବେଶ କରିବା ଘଟଣା ନଜରକୁ ଆସିବା ପରେ ପୁରୀ ଜିଲ୍ଲା ପ୍ରଶାସନ ସତର୍କ ହୋଇଛି । ସମୁଦ୍ର ପଥରେ କେହି ଯେପରି ପୁରୀ ଜିଲ୍ଲାରେ ପ୍ରବେଶ ନ କରନ୍ତି ସେ ନେଇ ସମୁଦ୍ର ଭିତରେ ଓ କୁଳରେ ପୁରୀ ପୋଲିସ ପକ୍ଷରୁ ପାଟ୍ରୋଲିଂ କଡାକଡି କରାଯାଇଛି ।
ପୁରୀ ଜିଲ୍ଲାର ଥିବା 8 ଟି ମେରାଇନ ଥାନା ପକ୍ଷରୁ ସମୁଦ୍ର ଭିତରେ ସ୍ପିଡ଼ ବୋଟ୍, ବାଇନାକୁଲାର ମାଧ୍ୟମରେ ପାଟ୍ରୋଲିଂ ସହ ସମୁଦ୍ର ପଥକୁ କଡା ନଜର ରଖାଯାଇଛି । ସେହିପରି ସମୁଦ୍ର କୁଳବର୍ତ୍ତି ଅଞ୍ଚଳରେ ଥିବା ଥାନା ପକ୍ଷରୁ ମଧ୍ୟ ସମୁଦ୍ର କୂଳରେ 24 ଘଣ୍ଟିଆ ପେଟ୍ରୋଲିଂ କରାଯାଉଛି । ଅନ୍ୟପଟେ ସମୁଦ୍ର ଭିତରକୁ ଯାଇଥିବା ମତ୍ସଜୀବୀଙ୍କୁ ମଧ୍ୟ ସତର୍କ କରାଯାଇଛି । ଗଭୀର ସମୁଦ୍ରକୁ ଏପ୍ରିଲ 14ରୁ ଜୁନ 14, ଦୁଇ ମାସ ମାଛ ମାରିବା କଟକଣା ରହିଛି । ଏଣୁ ମତ୍ସଜୀବୀ ସମୁଦ୍ର କୂଳରୁ ଅଳ୍ପ ଦୂରରେ ମାଛ ମାରି ପାରିବେ ।
ନିୟମ ଉଲଘଂନ ହେଲ ଡ଼ଙ୍ଗା ଜବତ ସହ କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି କୁହାଯାଇଛି । ସେହିପରି ମତ୍ସଜୀବୀ ମନେ ସମୁଦ୍ର ଭିତରେ ଅଜଣା ଲୋକଙ୍କୁ ଦେଖିଲେ ତୁରନ୍ତ ପୋଲିସକୁ ଖବର ଦେବାକୁ କୁହାଯାଇଛି । ସମୁଦ୍ର ପଥରେ ଅନ୍ୟ ସ୍ଥାନରୁ ଲୋକ ପ୍ରବେଶ କଲେ କୋରୋନା ବ୍ୟାପିବା ଆଶାଙ୍କା ଥିବାରୁ ପୁରୀ ଜିଲାପାଳଙ୍କ ପକ୍ଷରୁ ଏହି ନିର୍ଦେଶ ଦିଆଯାଇଛି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ