ପୁରୀ/ରାୟଗଡା: ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର ଦୁଇଟି ଫାଇଲ ହଜାଇ ଦେଇଛି ରାଜ୍ୟ ଆଇନ ବିଭାଗ । ରାଜ୍ୟ ସରକାରଙ୍କ ଆଇନ ବିଭାଗ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର ଦୁଇଟି ଫାଇଲ ହଜାଇ ଦେଇଛି। ବହୁ ଖୋଜାଖୋଜି ପରେ ମଧ୍ୟ ଆଇନ ବିଭାଗ ଏହି ଫାଇଲ ପାଇପାରୁ ନାହିଁ। ଫଳରେ ଏହି ଦୁଇଟି ଫାଇଲକୁ ଖୋଜି ବାହାର କରିବା ପାଇଁ ଚିଠି ଲେଖିଛନ୍ତି ଆଇନ ବିଭାଗର ଉପସଚିବ ଅଂଶୁମାନ ମହାନ୍ତି ।
ଘଟଣାକୁ ନେଇ ଏବେ ରାଜ୍ୟ ରାଜନୀତି ସରଗରମ । ଘଟଣାକୁ ନେଇ ରାଜ୍ୟ ସରକାରଙ୍କ ବିରୋଧରେ ବର୍ଷିବା ଆରମ୍ଭ କରିଛନ୍ତି ବିରୋଧୀ । ବରିଷ୍ଠ ରାଜନେତ ବିଜୟ ମହାପାତ୍ର କହିଛନ୍ତି ଶ୍ରୀମନ୍ଦିର ଫାଇଲ ହଜିନାହିଁ । ଫାଇଲ ଲୁଚାଇବାକୁ ଚେଷ୍ଟା କରାଯାଉଛି । ଯଦି ଫାଇଲ ହଜିଛି ଥାନାରେ ଆଇନ ବିଭାଗ ଏତଲା ଦେଉ । କିଛି ଲୁଚାଇବାକୁ ଚାହୁଁଛନ୍ତି ସରକାର । ବୋଧହୁଏ ଫାଇଲ ହଜି ଯିବାର ପନ୍ଥା ଆପଣାଇଛନ୍ତି ।
ଏହାବି ପଢନ୍ତୁ- ଶ୍ରୀମନ୍ଦିର ଫାଇଲ ହଜିନାହିଁ, ଫାଇଲ ଲୁଚାଇବାକୁ ଚେଷ୍ଟା କରାଯାଉଛି: ବିଜୟ ମହାପାତ୍ର
ସେହିପରି ରାୟଗଡା ଗସ୍ତରେ ଥିବା ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ମହାପାତ୍ର କହିଛନ୍ତି ଶ୍ରୀମନ୍ଦିରର ଚିଠି ଖଣ୍ଡିଏ ମଧ୍ୟ ଗୁରୁତ୍ବ ବହନ କରୁଛି । ଏଭଳି କ୍ଷେତ୍ରରେ ଫାଇଲ ଉଭାନ ହୋଇଯିବା ସହଜରେ ଗ୍ରହଣ କରି ହେଉନାହିଁ । ଏହା ପଛରେ ଷଡଯନ୍ତ୍ର ରହିଛନ୍ତି । କେବଳ ସେତିକି ନୁହଁ ଗତ ଦିନରେ ରତ୍ନଭଣ୍ଡାର ଚାବି ହଜିବା ଠାରୁ ଆରମ୍ଭ କରି ଏଭଳି ଅନେକ ବିଭ୍ରାଟର ନଜିର ରହିଛି । ସରକାର ସବୁ ଜାଣି ଶୁଣି କରୁଥିବା ଜଣାପଡୁଛି ବୋଲି ସେ କହିଛନ୍ତି ।
ସେପଟେ ସେବାୟତଙ୍କ ଠାରୁ ଆରମ୍ଭ କରି ବୁଦ୍ଧିଜୀବୀ ମହଲରେ ଶ୍ରୀମନ୍ଦିର ସଂକ୍ରାନ୍ତୀୟ ଫାଇଲ ଗାୟବ ଘଟଣାକୁ ନେଇ ତୀବ୍ର ଅସନ୍ତୋଷ ବଢିବାରେ ଲାଗିଛି । ଫାଇଲ ଗାୟବ ଘଟଣାରେ ଆଇନ ବିଭାଗର ଅବହେଳା ଓ ଦାୟୀତ୍ୱ ହୀନତା ସମ୍ପୂର୍ଣ୍ଣ ଦାୟୀ ବୋଲି କହିଛନ୍ତି ବରିଷ୍ଠ ସେବାୟତଓ ଆଇନଜୀବି । ଫାଇଲ ହଜିବା ଘଟଣାରେ ସିଂହଦ୍ୱାର ଥାନାରେ ଏତାଲା ଦେଇଛି ଜଗନ୍ନାଥ ସେନା । ଏହା ଏକ ସରକାରୀ ଷଡ଼ଯନ୍ତ୍ର ବୋଲି ସେନା ଅଭିଯୋଗ କରିଛି । ଏତାଲାରେ ସେନା ୭ଟି ଦିଗକୁ ଉଲ୍ଲେଖ କରିଛି । ହାଇକୋର୍ଟରେ ମାମଲାକୁ ଏଡାଇବା ପାଇଁ ଏହା ସୁଚିନ୍ତିତ ଚାଲ ନୁହେଁ ତ ବୋଲି ପ୍ରଶ୍ନ କରିଛି ସେନା । ଫାଇଲ ହଜିବାକୁ ନେଇ ଆଇନ ବିଭାଗର ଚିଠି ବାହାରେ ପ୍ରଘଟ ହେବା ରହସ୍ୟକୁ ନେଇ ସେନା ଆଙ୍ଗୁଳି ଉଠାଇଛି । ରତ୍ନଭଣ୍ଡାର ଚାବି ହଜିବା ଘଟଣା ଓ ଫାଇଲ ହଜିବା ଘଟଣାକୁ ତଦନ୍ତ ପରିସରଭୁକ୍ତ କରିବା ପାଇଁ ସେନା ଏତାଲାରେ ଉଲ୍ଲେଖ କରିବା ସହ ସିବିଆଇ ତଦନ୍ତ ଦାବି କରିଛି ।
ଅନ୍ୟପଟେ ପୁରା ଘଟଣାର ଜବାବ ରଖିଛନ୍ତି ଆଇନମନ୍ତ୍ରୀ ଜଗନ୍ନାଥ ସାରକା । ମନ୍ତ୍ରୀ କହିଛନ୍ତି ଭୁଲ କେଉଁଠି ରହିଲା ତାହାର ତର୍ଜମା ଚାଲିଛି । ଆଗାମୀ ଦିନରେ ସୁଧାର ପାଇଁ ପଦକ୍ଷେପ ନିଆଯିବ ।
ଇଟିଭି ଭାରତ, ପୁରୀ/ରାୟଗଡ