ପୁରୀ: ଆଜି ପବିତ୍ର ଜଳକ୍ରୀଡା ଏକାଦଶୀ । ଏହି ଅବସରରେ ଶ୍ରୀମନ୍ଦିରରେ ଅନୁଷ୍ଠିତ ହୋଇଛି ସ୍ବତନ୍ତ୍ର ନୀତିକାନ୍ତି । ଶ୍ରୀମନ୍ଦିରରେ ଭିତର ଚନ୍ଦନ ଯାତ୍ରା ଅନ୍ତର୍ଗତ ଆଜି ମହାପ୍ରଭୁଙ୍କ ପ୍ରଥମ ଜଳକ୍ରୀଡା ନୀତି ଜଳକ୍ରୀଡା ମଣ୍ଡପରେ ଅନୁଷ୍ଠିତ ହୋଇଛି । ଆଜି ମହାପ୍ରଭୁଙ୍କ ମଧ୍ୟାହ୍ନ ଧୂପ ବଢି ସାରିବା ପରେ ଶ୍ରୀ ମଦନମୋହନ ଏବଂ ଶ୍ରୀଦେବୀ ରତ୍ନସିଂହାସନକୁ ବିଜେ କରିଥାନ୍ତି ଏବଂ ଏହା ପରେ ଯାତଭୋଗ ଅନୁଷ୍ଠିତ ହୋଇଥାଏ ।
ତତ୍ପରେ ପୂଜାପଣ୍ତା ସେବକ ଶ୍ରୀଦେବୀ ଏବଂ ମଦନମୋହନଙ୍କୁ ଆଜ୍ଞାମାଳ ପ୍ରଦାନ କରିବା ପରେ ମହାଜନ ସେବକ ମଦନମୋହନ ଏବଂ ଶ୍ରୀ ଦେବୀଙ୍କୁ ମୁକ୍ତିମଣ୍ଡପ ତଳେ ଥିବା ପାଲିଙ୍କିରେ ବିଜେ କରାଇଥାନ୍ତି ଏବଂ ବିମାନବଡୁ ସେବକ ପାଲିଙ୍କିକୁ ଜଳକ୍ରୀଡା ମଣ୍ଡପ ନିକଟକୁ ନେଇଥାନ୍ତି । ସେହି କୁଣ୍ତରେ ସୁବାସିତ ପୁଷ୍ପ, ଚନ୍ଦନ ଆଦି ମିଶ୍ରିତ ହୋଇଥାଏ । ମହାଜନ ସେବକ ଉକ୍ତ କୁଣ୍ତରେ ଦିଅଁଙ୍କୁ ବିଜେ କରାଇଥାଆନ୍ତି ।
କୁଣ୍ତରେ ମଦନମୋହନ ଏବଂ ଶ୍ରୀଦେବୀ ସମ୍ମୁଖୀକରଣ ଭଙ୍ଗୀରେ ପରସ୍ପର ମୁହଁ କରି ବିଜେ ହୋଇଥାନ୍ତି । ଏହାପରେ ମୁଦିରସ୍ତ ପ୍ରସାଦଲାଗି ଏବଂ ଚନ୍ଦନ ପାଣି ପିଚକାରୀ ନୀତି କରିଥାନ୍ତି । ଜଳକୁଣ୍ଡ ମଧ୍ୟରେ ଥିବା ସମୟରେ ପୂଜାପଣ୍ତାଙ୍କ ଦ୍ୱାରା ପଞ୍ଚଉପଚାରରେ ଶୀତଳଭୋଗ କରାଇଥାଆନ୍ତି ଓ ପରେ ବନ୍ଦାପନା ମଧ୍ୟ କରିଥାନ୍ତି । ଜଳକୁଣ୍ତରୁ ମଦନମୋହନ ଏବଂ ଶ୍ରୀଦେବୀଙ୍କୁ ବାହାର କରି ଶ୍ରୀଅଙ୍ଗ ପୋଛି ହୋଇ ଫୁଲମାଳ ଲଗେଇ ବେଶ ହୋଇଥାନ୍ତି ଏବଂ ବାହୁଡା ବିଜେ କରିବାର ପରମ୍ପରା ରହିଛି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ