ପୁରୀ: ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କ କ୍ଷୋଭ । ପୁରୀ ଗୋବର୍ଦ୍ଧନ ମଠର ପିଠାଧୀଶ ଶଙ୍କରାଚାର୍ଯ୍ୟଙ୍କୁ ଶ୍ରୀମନ୍ଦିର ପ୍ରଶାସନ ନାଗାର୍ଜୁନ ବେଶ ନେଇ ନିମନ୍ତ୍ରଣ କରିନଥିଲା । ଏଣୁ ଜଗତଗୁରୁ ମହାପ୍ରଭୁଙ୍କ ନାଗାର୍ଜୁନ ବେଶ ଦର୍ଶନରୁ ବଞ୍ଚିତ ହୋଇଥିଲେ । ଏନେଇ ପୁରୀ ଶଙ୍କରାଚାର୍ଯ୍ୟ କ୍ଷୋଭ ପ୍ରକାଶ କରିଛନ୍ତି ।
ଅନ୍ୟପଟେ ଜ୍ୟୋତିଷଶାସ୍ତ୍ର ଗଣନା ଓ ନୂଆପାଞ୍ଜି ବାହାରିବା ପରେ ଆଗାମୀ ବର୍ଷ ନାଗାର୍ଜୁନ ବେଶ ହେବ କି ନାହିଁ ତାହା ସ୍ପଷ୍ଟ ହେବ । ତେବେ ସୁପ୍ରିମକୋର୍ଟ ଦେଇଥିବା ନିର୍ଦ୍ଦେଶ ଅନୁସାରେ ଶ୍ରୀମନ୍ଦିରର ସର୍ବୋଚ୍ଚ ହେଉଛନ୍ତି ଧର୍ମଗୁରୁ ଶଙ୍କରାଚାର୍ଯ୍ୟ । ହେଲେ ଶ୍ରୀମନ୍ଦିର ବନ୍ଦ କିମ୍ବା ଖୋଲିବା ପ୍ରସଙ୍ଗରେ ତାଙ୍କ ସହ ଆଲୋଚନା କରାଯାଇ ନାହିଁ ।
ସେପଟେ ଶଙ୍କରାନନ୍ଦ ମଠ ଦୀର୍ଘବର୍ଷ ହେବ ଅବହେଳିତ ଅବସ୍ଥାରେ ରହିଛି । ଏହାର ପୁନରୁଦ୍ଧାର ପାଇଁ ଯୋଜନବଦ୍ଧ ପ୍ରକଳ୍ପ ହେବା ଆବଶ୍ୟକ । ଗୋବର୍ଦ୍ଧନ ମଠ ଦେବୋତ୍ତର ଆଇନରୁ ଅଲଗା ହୋଇଥିବାରୁ ରାଜ୍ୟ ସରକାରଙ୍କୁ ଜଗତଗୁରୁ ପ୍ରଶଂସା କରିଛନ୍ତି । ମଠର ଅସ୍ତିତ୍ବ ଓ ଆଦର୍ଶ ରକ୍ଷା ପାଇଁ ମିଳିମିଶି ପ୍ରୟାସ କରିବା ଆବଶ୍ୟକ । ଦୀର୍ଘ ସାତ ମାସ ହେବ ସେ ପୁରୀରେ ଥିଲେ ମଧ୍ୟ ଭଙ୍ଗା ଯାଇଥିବା ମଠର ମଠାଧୀଶ ତାଙ୍କ ସହ ଆଲୋଚନା ପାଇଁ ଆସିନଥିବାରୁ ସେ କ୍ଷୋଭ ପ୍ରକାଶ କରିଛନ୍ତି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ