ପୁରୀ ଜିଲ୍ଲାପାଳ ଓ ବ୍ଲୁଫ୍ଲାଗ ବିଚ୍ କର୍ତ୍ତୃପକ୍ଷଙ୍କ ନାଁରେ ଏତଲା - ବ୍ଲୁଫାଗ ବିଚରେ ପର୍ଯ୍ୟଟକ ଭାସିବା ଘଟଣା
ପୁରୀ ବ୍ଲୁଫାଗ ବିଚରେ ବୁଡି ପର୍ଯ୍ୟଟକଙ୍କ ମୃତ୍ୟୁ ମାମଲାରେ ଜିଲ୍ଲାପାଳ ଓ ବିଚ୍ କର୍ତ୍ତୃପକ୍ଷଙ୍କ ନାଁରେ ଏତଲା ରୁଜୁ । ଅଧିକ ପଢନ୍ତୁ..
ପୁରୀ: ବ୍ଲୁଫ୍ଲାଗ ବିଚରେ ଗାଧୋଉଥିବାବେଳେ ଜଣେ ପର୍ଯ୍ୟଟକଙ୍କ ମୃତ୍ୟୁ ନେଇ ପୁରୀ ଜିଲ୍ଲାପାଳ ଓ ବିଚ୍ କର୍ତ୍ତୃପକ୍ଷଙ୍କ ନାଁରେ ଶ୍ରୀଜଗନ୍ନାଥ ସେନା ପୁରୀ ସିବିଚ ଥାନାରେ ଏତଲା ଦେଇଛି ।
ଜିଲ୍ଲାପାଳ ଓ ବ୍ଲୁ ଫ୍ଲାଗ ବିଚ କର୍ତ୍ତୃପକ୍ଷଙ୍କ ଦାୟିତ୍ୱହୀନତା ଯୋଗୁଁ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଥିବା ଏତଲାରେ ଶ୍ରୀଜଗନ୍ନାଥ ସେନା ଦର୍ଶାଇଛି। ତୁରନ୍ତ ରାଜ୍ୟ ସରକାର ମୃତ ପର୍ଯ୍ୟଟକଙ୍କ ପରିବାରକୁ 25 ଲକ୍ଷ ଟଙ୍କା କ୍ଷତିପୂରଣ ଦେବା ସହ ଜିଲ୍ଲାପାଳ, ବ୍ଲୁ ଫ୍ଲାଗ ବିଚ କର୍ତ୍ତୃପକ୍ଷଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛି ସେନା । ସଙ୍ଗଠନ ଅଭିଯୋଗ କରିଛି ଯେ, ବ୍ଲୁ ଫ୍ଲାଗ ବିଚ୍ ସ୍ଥାପନ ନେଇ ଅନେକ ଦିଗ ରହିଛି ।
ବିଶେଷ କରି ସୁରକ୍ଷିତ ସ୍ଥାନରେ ଏହି ବିଚ କରାଯାଏ । କିନ୍ତୁ ଉପଯୁକ୍ତ ସ୍ଥାନ ଚୟନ କରା ନ ଯାଇ ପୁରୀରେ ବ୍ଲୁ ଫ୍ଲାଗ ବିଚ କରାଯାଇ ଏହାକୁ ପ୍ରଶାସନ ବ୍ୟବସାୟରେ ଲଗାଇଛି । ପର୍ଯ୍ୟଟକଙ୍କ ସୁରକ୍ଷାକୁ ଗୁରୁତ୍ୱ ଦିଆନଯାଇ କିଭଳି ବ୍ଲୁ ଫ୍ଲାଗ ବିଚ ନାଁ ରେ ବେପାର ହେବ ସେ ନେଇ ବ୍ୟବସ୍ଥା ହୋଇଥିବା ଜଗନ୍ନାଥ ସେନା ଅଭିଯୋଗ କରିଛି ।
ସେହିପରି ଓଡିଶା ଉପକୂଳ ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟକୁ ନେଇ ପୁରୀ ବିଚରେ ସମୁଦ୍ର ସ୍ନାନ ବିପଦ ଜନକ ଥିବାବେଳେ ଏଠାରେ କିଭଳି ବେଆଇନ ଭାବେ ସୁରକ୍ଷିତ ବାଥ ଜୋନ ଘୋଷଣା କରାଯାଇ ବ୍ଲୁ ଫ୍ଲାଗ ବିଚ କରାଗଲା ଜଗନ୍ନାଥ ସେନା ପ୍ରଶ୍ନ କରିଛି । ତେବେ ତୁରନ୍ତ ଜିଲ୍ଲା ପ୍ରଶାସନ ବ୍ଲୁ ଫ୍ଲାଗ ବିଚ ସ୍ଥାପନ ନେଇ ଉପଯୁକ୍ତ ସ୍ଥାନ ତର୍ଜମା ନ ହେବା ଯାଏଁ ପର ବ୍ଲୁ ଫ୍ଲାଗ ବିଚକୁ ବନ୍ଦ ରଖିବା ପାଇଁ ଜଗନ୍ନାଥ ସେନା ଦାବି କରିଛି। ତେବେ ଏହି ଘଟଣାର ସମାଧାନ ନ ହେଲେ ଶ୍ରୀଜଗନ୍ନାଥ ସେନା ଏହି ପ୍ରସଙ୍ଗକୁ ନେଇ ହାଇକୋର୍ଟକୁ ଯିବ ବୋଲି ଚେତାବନୀ ଦେଇଛି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ