ପୁରୀ: ଗିରଳ ଛକ ନିକଟ ସିପସରୁବାଲି ମୌଜାରେ ଶ୍ରୀଜଗନ୍ନାଥ ଅନ୍ତର୍ଜାତୀୟ ବିମାନବନ୍ଦର ନିର୍ମାଣ ପାଇଁ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି । ଅନ୍ତର୍ଜାତୀୟ ମାନର ଗ୍ରୀନ୍ଫିଲ୍ଡ ଏୟାରପୋର୍ଟ ନିର୍ମାଣ ନେଇ ସରକାର ଲକ୍ଷ୍ୟ ରଖିଥିବା ବେଳେ ଅତ୍ୟାଧୁନିକ ଭିତ୍ତିଭୂମି ଉପରେ ବିଶେଷ ଗୁରୁତ୍ବ ଦିଆଯାଉଛି । ରାଜ୍ୟ ସରକାର ଏଥିପାଇଁ ରାସ୍ତାଘାଟ ସଂଯୋଗୀକରଣ ନେଇ ପ୍ରସ୍ତୁତି ଆରମ୍ଭ କରିଛନ୍ତି ।
ତେବେ ଏଥିପାଇଁ ପୂର୍ତ୍ତ ବିଭାଗ ପକ୍ଷରୁ ମଙ୍ଗଳା ନଦୀ ଉପରେ ଏକ ହାଇଲେବଲ୍ ଓଭର ବ୍ରିଜ୍ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି । ମଙ୍ଗଳା ମୁହାଣ ଷ୍ଟ୍ରଲିଂ ରିସର୍ଟଠାରୁ ସାମୁକା ପ୍ରକଳ୍ପକୁ ବାଟ ଫିଟାଉଥିବା ଏହି ବ୍ରିଜ୍ ପାଇଁ ଅବଢ଼ା ଯୋଜନାରେ ୬୯.୪୧ କୋଟି ଟଙ୍କା ଖର୍ଚ୍ଚ କରାଯାଉଛି । ପ୍ରକଳ୍ପର ଟେଣ୍ଡର ପରେ ଆଶୀର୍ବାଦ ଇଞ୍ଜିନିୟରିଂ କନସର୍ଟିଂ ପ୍ରାଇଭେଟ୍ ଲିମିଟେଡ୍ ଏହି ବ୍ରିଜ୍ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଛି । ଏହି ବ୍ରିଜ୍ ନିର୍ମାଣ କାର୍ଯ୍ୟ ଶେଷ ହେବାପରେ ବିମାନବନ୍ଦର ପାଇଁ ବିସ୍ତୃତ ରାସ୍ତା ଖୋଲିବା ସହ ବ୍ରହ୍ମଗିରି, ସାତପଡ଼ା ଓ କୃଷ୍ଣପ୍ରସାଦକୁ ଯାତାୟତ ସୁବିଧା ହୋଇପାରିବ । ତେବେ ପର୍ଯ୍ୟଟକଙ୍କ ଯାତାୟତକୁ ସୁଗମ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ବ୍ରିଜ୍ ନିର୍ମାଣ କରାଯାଉଥିବାରୁ ଏହାକୁ ହୋଟେଲିୟର ଏବଂ ଜନ ପ୍ରତିନିଧି ସ୍ବାଗତ କରିଛନ୍ତି ।
ତେବେ ପ୍ରକଳ୍ପର ରୂପରେଖ ଅନୁଯାୟୀ ମଙ୍ଗଳା ନଦୀ ଉପରେ ଦୁଇଟି ବ୍ରିଜ୍ ନିର୍ମାଣ ହେବ । ଗୋଟିଏ ଯିବା ପାଇଁ ଏବଂ ଅନ୍ୟଟି ଆସିବା ପାଇଁ । ୩ ଲେନ୍ ବିଶିଷ୍ଟ ଦୁଇଟି ବ୍ରିଜ୍ ନିର୍ମାଣ ହେବ । ବ୍ରିଜ୍ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ୪ ମିଟର ଓସାରର ମେଡିଆନ୍ ରହିବ । ୨୨୫ ମିଟର ଲମ୍ବ ଏହି ବ୍ରିଜ୍ ନିର୍ମାଣ ହେଉଥିବାବେଳେ ଏଥିରେ ଫୁଟ୍ପାଥ୍, ରିଟେନିଂ ୱାଲ୍, ବ୍ରିଜର ଆଲୋକୀକରଣ ସହ ପର୍ଯ୍ୟଟକଙ୍କ ଅବସର ବିନୋଦନ ପାଇଁ ଏକ କାଫେଟେରିଆ ବ୍ୟବସ୍ଥା ରହିବ । ସେହିପରି ସ୍ଥାନୀୟ ଲୋକଙ୍କ ଯାତାୟତ ପାଇଁ ବ୍ରିଜ୍ ତଳେ ଏକ ରାସ୍ତା ରହିବ । ସେପଟେ ଶ୍ରୀଜଗନ୍ନାଥ ଅନ୍ତର୍ଜାତୀୟ ବିମାନବନ୍ଦର ପାଇଁ ବିଭିନ୍ନ ଭିତ୍ତିଭୂମି ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ମଙ୍ଗଳା ନଦୀ ଉପରେ ମଧ୍ୟ ଦୁଇଟି ୩ ଲେନ୍ ବିଶିଷ୍ଟ ବ୍ରିଜ୍ କାମ ମଧ୍ୟ ଶୀଘ୍ର ସାରିବାକୁ ଲକ୍ଷ୍ୟ ରଖାଯାଇଥିବା କହିଛନ୍ତି ପୁରୀ ଜିଲ୍ଲାପାଳ ।
ଏହା ମଧ୍ୟ ପଢ଼ନ୍ତୁ...ସହଜ ହେବ ଶ୍ରୀକ୍ଷେତ୍ର ଧାମ ଯାତ୍ରା, ଗ୍ରୀନଫିଲ୍ଡ ଏୟାରପୋର୍ଟ ନିର୍ମାଣ ପାଇଁ ସ୍ଥିତି ଅନୁଧ୍ୟାନ କଲା AAI ଟିମ୍
ସେପଟେ ପୁରୀ ଗିରଳ ନିକଟ ସିପସରୁବାଲି ମୌଜାରେ ଶ୍ରୀଜଗନ୍ନାଥ ଅନ୍ତର୍ଜାତୀୟ ବିମାନବନ୍ଦର ନିର୍ମାଣ ନେଇ ଜନଶୁଣାଣୀ ଶେଷ ହୋଇଥିବା ବେଳେ ପ୍ରଶାସନ ପକ୍ଷରୁ ଜମି ଅଧିଗ୍ରହଣ କାର୍ଯ୍ୟ ଆରମ୍ଭ ହୋଇଛି । ସେହିପରି ବିମାନ ଚଳାଚଳ ମନ୍ତ୍ରଣାଳୟର ଏକ ଉଚ୍ଚସ୍ତରୀୟ ଟିମ୍ ଏହି ପ୍ରସ୍ତାବିତ ବିମାନବନ୍ଦର ଅଞ୍ଚଳ ପରିଦର୍ଶନ କରିବା ସହ ବିଭିନ୍ନ ବୈଷୟିକ ଦିଗକୁ ନେଇ ସର୍ଭେ କାର୍ଯ୍ୟ ମଧ୍ୟ ଶେଷ କରିଛନ୍ତି । ତେବେ ଜମି ଅଧିଗ୍ରହଣ ପ୍ରକ୍ରିୟା ଶେଷ ହେବା ପରେ ଶ୍ରୀଜଗନ୍ନାଥ ବିମାନବନ୍ଦର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ବୋଲି ଆଶା କରାଯାଉଛି ।
ଇଟିଭି ଭାରତ, ପୁରୀ