ପୁରୀ: କୋରୋନା ସଂକ୍ରମଣକୁ ନେଇ ଚାଲିଥିବା ସତର୍କତାମୂଳକ ପଦକ୍ଷେପ ରୂପେ ମାର୍ଚ୍ଚ 20ରୁ ଏପ୍ରିଲ 1 ଯାଏଁ ଶ୍ରୀମନ୍ଦିରରେ ବନ୍ଦ ରହିଛି ଶ୍ରଦ୍ଧାଳୁଙ୍କ ପାଇଁ ଦିଅଁ ଦର୍ଶନ । ଶ୍ରୀଜିଉଙ୍କ ଦର୍ଶନ ବନ୍ଦ ରଖିବାକୁ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଛି । ତେବେ ଶ୍ରୀମନ୍ଦିରରେ ଏଭଳି ଭକ୍ତଙ୍କ ପ୍ରବେଶ ବନ୍ଦ ହେବା ଇତିହାସରେ ପ୍ରଥମ ଘଟଣା ନୁହେଁ । ଅତୀତରେ ମଧ୍ୟ ଏହାର ଅନେକ ନଜିର ରହିଛି । ମହାପ୍ରଭୁଙ୍କୁ ଭକ୍ତ ବର୍ଷ ବର୍ଷ ଧରି ଦର୍ଶନ ପାଇ ପାରି ନଥିଲେ। ଶ୍ରୀମନ୍ଦିରରୁ ମହାପ୍ରଭୁଙ୍କୁ ନିଆଯାଇ ବିଭିନ୍ନ ଜାଗାରେ ଲୁଚାଇ ରଖିଥିଲେ ସେବକମାନେ।
ପୂର୍ବରୁ ବିଭିନ୍ନ ରାଜା ଏବଂ ଯବାନମାନଙ୍କ ଆକ୍ରମଣ ହେତୁ ମହାପ୍ରଭୁଙ୍କୁ ସେବାୟତମାନେ ବିଭିନ୍ନ ଜାଗାରେ ଲୁଚେଇ ରଖିଥିବା ବେଳେ ବର୍ଷ ବର୍ଷ ଧରି ଶ୍ରୀମନ୍ଦିରରେ ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ ପାଇବାରୁ ବଞ୍ଚିତ ହୋଇଥିଲେ। ଚିଲିକା, ପଶ୍ଚିମ ଓଡ଼ିଶାର ସୋନପୁରରେ ମହାପ୍ରଭୁଙ୍କୁ ଲୁଚେଇ ରଖାଯାଇ ଥିବାର ଇତିହାସରୁ ଜଣାପଡେ। ଇତିହାସ ପୃଷ୍ଠାରୁ ଜଣାପଡିଛି କି ଶ୍ରୀମନ୍ଦିର ଉପରେ 18 ଥର ବିଦେଶୀ ଆକ୍ରମଣ ହୋଇଛି। 1197 ମସିହାରୁ 1733 ମସିହା ଭିତରେ ଏହି ଆକ୍ରମଣ ହୋଇଥିଲା। ଏଥିପାଇଁ ଭକ୍ତଙ୍କର ଦର୍ଶନ ବନ୍ଦ ରହିଥିଲା।
ସେହିପରି 1567ରୁ 1575 ପର୍ଯ୍ୟନ୍ତ କଳା ପାହାଡ ଆକ୍ରମଣ ଯୋଗୁଁ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ରହିଥିଲା। ମହାପ୍ରଭୁଙ୍କ ପରମ୍ପରା ମୁତାବକ ଯୋଡା ଆଷାଢ ପଡିବା ବର୍ଷରେ ମହାପ୍ରଭୁଙ୍କର ନବକଳେବର ଅନୁଷ୍ଠିତ ହୋଇଥାଏ। ନବକଳେବର ବେଳେ ମହାପ୍ରଭୁଙ୍କୁ ସାଧାରଣ ଭକ୍ତଙ୍କ ଦର୍ଶନ ବନ୍ଦ ରହିବାର ପରମ୍ପରା ରହିଛି। ସେପଟେ କିନ୍ତୁ କୋରୋନା ସତର୍କତା ଯୋଗୁଁ ସର୍ବସାଧାରଣ ଦର୍ଶନ ପାଇଁ ଶ୍ରୀମନ୍ଦିର ବନ୍ଦ ରହୁଥିବା ଅବଧିରେ ସେବାୟତମାନେ ମହାପ୍ରଭୁଙ୍କର ନୀତିକାନ୍ତି ନିୟମପୂର୍ବକ କରୁଛନ୍ତି ।
ମାର୍ଚ୍ଚ 20ରୁ ଏପ୍ରିଲ 1 ପର୍ଯ୍ୟନ୍ତ ଏହି 14 ଦିନ ପାଇଁ ଶ୍ରୀଜଗନ୍ନାଥ ମନ୍ଦିରକୁ ସର୍ବସାଧାରଣଙ୍କ ଦର୍ଶନ ଓ ପ୍ରବେଶ ବନ୍ଦ କରାଯାଇଛି । ପ୍ରଭୁଙ୍କର ନୀତିକାନ୍ତି ଓ ପରମ୍ପରା ଅନୁଯାୟୀ ସେବାୟତମାନଙ୍କର କାର୍ଯ୍ୟ ଯଥା ରୀତି ଚାଲିବ । କୋରୋନା ଭାଇରସର ସଂକ୍ରମଣ ରୋକିବାକୁ ଓ ସଚେତନତା ସୃଷ୍ଟି କରିବାକୁ ଏଭଳି ପଦକ୍ଷେପ ନିଆଯାଇଛି ବୋଲି ଜିଲ୍ଲା ପ୍ରଶାସନ ବିଜ୍ଞପ୍ତି ଜାରି କରି କହିଛି ।
ଅନ୍ୟପଟେ ଏହି ସମୟ ଅବଧିରେ ପାଳିଆ ସେବାୟତମାନେ ମନ୍ଦିର ଭିତରକୁ ଯାଇ ନୀତି ସମ୍ପାଦନ କରିବେ । ମହାପ୍ରଭୁଙ୍କୁ କେବଳ କୋଠ ଭୋଗ ଦିଆଯିବ । ଯାହା ସକାଳ, ମଧ୍ୟାହ୍ନ ଧୂପ ଓ ସନ୍ଧ୍ୟା ଧୂପରେ ଭୋଗ ହେବ । କୋଠ ଭୋଗ ସୁଆର ରାନ୍ଧିବାକୁ ଥିବା ବେଳେ ମହାପ୍ରସାଦ ବି ବନ୍ଦ ରହିବ । ଭକ୍ତ ଓ ସେବାୟତଙ୍କ ସ୍ବାସ୍ଥ୍ୟର ସୁରକ୍ଷା ଦୃଷ୍ଟିରୁ ଏଭଳି ନିଷ୍ପତ୍ତି ନିଆଯାଇଛି ।
ଶ୍ରଦ୍ଧାଳୁମାନେ ଏହି ନିଷ୍ପତ୍ତିକୁ ସ୍ବାଗତ କରିଥିବା ବେଳେ ଆଗାମୀ ଦିନରେ ପୁରୀ ଆସୁଥିବା ଶ୍ରଦ୍ଧାଳୁଙ୍କ ସୁରକ୍ଷା ପାଇଁ ପୁରୀ ବେଳାଭୂମିକୁ ‘ନୋ ଟୁରିଷ୍ଟ ଜୋନ’ ବୋଲି ଘୋଷଣା କରାଯାଇଛି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ