ପୁରୀ: ଏବେ ବି ହ୍ରାସ ପାଇ ନାହିଁ ପୁରୀ ଜିଲ୍ଲା କଣାସର ବ୍ଲକର ବନ୍ୟାଜଳ । ଉକ୍ତ ବ୍ଲକର 6 ଗୋଟି ଗ୍ରମାପଞ୍ଚାୟତ ଜଳମଗ୍ନ ଥିବା ବେଳେ 30ରୁ ଊର୍ଦ୍ଧ୍ବ ଗାଁରେ ଏବେ ବି ଜଳବନ୍ଦୀ ଅବସ୍ଥାରେ ରହିଛି । ଘରୁ ବାହାରିଲେ ପହଁରିବାକୁ ପଡୁଛି । ରାସ୍ତାରେ ଅଣ୍ଟାଏ ପାଣି ଆଉ ଘରେ ପଶିଲେ ଆଣ୍ଠୁଏ ପାଣି । ତଥାପି ପୂର୍ବ ଅପେକ୍ଷା ଧିରେ ଧିରେ ବନ୍ୟା ପରିସ୍ଥିତି ସୁଧୁରି ଆସିଲାଣି ।
କଣାସ ବ୍ଲକରେ ବିଶେଷକରି ଦୋକନ୍ଦା, ବଡାସ, ଗଡବଳଭଦ୍ରପୁର, ଗୋପିନାଥପୁର, ଗଡବଡପୁଟ ଆଦି ପଞ୍ଚାୟତରେ ଦୟା, ମଲାଗୁଣୀ, ରାଜୁଆ ଓ ମକରା ନଦୀର ବନ୍ୟା ଜଳରେ ପ୍ରଭାବିତ ହୋଇଛି । ଗାଁ ଦାଣ୍ଡ ପାଲଟିଛି କୃତ୍ରିମ ନଦୀ । ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବାକୁ ହେଲେ ଗାଡି ଟାୟାରର ସାହାୟତାରେ ପହଁରି ପହଁରି ଯିବାକୁ ପଡୁଛି ।
ଲୋକେ ଘରେ ରୋଷେଇ କରି ନପାରି ଶୁଖିଲା ଖାଦ୍ୟ ଉପରେ ନିର୍ଭର କରିବାକୁ ବାଧ୍ୟ ହେଉଛନ୍ତି । ଏଭଳି ପରିସ୍ଥିତିକୁ ଦେଖି ସ୍ଥାନୀୟ ତହସିଲଦାର ବିପନ୍ନଙ୍କ ପାଖରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ସେପଟେ ଦୂଷିତ ପାଣି ପିଇ ଅନେକ ଲୋକ ବିଭିନ୍ନ ରୋଗରେ ପୀଡିତ ହେବାର ଆଶଙ୍କା ରହିଛି । ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ପାନୀୟ ଜଳ ସମେତ ରନ୍ଧା ଖାଦ୍ୟ ଯୋଗାଇ ଦେବାର ବ୍ୟବସ୍ଥା କରାଯାଉଛି ।
ଅନ୍ୟପଟେ ବନ୍ୟାସ୍ଥିତିରେ ସୁଧାର ଆସିଛି । ନଦୀ ବନ୍ଦ ସବୁ ସୁଦୃଢ ଅଛି ବୋଲି ତହସିଲଦାର କହିଛନ୍ତି। ତେବେ ବନ୍ୟା ଅବସ୍ଥାକୁ ଦେଖି ପ୍ରଶାସନ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା ବେଳେ ଜରୁରୀ ସାମଗ୍ରୀ ମଧ୍ୟ ମହଜୁଦ ରହିଛି । ଡାକ୍ତରୀ ଟିମ, ଓଡ୍ରାଫ ଟିମ ଲୋକଙ୍କୁ ଚିକିତ୍ସା ସୁବିଧା ସହ ଉଦ୍ଧାର ପାଇଁ ଆଲର୍ଟ ଅଛନ୍ତି ବୋଲି ସ୍ଥାନୀୟ ତହସିଲଦାର କହିଛନ୍ତି । କଣାସ ବ୍ଲକର 6 ଗୋଟି ପଞ୍ଚାୟତ ଏବେ ବି ଜଳମଗ୍ନ ଅଛି । ତେବେ କିଛି ସ୍ଥାନରେ ଜାଗାରେ ଲୋକଙ୍କ ପାଇଁ ରନ୍ଧା ଖାଦ୍ୟ ଯୋଗାଇ ଦେବା ନେଇ ବ୍ୟବସ୍ଥା ହୋଇଥିବା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ