ପୁରୀ : ପୁରୀ ଜିଲ୍ଲାର ନିମାପଡା ଓ ଗୋପରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଭାର୍ଗବୀ ନଦୀର ଶାଖା ଧନୁଆ ନଦୀରେ ମହାନଦୀର ବନ୍ୟାଜଳ ଆସିବା ପରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଫଳରେ ନିମାପଡା, ଗୋପ ଅଞ୍ଚଳର 15ଟି ପଞ୍ଚାୟତ ଜଳବନ୍ଦୀ ହୋଇଯାଇଛି । 30ରୁ ଅଧିକ ଗାଁ ଜଳଘେରରେ ରହିଛି । ଦାଣ୍ଡରେ ଓ ଘରେ ଲହରୀ ଭାଙ୍ଗୁଛି ବନ୍ୟା ଜଳ ।
ନିମାପଡାର ଅଲଣ୍ଡା, ଧନୁଆ, ରେଞ୍ଚ, ଶଗଡା, ବଡମାଛପୁର, ସାଇଁଶଶାସନ ଓ ବଡଶିରିବୁଳ ପଞ୍ଚାୟତର ବିଭିନ୍ନ ଗ୍ରାମରେ ବନ୍ୟା ଜଳ ଚାଲୁଛି । ଫଳରେ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ବିଶେଷକରି ପିପିଲି ନିମାପଡା ରାସ୍ତା ଓ ବଳଙ୍ଗା ନିମାପଡା ରାସ୍ତାରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି । ସେହିପରି ପିପିଲି ନିମାପଡା ରାସ୍ତା ଓ ଧନୁଆ ବ୍ରିଜ ଉପରେ 4 ଫୁଟର ବନ୍ୟା ଜଳ ପ୍ରବାହିତ ହେଉଛି । ସେପଟେ ପ୍ରଶାସନ ପକ୍ଷରୁ ବନ୍ୟା ବିପନ୍ନଙ୍କୁ ଉଦ୍ଧାର ଓ ଥଇଥାନ କାର୍ଯ୍ୟ ଜାରି ରହିଛି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ