ପୁରୀ : ମୌସୁମୀ ବର୍ଷା ପରେ ଆରମ୍ଭ ହେଲାଣି ଚାଷ କାର୍ଯ୍ୟ । ହେଲେ ବ୍ଲକରେ ଆବଶ୍ୟକ ପରିମାଣର ସାର ନଥିବାରୁ ଚାଷ କାର୍ଯ୍ୟରେ ବଧା ସୃଷ୍ଟି ହୋଇଛି । ଫଳରେ କିଛି ଅସାଧୁ ବ୍ୟବସାୟୀ ମଧ୍ୟ ଚାଷୀଙ୍କ ସମସ୍ୟାକୁ ଦେଖି ସାର କଳାବଜାରୀ ଆରମ୍ଭ କରିଦେଲେଣି । ଅସାଧୁ ବ୍ୟବସାୟୀଙ୍କ ଠାରୁ ନିର୍ଦ୍ଧାରିତ ଦର ଠାରୁ ବେଶ ଚଢା ଦରରେ ସାର କିଣିବାକୁ ବାଧ୍ୟ ହେଉଛନ୍ତି ଚାଷୀ । ଏପରି ଅବ୍ୟବସ୍ଥା ଦେଖିବାକୁ ମିଳିଛି ପୁରୀ ଜିଲ୍ଲା ଗୋପ ବ୍ଲକରେ ।
ମୌସୁମୀ ବର୍ଷାର ଲୁଚକାଳି ପରେ ଲଘୁଚାପ ଜନିତ ବର୍ଷା ପରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଚାଷ କାର୍ଯ୍ୟ ମଧ୍ୟ ଆରମ୍ଭ ହେଲାଣି । ହେଲେ ରୁଆକାର୍ଯ୍ୟ ପରେ ୟୁରିଆ ସାରର ଆବଶ୍ୟକତା ରହିଥିବା ବେଳେ ସାରର ଘୋର ଅଭାବ ଦେଖିବାକୁ ମିଳିଛି । ସାର ଯୋଗାଣ ଅଭାବର ଫାଇଦା ନେବାକୁ ଅଣ୍ଟା ଭିଡିଛନ୍ତି କିଛି ଅସାଧୁ ବ୍ୟବସାୟୀ । ୟୁରିଆ ବସ୍ତା 262 ଟଙ୍କାରେ ବିକ୍ରି କରିବାର ନିୟମ ଥିବାବେଳେ ଏହା ଏବେ ବଜାରରେ 3 ଶହ ୫୦ ରୁ 4ଶହ ଟଙ୍କାରେ ବିକ୍ରି ହେଉଛି । ଅନ୍ୟ ଉପାୟ ନପାଇ ଚାଷୀ ମଧ୍ୟ ଚଢାରେ କିଣିବାକୁ ବାଧ୍ୟ ହେଉଛନ୍ତି ।
ସାରର କୃତିମ ଅଭାବ ଓ ଚଢା ଦର ଉପରେ ସରକାର ନିୟନ୍ତ୍ରଣ ଅଭାବର ସାମାଧାନ ସରକାର ଶୀଘ୍ର କରିବା ପାଇଁ ଦାବି କରିଛନ୍ତି ଚାଷୀ । ସେପଟେ ସାରର ଅଭାବ ଅଭିଯୋଗକୁ ଖଣ୍ଡନ କରିବା ସହ ବ୍ଲକର ଆବଶ୍ୟକ ପରିମାଣର ସାର ଥିବା କହିଛନ୍ତି କୃଷି ଅଧିକାରୀ । କଳାବଜାରୀ କରୁଥିବା ଘଟଣା ସାମ୍ନାକୁ ଆସିଲେ ସେମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମଧ୍ୟ ସେ ସୂଚନା ଦେଇଛନ୍ତି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର,ଇଟିଭି ଭାରତ