ପୁରୀ: ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୧୦ ତାରିଖରେ ଦୁଇ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି । ୧୦ ତାରିଖ ମଧ୍ୟାହ୍ନରେ ସେ ପୁରୀରେ ପହଞ୍ଚି ମହାପ୍ରଭୁଙ୍କ ଦର୍ଶନ କରିବେ । ତେବେ ଏ ନେଇ ଜିଲ୍ଲା, ପୋଲିସ ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରାଥମିକ ପ୍ରସ୍ତୁତି ଆରମ୍ଭ ହୋଇଛି । ରାଷ୍ଟ୍ରପତିଙ୍କ ପୁରୀ ଗସ୍ତ ନେଇ ତାଙ୍କ କୌଳିକ ପଣ୍ଡା ମଧ୍ୟ ବେଶ ଉତ୍ସାହିତ ହୋଇପଡ଼ିଛନ୍ତି ।
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୧୦ ତାରିଖରେ ଦୁଇ ଦିନିଆ ଓଡି଼ଶା ଗସ୍ତରେ ଆସି ସକାଳେ ଭୁବନେଶ୍ବର ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଞ୍ଚିବେ । ସେଠାରୁ ପୁରୀ ଆସି ଶ୍ରୀମନ୍ଦିର ସିଂହଦ୍ଵାର ନିକଟରେ ଥିବା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାଶଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ପରେ ଶ୍ରୀମନ୍ଦିର ଯାଇ ରତ୍ନସିଂହାସନସ୍ଥିତ ଚତୁର୍ଦ୍ଧା ବିଗ୍ରହଙ୍କୁ ଦର୍ଶନ ଓ ପୂଜାର୍ଚ୍ଚନା କରିବେ । ପରେ ପୁରୀ ରାଜଭବନକୁ ଯିବେ । ଏହାପରେ ଭୁବନେଶ୍ବର ପ୍ରତ୍ୟାବର୍ତ୍ତନ କରିବାର କାର୍ଯ୍ୟକ୍ରମ ରହିଛି ।
ରାଷ୍ଟ୍ରପତିଙ୍କ ଗସ୍ତ ନେଇ ତାଙ୍କ କୌଳିକ ପଣ୍ଡା ରାଜ ରତନ ମହାପାତ୍ର ମଧ୍ୟ ବେଶ ଉତ୍ସାହିତ ହୋଇପଡ଼ିଛନ୍ତି । ରାଷ୍ଟ୍ରପତି ହେବା ପୂର୍ବରୁ ଦ୍ରୌପଦୀ ମୁର୍ମୁ ବିଧାୟିକା, ମନ୍ତ୍ରୀ ଓ ରାଜ୍ୟପାଳ ଥିବା ସମୟରେ ଅନେକବାର ପୁରୀ ଆସିଛନ୍ତି । ରାଷ୍ଟ୍ରପତି ଭାବେ ନାମାଙ୍କନ ପତ୍ର ଦାଖଲ ଠାରୁ ଆରମ୍ଭ କରି ରାଷ୍ଟ୍ରପତି ନିର୍ବାଚନ ଓ ନିର୍ବାଚନ ଜିତିବା ପରେ ମଧ୍ୟ ତାଙ୍କ ପାଇଁ ପ୍ରାର୍ଥନା ଓ ପୂଜାର୍ଚ୍ଚନା କରିଥିଲେ ତାଙ୍କ କୌଳିକ ପଣ୍ଡା ।
ଏହା ବି ପଢନ୍ତୁ- President To Visit Odisha: ଦୁଇ ଦିନିଆ ଓଡିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ରାଷ୍ଟ୍ରପତିଙ୍କ ପ୍ରୋଟୋକଲ ଅନୁଯାୟୀ କୌଳିକ ପଣ୍ଡାଙ୍କ ସହ ଜିଲ୍ଲା ଓ ଶ୍ରୀମନ୍ଦିର ପ୍ରଶାସନ ଆଲୋଚନା କରିବା ପରେ ତାଙ୍କ ଦର୍ଶନରେ ସବୁ ପ୍ରକାର ସହଯୋଗ କରିବେ ବୋଲି କୌଳିକ ପଣ୍ଡା କହିଛନ୍ତି । ତେବେ ରାଷ୍ଟ୍ରପତି ମୁର୍ମୁ ଯେତେବେଳେ ଶ୍ରୀମନ୍ଦିର ଆସନ୍ତି, ମହାପ୍ରଭୁଙ୍କ ମଙ୍ଗଳ ଆଳତୀ, ଶୟନ ଆଳତୀ, ଧ୍ଵଜା ପରିବର୍ତ୍ତନ ଦେଖିବାକୁ ବେଶ୍ ଭଲ ପାଆନ୍ତି । ତେବେ ପ୍ରଶାସନର ଅନୁମତି ନିଆଯାଇ ରାଷ୍ଟ୍ରପତିଙ୍କୁ ମହାପ୍ରଭୁଙ୍କ ଶ୍ରୀଅଙ୍ଗ ଲାଗି ବସ୍ତ୍ର, ମହାପ୍ରସାଦକୁ ଉପହାର ଭବେ ଦିଆଯିବ ନେଇ ଆଶା ରଖିଥିବା କୌଳିକ ପଣ୍ଡା କହିଛନ୍ତି ।
ସେହିପରି ପରମ୍ପରା ଅନୁଯାୟୀ ପ୍ରଶାସନର ଅନୁମତି ନେଇ ରାଷ୍ଟ୍ରପତି ତାଙ୍କ ଯଜମାନ ହୋଇଥିବାରୁ ତାଙ୍କ ପାଖରେ ଥିବା ଦସ୍ତଖତି ଖାତାରେ ରାଷ୍ଟ୍ରପତି ମୁର୍ମୁଙ୍କ ଦସ୍ତଖତ ନେବା ପାଇଁ ଅନୁରୋଧ କରାଯିବ । ପୂର୍ବରୁ ରାଷ୍ଟ୍ରପତି ମୁର୍ମୁ ଯେତେବେଳେ ଶ୍ରୀମନ୍ଦିର ଆସିଛନ୍ତି ତାଙ୍କ କୌଳିକ ପଣ୍ଡାଙ୍କ ନିକଟରେ ଥିବା ଦସ୍ତଖତି ଖାତାରେ ସେ ନିଜର ଅନୁଭୂତି ଓ ଦସ୍ତଖତ କରିଛନ୍ତି ।
ଇଟିଭି ଭାରତ, ପୁରୀ