ବ୍ରହ୍ମଗିରି: ରାତିସାରା ମୃତଦେହ ନିକଟରେ ଜଗିରହିଲେ ପରିବାର ଲୋକେ । ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚାପମାଣିକ ଗ୍ରାମ ନିକଟ ଏକ ଜଙ୍ଗଲରେ ଯୁବକଙ୍କ ମୃତଦେହ ପଡିବା ପରେ ପୋଲିସ କୌଣସି ପଦକ୍ଷେପ ନ ନେବାରୁ ପରିବାର ଲୋକେ ରାତିସାରା ମୃତଦେହ ନିକଟରେ ଜଗିରହିଥିବା ଜଣାପଡିଛି । ସମ୍ପୃକ୍ତ ଯୁବକ ଜଣକ 3 ଦିନ ହେବ ନିଖୋଜ ଥିବା ଜଣାପଡିଛି ।
ସୂଚନା ଅନୁଯାୟୀ, ପୁରୀ ଜିଲ୍ଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚାପମାଣିକ ଗ୍ରାମର ସତ୍ୟ ପଲାଇ(32) ତିନି ଦିନ ତଳେ କେଉଁଆଡେ ନିଖୋଜ ହୋଇଯାଇଥିବା ନେଇ ଅଭିଯୋଗ ହୋଇଥିଲା । ଅଭିଯୋଗ ପାଇ ପୋଲିସ ନିରବ ଥିବାବେଳେ ଗ୍ରାମ ଲୋକଙ୍କ ସହାୟତାରେ ପରିବାର ଲୋକେ ଖୋଜାଖୋଜି ଜାରି ରଖିଥିଲେ । ଶୁକ୍ରବାର ଗ୍ରାମ ନିକଟ ଜଙ୍ଗଲରେ ସତ୍ୟଙ୍କ ମୃତଦେହ ପଡିଥିବା କିଛି ଗ୍ରାମ ଲୋକ ଦେଖିବାକୁ ପାଇଥିଲେ । ପାରିବାର ଲୋକ ସନ୍ଧ୍ୟା ସମୟରେ ଜଙ୍ଗଲରେ ମୃତଦେହ ପଡିଥିବା ନେଇ ବ୍ରହ୍ମଗିରି ଥାନାରେ ଲିଖିତ ଭାବେ ଜଣାଇଥିଲେ । କିନ୍ତୁ ପୋଲିସ ଏହାକୁ ଅଣଦେଖା କରି ରାତିରେ ମୃତଦେହ ନିକଟକୁ ଯାଇ ନଥିବା ପାରିବାର ଲୋକ ଅଭିଯୋଗ କରିଛନ୍ତି ।
ଏଥିସହ ପରିବାର ଲୋକେ ରାତି ତମାମ ମୃତଦେହ ନିକଟରେ ଜଗି ରହିଥିବା ଜଣାପଡିଛି । ଆଜି(ଶନିବାର) ସକାଳ 9ଟା ରେ ପୋଲିସ ପରିବାର ଲୋକଙ୍କ ଉପସ୍ଥିତିରେ ମୃତଦେହ ଜବତ କରି ପୋଷ୍ଟମଟମ୍ ପାଇ ପୁରୀ ପଠାଇଛି । ତେବେ 6 ମାସ ତଳେ ବିବାହ କରିଥିବା ସତ୍ୟ ତିନିଦିନ ଧରି ଥିଲା କେଉଁଠି । ଜଙ୍ଗଲ ମଧ୍ୟକୁ ମୃତଦେହ ଆସିଲା କେଉଁଠୁ । ଏହା ହତ୍ୟା ନା ଆତ୍ମହତ୍ୟା ସେନେଇ ସଠିକ୍ ତଦନ୍ତ କରିବାକୁ ଦାବି କରାଯାଇଛି ।
ବ୍ରହ୍ମଗିରିରୁ ଦେବାଶିଷ ଦାସ, ଇଟିଭି ଭାରତ