ପୁରୀ: ଗଣେଶ ପୂଜା କାରଣରୁ ଦୁଇ ଦିନର ବିରତି ପରେ ଆଜି ପୁଣି ଶ୍ରୀମନ୍ଦିର ଚତୁଃପାର୍ଶ୍ବ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି । ପ୍ରଶାସନ ପକ୍ଷରୁ ବଡ଼ ଦାଣ୍ଡସ୍ଥିତ ବଡ଼ ଅଖଡା ମଠ ଉଚ୍ଛେଦ କରିବ । ମାତ୍ର ହାକୁ ବିରୋଧ କରିଛି ଅଖିଳ ଭାରତ ସାଧୁ ସମିତି । ଏହା ପ୍ରଶାସନ ପାଇଁ ମୁଣ୍ଡ ବ୍ୟଥାର କାରଣ ହୋଇଥିବାବେଳେ ସରକାର ଶ୍ରୀମନ୍ଦିର ସୁରକ୍ଷା ଆଳ ନାଁରେ ଯେଭଳି ଆଖିବୁଜା ମଠ ଉଚ୍ଛେଦ କରୁଛନ୍ତି ତାକୁ ଦୃଢ଼ ନିନ୍ଦା କରିଛି ସମିତି।
ଯେକୌଣସି ପରିସ୍ଥିତିରେ ବି ସାଧୁମାନେ ଏକାଠି ହୋଇ ମଠକୁ ସୁରକ୍ଷା ଦେବାକୁ କହିଛନ୍ତି । ଅନ୍ୟପଟେ କଂଗ୍ରେସର ବରିଷ୍ଠ ନେତା ସୁର ରାଉତରାୟ କିଛି ଦଳୀୟ କର୍ମୀଙ୍କ ସହ ଆସି ବିଭିନ୍ନ ମଠ ବୁଲି ସ୍ଥିତି ଅନୁଧ୍ୟାନ କରିଛନ୍ତି। ସରକାର ଜବର ଦଖଲ ଉଚ୍ଛେଦକୁ ସେ ସ୍ବାଗତ କରିଥିବା ବେଳେ ମଠ ଉଚ୍ଛେଦକୁ ବିରୋଧ କରିଛନ୍ତି।
ସରକାର ଶ୍ରୀମନ୍ଦିର ସୁରକ୍ଷା ନେଇ ଯେଭଳି ଜଗନ୍ନାଥ ସଂସ୍କୃତିକୁ ବିଲୋପ କରିବାକୁ ବସିଛନ୍ତି ତାକୁ କଂଗ୍ରେସ ଦୃଢ଼ ବିରୋଧ କରୁଥିବା କହିଛନ୍ତି ସୁର ରାଉତରାୟ । ସରକାର ମଠ ଭାଙ୍ଗିବା ନୀତିରୁ ନଓହରିଲେ କଂଗ୍ରେସ ଆଗାମୀ ଦିନରେ ରାଜ ରାସ୍ତାକୁ ଓହ୍ଲାଇବା ବୋଲି ସରକାରଙ୍କୁ ଚେତାଵନୀ ଦେଇଛନ୍ତି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ