ପୁରୀ: ଦୁର୍ବଳ ନଦୀ ବନ୍ଧକୁ ନେଇ ଆତଙ୍କିତ ଅଞ୍ଚଳବାସୀ । ପୁରୀ ଜିଲ୍ଲା କଣାସ ବ୍ଲକରେ ଦୟାନଦୀର ଦୁର୍ବଳ ନଦୀ ବନ୍ଧକୁ ନେଇ ଆତଙ୍କ ଦେଖାଦେଇଛି । ଦୟାନଦୀ ବନ୍ଧର ବାମପାର୍ଶ୍ଵ ବସନ୍ତପୁର ନିକଟରେ ଫାଟିଯାଇଛି । ଫଳରେ ନଦୀ ବନ୍ଧ ଭୁଶୁଡ଼ି ପଡ଼ିବାର ସମ୍ଭାବନା ରହିଛି । ଏହାକୁ ନେଇ କଣାସ ଅଞ୍ଚଳବାସୀ ଆତଙ୍କିତ ହୋଇପଡ଼ିଛନ୍ତି । ଗତ ୪ ମାସ ତଳେ ଏହି ସ୍ଥାନରେ ନଦୀ ଭିତରକୁ ବନ୍ଧ ଫାଟିଯାଇ ଧସି ଯାଇଥିବାବେଳେ ପରିଦର୍ଶନ କରିଥିଲେ ବିଭାଗୀୟ ଅଧିକାରୀ । ଏହାପରେ ଠିକାଦାରଙ୍କୁ ନଦୀବନ୍ଧ ସୁଦୃଢ଼ କରିବାକୁ ନିର୍ଦ୍ଦେଶ ଦେଇଥିଲେ।
ଠିକାଦାର ନିର୍ଦ୍ଦେଶ ପାଇବା ଏହି ସ୍ଥାନକୁ ସୁଦୃଢ଼ କରାଯିବା ନେଇ ମରାମତି କାର୍ଯ୍ୟ ହୋଇଥଲା । ତେବେ ମରାମତିକୁ ମାତ୍ର କିଛି ଦିନ ବିତିନଥିବାବେଳେ ପୁଣି ଥରେ ବନ୍ଧରେ ଫାଟ ସୃଷ୍ଟି ହୋଇଛି । ନଦୀବନ୍ଧ ମଝିରେ ଦୁଇଫାଳ ହୋଇ ଫାଟିଯାଇଥିବାରୁ ଦୟା ଓ ଲୁଣାନଦୀର ମଧ୍ୟବର୍ତ୍ତୀ ଅଞ୍ଚଳର ଲୋକମାନେ ଆତଙ୍କିତ ହୋଇପଡ଼ିଛନ୍ତି । ଗତବର୍ଷ ବନ୍ୟା ସମୟରେ ମକରାନଦୀର କଉଡ଼ିଆପୁର ଓ ରାଜୁଆନଦୀର ହଳଦିଆପଡ଼ା ନିକଟରେ ଘାଇ ହୋଇଥିବାରୁ ବନ୍ୟା ଜଳ ମାଡ଼ିଯାଇ ଅଞ୍ଚଳବାସୀଙ୍କର ବ୍ୟାପକ କ୍ଷୟକ୍ଷତି କରିଥିଲା।
ଏହା ବି ପଢନ୍ତୁ...ବିକାଶର ଅସଲ ଚିତ୍ର: ସାଲେଭଟା ପଞ୍ଚାୟତରେ ନାହିଁ ବ୍ରିଜ, ଯାତାୟତ ପାଇଁ ଭରାନଈ ସାହାଭରସା
ଏହା ବି ପଢନ୍ତୁ...ଅଧା ରାସ୍ତା ନିର୍ମାଣ କରି ଠିକାଧାର ଛୁ, ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଗ୍ରାମବାସୀ
ଏହି ୨ଟି ଘାଇ ସ୍ଥାନ ଖୋର୍ଦ୍ଧା ଜଳ ସେଚନ ବିଭାଗର ହୋଇଥିବାରୁ ବିଭାଗୀୟ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେଉନଥିବା ଅଭିଯୋଗ ହୋଇଛି। ଠିକାଦାରଙ୍କ ମନମାନି ଯୋଗୁ ଅତି ନିମ୍ନ ମାନର କାମ ହୋଇଥିବା ନେଇ ବାରମ୍ବାର ଅଭିଯୋଗ ମଧ୍ୟ ହେଉଛି । ତେବେ ଏହାକୁ ଉପଯୁକ୍ତ ଭାବେ ସୁଦୃଢ଼ କରାନଗଲେ ଆଗାମୀ ଦିନରେ ବିପଦର ଆଶଙ୍କା ରହିଛି । ତେବେ ପୁରୀ ଜିଲ୍ଲାପାଳ ଘଟଣାକୁ ଗୁରୁତର ସହ ନେଇ ନଦୀବନ୍ଧର ତୁରନ୍ତ ମରାମତି ପାଇଁ ନିର୍ଦ୍ଦେଶ ଦେବାକୁ ଦାବି କରିଛନ୍ତି ଅଞ୍ଚଳବାସୀ ।
ଅନେକ ସ୍ଥାନରେ ଏହିଭଳି ନିମ୍ନମାନର କାମ ଯୋଗୁ ଅଞ୍ଚଳବାସୀଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ବର୍ଷା ଦିନେ ନଦୀର ଜଳସ୍ତର ବୃଦ୍ଧି ହେବା ଯୋଗୁ ଦୁର୍ବଳ ନଦୀବନ୍ଧ ଭୁଶୁଡି ପଡିଥାଏ । ଫଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବାର ନଜିର ରହିଛି । ତେଣୁ ପ୍ରଶାସନ ଏ ଦିଗରେ ଦୃଷ୍ଟି ଦେଇ ତୁରନ୍ତ ସମସ୍ୟାର ସମାଧାନ କରିବାର ଆବଶ୍ୟକତା ରହିଥିବା ନେଇ ମତ ପ୍ରକାଶ ପାଇଛି।
ଇଟିଭି ଭାରତ, ପୁରୀ