ପୁରୀ: ପୁରୀ ସମୁଦ୍ରକୂଳ ଥାନା ପୋଲିସକୁ ସଫଳତା । ବଡ଼ ଧରଣର ଡକାୟତି ଯୋଜନା ପଣ୍ଡ କଲା ପୋଲିସ । 6 ଜଣ ଡକାୟତ ଗିରଫ । ଏଥିସହ ମାରଣାସ୍ତ୍ର ଜବତ । ତେବେ ଅଭିଯୁକ୍ତମାନେ ପୁରୀର ମାନସ ବେହେରା, ପି ସୁରେଶ, ମିକି, ନବୀନ ସାହୁ, ପି ଶ୍ରୀନୁ ଏବଂ ଆଶୀର୍ବାଦ ଚମ୍ପତିରାୟ ବୋଲି ଜଣା ପଡିଛି ।
ସୂଚନା ମୁତାବକ, ପୁରୀ ପେଣ୍ଠକଟାରେ ଡଙ୍ଗା ତିଆରି କାରଖାନା ନିକଟ ବେହେରା ସାହିଠାରେ କିଛି ଦୁର୍ବୃତ୍ତ ଏକାଠି ହୋଇ ବଡ଼ଧରଣର ଡକାୟତି କରିବାକୁ ଯୋଜନା କରୁଥିଲେ । ଏନେଇ ଖବର ପାଇ ସମୁଦ୍ରକୂଳ ଥାନା ପୋଲିସ ବେହେରା ସାହିରେ ଚଢ଼ାଉ କରିଥିଲା । ଘଟଣାରେ 6ଜଣ ଦୁର୍ବୁତ୍ତଙ୍କୁ ଗିରଫ କରିବା ସହ ସେମାନଙ୍କଠାରୁ ଗୋଟିଏ ଖଣ୍ଡା, ଲଙ୍କା ଗୁଣ୍ଡ ଏବଂ ବିଭିନ୍ନ ମରଣାସ୍ତ୍ର ଜବତ କରିଛି ସମୁଦ୍ରକୂଳ ଥାନା ପୋଲିସ ।
ତେବେ ଅପରାଧୀଙ୍କୁ ଧରିବା ପାଇଁ ପୁରୀ ପୋଲିସ ପକ୍ଷରୁ ସ୍ଵତନ୍ତ୍ର ଡ୍ରାଇଭ୍ ଆରମ୍ଭ ହୋଇଛି । ବିଭିନ୍ନ ଥାନା ପକ୍ଷରୁ ସ୍ଵତନ୍ତ୍ର ଟିମ୍ କରାଯାଇ ଖବର ମିଳିବା ମାତ୍ରେ ଚଢ଼ାଉ କରାଯାଇ ଅପରାଧୀଙ୍କୁ ଗିରଫ କରାଯାଉଛି । ସେହିପରି ସନ୍ଧ୍ୟା ପରଠୁ ଯେଉଁଠାରେ ମଦ୍ୟପାନ କରାଯାଉଛି, ନିକାଞ୍ଚନ ସ୍ଥାନରେ ଚଢାଉ ଆରମ୍ଭ ହୋଇଛି । ଏହି ସ୍ଵତନ୍ତ୍ର ଅଭିଯାନରେ ବର୍ତ୍ତମାନ ସୁଦ୍ଧା 77 ଜଣ ଅପରାଧୀଙ୍କୁ ବିଭିନ୍ନ ମାମଲାରେ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି ବୋଲି ଏକ ସାମ୍ବାଦିକ ସମିଳନୀରେ ପୁରୀ ସିଟି ଡିଏସ୍ପି ସୂଚନା ଦେଇଛନ୍ତି l ପୁରୀ ହେଉଛି ଏକ ପର୍ଯ୍ୟଟନସ୍ଥଳୀ। ପ୍ରତିଦିନ ହଜାର ହଜାର ଭକ୍ତ, ପର୍ଯ୍ୟଟକ ପୁରୀ ସହରକୁ ଆସୁଛନ୍ତି। ଏଣୁ ପୁରୀ ସହରବାସୀ ଓ ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ଅପରାଧୀଙ୍କ ବିରୋଧରେ ପୋଲିସ୍ କଠୋର ପଦକ୍ଷେପ ନେବ ବୋଲି ପୁରୀ ସିଟି ଡିଏସ୍ପି ସୂଚନା ଦେଇଛନ୍ତି ।
ଏହା ମଧ୍ୟ ପଢନ୍ତୁ- ଡକାୟତି ଯୋଜନା ପଣ୍ଡ କଲା ବାସେଳୀ ସାହି ପୋଲିସ, ୫ ଗିରଫ
ସେହିପରି ଗତ ସପ୍ତାହରେ ପୁରୀ ମଙ୍ଗଳାଘାଟ ଛକ ନିକଟରେ ଥିବା ଏକ ନିର୍ମାଣଧୀନ କୋଠା ଘରେ କିଛି ଦୁର୍ବୃତ୍ତ ଡକାୟତି ଲାଗି ଯୋଜନା କରୁଥିଲେ । ଏନେଇ ଖବର ପାଇ ବାସେଳୀ ସାହି ଥାନା ପୋଲିସ ଘଟଣାସ୍ଥଳରେ ଚଢ଼ାଉ କରି 5 ଜଣକୁ ଗିରଫ କରିଥିଲା । ଦୁର୍ବୃତ୍ତମାନେ ଏକ ବଡ଼ ଧରଣର ଡକାୟତି କରିବା ଲାଗି ଯୋଜନା କରୁଥିବା ବେଳେ ମାଡ଼ି ବସିଥିଲା ବସେଳି ସାହି ଥାନା ପୋଲିସ । ଅଭିଯୁକ୍ତଙ୍କ ନାମରେ ପୂର୍ବରୁ ପୁରୀର ବିଭିନ୍ନ ଥାନାରେ ଅନେକ ମାମଲା ରହିଛି । ସେହିପରି ଗିରଫ ଅଭିଯୁକ୍ତଙ୍କଠାରୁ ଦୁଇଟି ଖଣ୍ଡା, ଦୁଇଟି ଲୁହା ରଡ୍, ଦୁଇଟି ଟର୍ଚ୍ଚ, ଲଙ୍କା ଗୁଣ୍ଡ ସହ ଦୁଇଟି ବୋମା ଜବତ କରି କୋର୍ଟ ଚାଲାଣ କରିଛି ବାସେଳୀ ସାହି ଥାନା ପୋଲିସ ।
ଇଟିଭି ଭାରତ, ପୁରୀ