ପୁରୀ: ବାସେଳୀ ସାହି ଥାନା ପୋଲିସକୁ ସଫଳତା । ପୁରୀରେ ଏକ ବଡ ଧରଣର ଡକାୟତି ଯୋଜନାକୁ ପଣ୍ଡ କଲା ପୋଲିସ । ୫ଜଣ ଡକାୟତ ଗିରଫ । ଏଥିସହ ମାରଣାସ୍ତ୍ର ଜବତ । ତେବେ ଗିରଫ ଅଭିଯୁକ୍ତଙ୍କ ନାମରେ ପୂର୍ବରୁ ବିଭିନ୍ନ ଥାନାରେ ମାମଲା ରହିଛି ।ଏନେଇ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛି ବାସେଳୀ ସାହି ଥାନା ପୋଲିସ ।
ସୂଚନା ମୁତାବକ, ପୁରୀ ମଙ୍ଗଳା ଘାଟ ଛକ ନିକଟରେ ଥିବା ଏକ ନିର୍ମାଣ ଧୀନ କୋଠା ଘରେ କିଛି ଦୁର୍ବୃତ୍ତ ଡକାୟତି ଲାଗି ଯୋଜନା କରୁଥିଲେ । ଏନେଇ ଖବର ପାଇ ବାସେଳୀ ସାହି ଥାନା ପୋଲିସ ଘଟଣାସ୍ଥଳରେ ଚଢ଼ାଉ କରି 5 ଜଣକୁ ଗିରଫ କରିଛି l ଦୁର୍ବୃତ୍ତ ମାନେ ଏକ ବଡ ଧରଣର ଡକାୟତି କରିବା ଲାଗି ଯୋଜନା କରୁଥିବା ବେଳେ ମାଡ଼ି ବସିଥିଲା ବସେଳି ସାହି ଥାନା ପୋଲିସ l ଅଭିଯୁକ୍ତଙ୍କ ନାମରେ ପୂର୍ବରୁ ପୁରୀର ବିଭିନ୍ନ ଥାନାରେ ଅନେକ ମାମଲା ରହିଥିବା କହିଛି ପୋଲିସ । ଅଭିଯୁକ୍ତ ମାନେ ହେଲେ ପୁରୀ ଗୋଖା ସାହିର ଦିବନ ବେହେରା, ମହାବୀର ବେହେରା, ମନୋଜ କୁମାର ବାରିକ, ସୁବାସ ବେହେରା ଏବଂ ରାକେଶ ବେହେରା । ଗିରଫ ଅଭିଯୁକ୍ତଙ୍କ ଠାରୁ ଦୁଇଟି ଖଣ୍ଡା, ଦୁଇଟି ଲୁହା ରଡ଼, ଦୁଇଟି ଟର୍ଚ୍ଚ, ଲଙ୍କା ଗୁଣ୍ଡ ସହ ଦୁଇଟି ଜୀବନ୍ତ ବୋମା ଜବତ କରି କୋର୍ଟ ଚାଲାଣ କରିଛି ବାସେଳୀ ସାହି ଥାନା ପୋଲିସ ।
ଏହା ମଧ୍ୟ ପଢନ୍ତୁ- ପଣ୍ଡ ହେଲା ଡକାୟତି ଯୋଜନା, 6 ଜଣଙ୍କୁ କାବୁକଲା ବଲାଙ୍ଗୀର ପୋଲିସ
ଏହା ମଧ୍ୟ ପଢନ୍ତୁ- ବଡ ଧରଣର ଡକାୟତି ଯୋଜନା ପଣ୍ଡ କଲା ପୋଲିସ, ୪ ଗିରଫ
ତେବେ ପୁରୀ ସହରରେ ଷ୍ଟ୍ରିଟ କ୍ରାଇମ ରୋକିବା ଲାଗି ପୁରୀ ପୋଲିସ ପକ୍ଷରୁ ଅପରାଧୀଙ୍କ ଉପରେ କଡା ନଜର ରଖାଯାଇଛି ବୋଲି ସାମ୍ବାଦିକ ସମିଳନୀରେ ସୂଚନା ଦେଇଛନ୍ତି ପୁରୀ ସିଟି ଡ଼ିଏସ୍ପି । ସେହିପରି ଗତ କିଛି ଦିନ ହେବ ପୁରୀରେ ଛିନତାଇ ବଢିବାରେ ଲାଗିଛି। ଫଳରେ ପୁରୀ ସହରବାସୀ ଅସୁରକ୍ଷିତ ହୋଇ ପଡିଛନ୍ତି । ଘରୁ ବାହାରକୁ ଯିବା ପାଇଁ ନିରାପଦ ଅନୁଭବ କରୁନାହାନ୍ତି ପୁରୀ ବାସିନ୍ଦା। ତେବେ ବିଭିନ୍ନ ଚୋରି, ଛିନତାଇ ବଢୁଥିବା ବେଳେ ପୋଲିସ ପକ୍ଷରୁ ଏହାର ତଦନ୍ତ କରାଯାଇ ଏହା ପଛରେ ଥିବା ମାଷ୍ଟର ମାଇଣ୍ଡକୁ ଧରିବା ପାଇଁ ପୁରୀ ବାସିନ୍ଦା ଦାବି କରିଛନ୍ତି ।
ଇଟିଭି ଭାରତ, ପୁରୀ