ପୁରୀ: ଆଜିଠୁ କାଳିଆ ଦର୍ଶନ ପାଇଁ ଦରକାର ନାହିଁ କୋଭିଡ ନେଗେଟିଭ ରିପୋର୍ଟ । ସକାଳ 6ଟାରୁ 7ଟା ଯାଏଁ ପୁରୀ ବାସିନ୍ଦା ଧାଡିରେ ନିଜ ନିଜର ପରିଚୟ ପତ୍ର ଦେଖାଇ ମହାପ୍ରଭୁଙ୍କ ଦର୍ଶନ କରିଥିବାବେଳେ 7ଟା ପରେ ଆରମ୍ଭ ହୋଇଛି ସାଧାରଣ ଦର୍ଶନ । ଜିଲ୍ଲା ପ୍ରଶାସନ ପକ୍ଷରୁ ଶୃଙ୍ଖଳିତ ଦର୍ଶନ ନେଇ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକଙ୍କ ପାଇଁ ହୋଇଛି ସ୍ବତନ୍ତ୍ର ବ୍ୟବସ୍ଥା ।
ଥର୍ମାଲ ସ୍କାନିଂ ଏବଂ ସାନିଟାଇଜ୍ କରିବା ପରେ ସମସ୍ତ ଭକ୍ତ ଦର୍ଶନ କରିବା ପାଇଁ ସିଂହଦ୍ବାର ଦେଇ ପ୍ରବେଶ କରୁଛନ୍ତି । ଯେଉଁମାନଙ୍କ ଶରୀର ତାପମାତ୍ରା 100 ଫାରାନାଇଟ ଉପରେ ରହିବ, ସେମାନେ ଦର୍ଶନରୁ ବଞ୍ଚିତ ହେବେ । ଭକ୍ତମାନେ ଦର୍ଶନ ସାରି ଉତ୍ତର ଦ୍ବାର ଦେଇ ପ୍ରସ୍ଥାନ କରିବେ । ସେହିଭଳି ସାମାଜିକ ଦୂରତା ବଜାୟ ରଖିବା ନେଇ ସମସ୍ତ ପଦକ୍ଷେପ ନିଆଯାଇଛି । ସୁରକ୍ଷା ବ୍ୟବସ୍ଥା ନେଇ ଶ୍ରୀମନ୍ଦିର ବାହାରେ ଓ ଭିତରେ 26 ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି ।
ପୂର୍ବଭଳି ଏବେ ମଧ୍ୟ ଆନନ୍ଦ ବଜାରରେ ମହାପ୍ରସାଦ ସେବନ ଉପରେ କଟକଣା ଲାଗୁ ରହିଛି । ହେଲେ ଭକ୍ତଗଣ ଆନନ୍ଦବଜାରରୁ ମହାପ୍ରସାଦ କିଣି ଶ୍ରୀମନ୍ଦିର ବାହାରେ ଗ୍ରହଣ କରିପାରିବେ । ପୁରୀ ଏସପି, ଜିଲ୍ଲାପାଳ ଓ ଶ୍ରୀମନ୍ଦିର ପ୍ରଶାସନ ଦର୍ଶନ ବ୍ୟବସ୍ଥାର ସମୀକ୍ଷା କରିଥିବାବେଳେ ପ୍ରତି ରବିବାର ସାଧାରଣ ଦର୍ଶନ ବନ୍ଦ ରଖାଯାଇ ମନ୍ଦିର ସାନିଟାଇଜ କରାଯିବ ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ