ପୁରୀ: ‘ଫନି’ କ୍ଷତିଗ୍ରସ୍ତଙ୍କୁ ଆବାସ ବଣ୍ଟନରେ ମହାଦୁର୍ନୀତି ଅଭିଯୋଗ । କ୍ଷତିଗ୍ରସ୍ତଙ୍କୁ ବଦଳରେ ବଡବଡିଆଙ୍କୁ ହୋଇଛି ଆବାସ ବଣ୍ଟନ । ଜାଲିଆତି କରି ଲୋକେ ହାତେଇଛନ୍ତି ଆବାସ । ସରକାରୀ ଅଧିକାରୀ ବି ଏଥିରୁ ବାଦ୍ ଯାଇ ନାହାଁନ୍ତି । କୋଠାବାଡି ଥାଇ ବି ପାଇଛନ୍ତି ଆବାସ । ଏହି କଥା ଆମେ କହୁନୁ, ଏହା ଅଭିଯୋଗ କରିଛନ୍ତି ପୁରୀ ଜିଲ୍ଲା ଅମୁଣିଆ ପାଟଣା ବାସିନ୍ଦା ।
କାକଟପୁର ବ୍ଲକର ଲତାହରଣ ପଞ୍ଚାୟତର ସରପଞ୍ଚ ମମତା ନାୟକ ନାଁ ଅଛି ଆବାସ ଯୋଜନାର ହିତାଧିକାରୀ ତାଲିକାରେ । ମମତାଙ୍କ ଶାଶୁ କେଶଲତା ନାୟକ ବି ପାଇବେ ଆବାସ ଯୋଜନାରେ ଆଉ ଏକ ଘର । ୩୧୫ ନମ୍ବର ତାଲିକାରେ ଥିବା ଯୋଗେଶ୍ବର ତ୍ରିପାଠୀ ଜଣେ ଶିକ୍ଷକ । ତାଙ୍କ ନାଁ ବି ଅଛି ଏହି ତାଲିକାରେ ।
ଖାଲି ଏମାନେ ନୁହଁନ୍ତି ପଞ୍ଚାୟତର ବହୁ ବଡବଡିଆ ନାମ ଅଛି ଆବାସ ବଣ୍ଟନ ପାଇଁ ସରକାର ପ୍ରସ୍ତୁତ କରିଥିବା ତାଲିକାରେ । ସରକାର ଏନେଇ ତାଲିକା ପ୍ରକାଶ କରିବା ପରେ ପଦାକୁ ଆସିଛି ସତ । ପ୍ରକୃତ ହିତାଧିକାରୀ ଘର ଖଣ୍ଡେ ପାଇ ନଥିବା ବେଳେ ନେତା ଓ ସରକାରୀ ବାବୁଙ୍କ ନାମରେ ଆବାସ ବଣ୍ଟନ ହେବାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ତୁରନ୍ତ ଏହି ଦୁର୍ନୀତିର ତଦନ୍ତ ପାଇଁ ସେମାନେ ଦାବି କରିଛନ୍ତି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ