ପୁରୀ: ପୌର ନିର୍ବାଚନକୁ ନେଇ ପୁରୀ ଜିଲ୍ଲା ନିମାପଡା NACରେ ପ୍ରଚାର ଜୋର ଧରିଛି । ପୌର ନିର୍ବାଚନ ଯେତିକି ପାଖଉଛି ବିଜେଡିର ଡୋର ଟୁ ଡୋର କ୍ୟାମ୍ପେନ ସେତିକି ଜୋରଦାର ହେଉଛି । ଏଥର ପୁରୀ ଜିଲ୍ଲା ନିମାପଡା NAC ପୌର ନିର୍ବାଚନକୁ ନେଇ ଶାସକ ବିଜେଡି ଓ ବିରୋଧୀ ଦଳ ବିଜେପି ମଧ୍ୟରେ ସିଧାସଳଖ ଟକ୍କର ହେଉଛି ।
ଦୁଇ ଦଳର ପ୍ରାର୍ଥୀ, ପ୍ରମୁଖ ନେତା ଏବେ ୱାର୍ଡ ୱାର୍ଡ ବୁଲି ଭୋଟରଙ୍କ ପାଖକୁ ଯାଇ ଭୋଟ ଭିକ୍ଷା କରୁଛନ୍ତି। ବିଶେଷ କରି ବିଜେପି ଏଥର ଶାସକ ବିଜେଡି ଦୀର୍ଘ ଦିନ ହେବ ନିମାପଡା NACକୁ ଅବହେଳା କରିବା ପ୍ରସଙ୍ଗକୁ ନେଇ ନିର୍ବାଚନ ଲଢ଼ୁଛି। ସେହିପରି ବିଭିନ୍ନ ଯୋଜନାରେ ଶାସକ ଦଳର ନେତାଙ୍କ ବ୍ୟାପକ ଦୁର୍ନୀତି, ଗରିବ ଲୋକଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପ୍ରଦାନରେ ବ୍ୟାପକ ଅନିୟମିତତା, ନିମାପଡା ଏନଏସିର ଡ୍ରେନେଜ ଅବ୍ୟବସ୍ଥା ଆଦି ପ୍ରସଙ୍ଗକୁ ମୁଦ୍ଦା କରି ବିଜେପି ମୈଦାନରେ ପ୍ରଚାର ଆରମ୍ଭ କରିଛି ।
ନିମାପଡା ଏନଏସିକୁ ଏକ ବିକାଶଧାରାରେ ଆଗେଇ ନେବାକୁ ଭୋଟରଙ୍କୁ ବିଜେପି ପକ୍ଷରୁ ଆହ୍ୱାନ ଦିଆଯାଇଛି । ଦଳର ପ୍ରାର୍ଥୀମାନେ ଘରକୁ ଘର ବୁଲି ଏବେ ପ୍ରଚାର କରୁଛନ୍ତି । ଏଥର ନିମାପଡବାସୀ ବିଜେପିକୁ ସୁଯୋଗ ଦେଇ ନିମାପଡାର ବିକାଶକୁ ଆଗେଇ ନେବେ ବୋଲି ବିଜେପି ପ୍ରାର୍ଥୀ କହିଛନ୍ତି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ