ପୁରୀ: ଜିଲ୍ଳାରେ ବଣିଆସ୍ଥିତ ସ୍ପୋର୍ଟସ କମ୍ପ୍ଲେକ୍ସ ଠାରେ ଆସନ୍ତା ୨୨ରୁ ୨୬ ତାରିଖ ଯାଏଁ ବାସ୍କେଟ ବଲ୍ ଲିଗ୍ ଅନୁଷ୍ଠିତ ହେବ । ପୁରୀ ଜିଲ୍ଲା ପ୍ରଶାସନ ଏବଂ ଓଡ଼ିଶା ବାସ୍କେଟ ବଲ୍ ଆସୋସିଏସନ୍ ପକ୍ଷରୁ ଏହି ପ୍ରତିଯୋଗିତା ଆୟୋଜନ କରାଯିବ । ଏଥିରେ ସମୁଦାୟ ୧୦ ଟି ଟିମ୍ ଭାଗ ନେବାକୁ ଥିବାବେଳେ ପୁରୁଷ ବିଭାଗର ୬ଟି ଓ ମହିଳା ବିଭାଗରେ ୪ଟି ଟିମ୍ ରହିଛନ୍ତି ।
ପ୍ରତିଯୋଗିତାରେ ଭାଗ ନେଉଥିବା ଖେଳାଳିମାନଙ୍କ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ରହଣି, ଗମନାଗମନ ସହ ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥା କରାଯାଇଛି । ହକି ବିଶ୍ବକପ ୨୦୨୩ ଓଡ଼ିଶା ଆୟୋଜନ କରୁଥିବାରୁ ଏହା ସମସ୍ତଙ୍କ ପାଇଁ ଏକ ଗୌରବର କଥା ବୋଲି ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି । ହକି ବିଶ୍ବକପକୁ ସ୍ମରଣୀୟ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ଉଦ୍ୟମ କରାଯାଉଛି। ଜାନୁଆରୀ ୧୩ ରୁ ୨୯ ପର୍ଯ୍ୟନ୍ତ ଭୁବନେଶ୍ବର ଓ ରାଉରକେଲାରେ ବିଶ୍ବକପ ହକି ଅନୁଷ୍ଠିତ ହେବ ।
ହକିକୁ ଅଧିକ ଲୋକାଭିମୁଖୀ ତଥା ପ୍ରଚାର ପ୍ରସାର କରିବା ଲକ୍ଷ୍ୟରେ ବିଶ୍ବକପର ଟ୍ରଫି ସମଗ୍ର ରାଜ୍ୟ ପରିକ୍ରମା କରାଯାଉଛି । ଚଳିତ ମାସ ୨୬ ତାରିଖ ସନ୍ଧ୍ୟାରେ ଏହା ପୁରୀ ଜିଲ୍ଲାରେ ପହଞ୍ଚିବ । ୨୭ ତାରିଖ ସକାଳେ ଭିକ୍ଟୋରିଆ ହୋଟେଲ ସମ୍ମୁଖ ବେଳାଭୂମି, ପରେ ବ୍ଲୁ ଫ୍ଲାଗ ବିଚ ଓ ଶ୍ରୀମନ୍ଦିର ସିଂହଦ୍ଵାରରେ ପ୍ରଭୁଙ୍କ ଆଶୀର୍ବାଦ ପରେ ଟ୍ରଫିର ପ୍ରଦର୍ଶନୀ କରାଯିବ । ଅପରାହ୍ନରେ ଏହି ଟ୍ରଫିକୁ ଶ୍ରୀଜଗନ୍ନାଥ ଷ୍ଟାଡିୟମରେ ଫଟୋ ସୁଟ କରାଯିବ । ବିଶ୍ବକପ ଟ୍ରଫି କୋଣାର୍କ ଇକୋ ରିଟ୍ରିଟ୍ ଓ କୋଣାର୍କ ମନ୍ଦିରରେ ସ୍ବାଗତ, ପ୍ରଦର୍ଶନ ଓ ଫଟୋ ସୁଟ ପରେ ଜିଲ୍ଲାରୁ ବିଦାୟ ଦିଆଯିବ । ଏନେଇ ପୁରୀ ସର୍କିଟ ହାଉସଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଜିଲ୍ଲାପାଳ ସୂଚନା ଦେଇଛନ୍ତି । ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା କ୍ରୀଡା ଅଧିକାରୀ ଚନ୍ଦନ ସାହୁ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ, ଜିଲ୍ଲା କ୍ରୀଡା ଆସୋସିଏସନର ସମ୍ପାଦକ ରବି ଶଙ୍କର ପ୍ରତିହାରୀ ପ୍ରମୁଖ ଯୋଗ ଦେଇଥିଲେ ।
ଇଟିଭି ଭାରତ, ପୁରୀ