ପୁରୀ: ଆଜିଠାରୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସବୁଠୁ ବଡ଼ ବନକଲାଗି ନୀତି ଆରମ୍ଭ ହେବ । ଶନିବାର ଓ ରବିବାର ଦୁଇଦିନ ଧରି ଏହି ବନକଲାଗି ନୀତି ଅନୁଷ୍ଠିତ ହେବ । ଏଥିପାଇଁ ସ୍ଵତନ୍ତ୍ର ନୀତି ଚୂଡ଼ାନ୍ତ ହୋଇଛି । ଏହାପୂର୍ବରୁ ଗତକାଲି ମହାପ୍ରଭୁଙ୍କ ଘଣାଲାଗି ନୀତି ସମ୍ପନ୍ନ ହୋଇଥିଲା । ଶ୍ରୀମୁଖ ଶୃଙ୍ଗାର ସେବକ ଦତ୍ତ ମହାପାତ୍ରଙ୍କ ଘରୁ ଖଡ଼ି ଅଣସର ଘରେ ପହଞ୍ଚିବା ପରେ ଖଡ଼ି ଲାଗି ନୀତି ଆରମ୍ଭ ହୋଇଥିଲା । ଖଡ଼ି ଲାଗି ପରେ ଦତ୍ତ ମହାପାତ୍ରଙ୍କ ସହ ଦଇତାପତି, ପତିମହାପାତ୍ର ସେବକ ଆଜି ଶ୍ରୀନଅରକୁ ଖଡି ପ୍ରସାଦ ବିଜେ କରିବେ ।
ଗତକାଲି ବଡ଼ଦେଉଳକୁ ଖଡ଼ି ବିଜେ ହେବା ପରେ ଶ୍ରୀମୁଖ ଶୃଙ୍ଗାରର ଶୁଭାରମ୍ଭ ହୋଇଥିଲା । ଦତ୍ତ ପ୍ରବେଶ ନୀତି ସହ ଆଜି ବନକଲାଗି ଆରମ୍ଭ ହେବ । ଶ୍ରୀମୁଖ ଶୃଙ୍ଗାର କରାଯିବ । ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାରର ପ୍ରଥମ ପର୍ଯ୍ୟାୟରେ ଦତ୍ତ ମହାପାତ୍ର ଗତକାଲି ଖଡି ଲେପ ଦେଇଥିଲେ । ଶ୍ରୀମୁଖ ଶୃଙ୍ଗାର ସେବାର ପ୍ରଥମ ପ୍ରଲେପରେ ଶ୍ରୀଜିଉଙ୍କ ଶ୍ରୀଅଙ୍ଗରେ ଲାଗି ହୋଇଥିବା ଖଡି ପ୍ରସାଦକୁ ସେବକମାନେ ଶ୍ରୀନଅରରେ ଗଜପତି ମହାରାଜାଙ୍କୁ ଅର୍ପଣ କରିବେ ।
ଶ୍ରୀଜିଉଙ୍କ ଶ୍ରୀମୁଖ ଶୃଙ୍ଗାରରେ କସ୍ତୁରୀ, କେଶର, ହରତାଳ, ହିଂଗୁଳ ଆଦି ସାମଗ୍ରୀର ମିଶ୍ରଣକୁ ଲାଗି କରାଯିବ । ବନକଲାଗି ଜରିଆରେ ଏହି ନୀତିକୁ ଶେଷ ସ୍ପର୍ଶ ଦିଆଯିବ । ଶନିବାର ଓ ରବିବାର, ଦୁଇଦିନ ଧରି ବନକଲାଗି ନୀତି ଚାଲିବା ପରେ ଜୁନ ୧୯ ତାରିଖରେ ଶ୍ରୀବିଗ୍ରହମାନେ ନବଯୌବନ ପ୍ରାପ୍ତି ହେବା ସହ ଭକ୍ତଙ୍କୁ ନବଯୌବନ ବେଶରେ ଦର୍ଶନ ଦେବେ । ଏହାର ପର ଦିନ ମହାପ୍ରଭୁଙ୍କ ରଥଯାତ୍ରା ଅନୁଷ୍ଠିତ ହେବ । ଏଥିପାଇଁ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ।
ତେବେ ନବ ଯୌବନ ଦର୍ଶନ ପୂର୍ବରୁ ଶ୍ରୀଜିଉଙ୍କ ଯେଉଁ ବନକଲାଗି ହୋଇଥାଏ ତାହା ଦୁଇ ଦିନ ଚାଲିଥାଏ । ଅନ୍ୟ ଦିବସରେ ବନକଲାଗି ପ୍ରାୟ ୪ ଘଣ୍ଟା ହୋଇଥାଏ । ଏଣୁ ନବ ଯୌବନ ଦର୍ଶନ ପୂର୍ବରୁ ଯେଉଁ ଦୁଇ ଦିନ ଧରି ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହୋଇଥାଏ ତାହାକୁ ବଡ ବନକଲାଗି କୁହାଯାଏ ।
ଇଟିଭି ଭାରତ, ପୁରୀ