ପୁରୀ: ଜିରୋ ନାଇଟ୍ ସେଲିବ୍ରେସନ ପାଇଁ ବ୍ୟାପକ ପ୍ରସ୍ତୁତି । ପୁରୀ ସହରରେ ଥିବା ବଡ଼ ବଡ ହୋଟେଲ ଗୁଡ଼ିକରେ ଜିରୋ ନାଇଟ୍ ସେଲିବ୍ରେସନ୍ ପାଇଁ ପ୍ରସ୍ତୁତି ଶେଷ ହୋଇଛି । ବଲିଉଡ, ଓଲିଉଡ଼ କଣ୍ଠ ଶିଳ୍ପୀଙ୍କୁ ନେଇ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ କରାଯିବ। ଷ୍ଟେଜ ଶୋ' ସହ ଡିଜେ ନାଇଟ୍ କାର୍ଯ୍ୟକ୍ରମ ରହିଛି। ଅନଲିମିଟେଡ଼ ଫୁଡ୍ ଓ ମକଟେଲ୍ ପାର୍ଟିର ବ୍ୟବସ୍ଥା ରହିଛି । ବିଭିନ୍ନ ଦେଶୀ ବିଦେଶୀ ଖାଦ୍ୟର ସମ୍ଭାର ରହିଛି। ତେବେ ଜିରୋ ନାଇଟ୍ ସେଲିବ୍ରେସନ ପାଇଁ ହୋଟେଲ ଗୁଡିକ ବହୁଦିନ ପୁର୍ବରୁ ବୁକ୍ ସରିଛି। ପୁରୀରେ ଏବେ ଦେଶ ବିଦେଶରୁ ହଜାର ହଜାର ପର୍ଯ୍ୟଟକ ପହଞ୍ଚି ଗଲେଣି। ସୁଦୀର୍ଘ ବେଳାଭୂମି, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମନ୍ଦିର, କୋଣାର୍କ ଆଦି ପର୍ଯ୍ୟଟକଙ୍କୁ ଆକର୍ଷିତ କରୁଛି ।
ନବବର୍ଷରେ ମହାପ୍ରଭୁଙ୍କ ଦର୍ଶନ କରିବା ପାଇଁ ଶ୍ରୀକ୍ଷେତ୍ରକୁ ଦେଶ ବିଦେଶରୁ ଲକ୍ଷ ଲକ୍ଷ ଭକ୍ତଙ୍କ ଆଗମନ ହେବ । ତେବେ ଭକ୍ତମାନେ କିଭଳି ଶୃଙ୍ଖଳିତ ଭାବେ ନବବର୍ଷରେ ମହାପ୍ରଭୁଙ୍କ ଦର୍ଶନ କରିପାରିବେ ସେଥିପାଇଁ ସଜାଗ ପୁରୀ ପୋଲିସ। କେନ୍ଦ୍ରାଞ୍ଚଳ ଆଇଜି ଆଶିଷ ସିଂ ଏବଂ ପୁରୀ ଏସପି ଡଃ କନୱର ବିଶାଳ ସିଂ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ନେଇ ଶ୍ରୀମନ୍ଦିର ଚତୁପାର୍ଶ୍ବରେ ସମସ୍ତ ସ୍ଥିତି ଅନୁଧ୍ୟାନ କରିଛନ୍ତି। କେଉଁ ଜାଗାରେ କେତେ ପୋଲିସ କର୍ମଚାରୀ ଓ ଅଧିକାରୀ ରହିବେ ସେଥିପାଇଁ ଆଲୋଚନା ସରିଛି । ଭିଡ଼ ନିୟନ୍ତ୍ରଣ କିଭଳି କରିହେବ, ଭକ୍ତଙ୍କ ସୁବିଧା ପାଇଁ ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥା ହୋଇପାରିବ ସେନେଇ ପୋଲିସ ଆଇଜି ଏସପିଙ୍କ ସହ ଶ୍ରୀମନ୍ଦିର ଚାରିପାଖରେ ବୁଲି ସ୍ଥିତି ଅନୁଧ୍ୟାନ କରିଛନ୍ତି।
ଏହା ମଧ୍ୟ ପଢନ୍ତୁ...ନୂଆବର୍ଷରେ ଶ୍ରୀମନ୍ଦିରରେ ବଢିବ ଭିଡ଼, ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ଓ ସୁରକ୍ଷା ପାଇଁ ସଜାଗ ପୋଲିସ
ସୁରକ୍ଷା ଦୃଷ୍ଟିକୋଣରୁ ଶ୍ରୀମନ୍ଦିର ଭିତରେ ୭ଟି ଓ ଶ୍ରୀମନ୍ଦିର ବାହାରେ ୯ଟି ସେକ୍ଟରରେ ବିଭକ୍ତ କରାଯାଇଛି। ବରିଷ୍ଠ ପୋଲିସ ଅଧିକାରୀମାନେ ଏହି ଦାୟିତ୍ଵକୁ ପରିଚାଳନା କରିବେ। ସେହିପରି ପ୍ରବଳ ଭିଡ଼କୁ ଦୃଷ୍ଟିରେ ରଖି ସମୁଦ୍ର କୂଳ ରାସ୍ତା ଏବଂ ବଡ଼ଦାଣ୍ଡର କିଛି ଅଞ୍ଚଳକୁ ଯାନବାହାନ ନିଷିଦ୍ଧାଞ୍ଚଳ ଘୋଷଣା କରାଯିବ। ସ୍ଥାନୀୟ ଲୋକଙ୍କ ଯାତାୟତ ପାଇଁ କଟକଣାକୁ କମ୍ କରାଯିବା ସହ ଆମ୍ବୁଲାନ୍ସ ଯିବାକୁ ସ୍ବତନ୍ତ୍ର କରିଡର ବ୍ୟବସ୍ଥା କରାଯିବ। ୫ଟି ପୋଲିସ କଣ୍ଟ୍ରୋଲ ରୁମ୍ ଦ୍ବାରା ସୁରକ୍ଷା ବ୍ୟବସ୍ଥା ପରିଚାଳନା ସହ ମେଡିକାଲରେ ଚିକିତ୍ସା ସେବା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ରହିବ। ସମୁଦ୍ର କୂଳରେ ସୁରକ୍ଷିତ ସମୁଦ୍ର ସ୍ନାନ ପାଇଁ ଅଗ୍ନିଶମ ବାହିନୀ ପକ୍ଷରୁ ଲାଇଫ୍ ଗାର୍ଡ ମୁତୟନ ସହ ପୋଲିସ ପକ୍ଷରୁ ବିଚରେ ପେଟ୍ରୋଲିଙ୍ଗ କରାଯିବ। ଏଥିସହ ଅପରାଧୀଙ୍କୁ ଦମନ କରିବା ପାଇଁ ଆଣ୍ଟି କ୍ରାଇମ୍ ଡ୍ରାଇଭ୍, ମଦ୍ୟପାନ କରି ଗାଡି ଚଳାଉଥିବା ବ୍ୟକ୍ତିଙ୍କୁ ଧରିବା ପାଇଁ ଡ୍ରିଙ୍କ୍ ଆଣ୍ଡ ଡ୍ରାଇଭ ହେବ । ବିଭିନ୍ନ ସ୍ଥାନରେ ଗାଡ଼ି ଚେକିଙ୍ଗ ସହ ହୋଟେଲ ଗୁଡ଼ିକ ମଧ୍ୟ ସ୍କାନରରେ ରହିବ ବୋଲି ସୂଚନା ଦେଇଛି ପୁରୀ ପୋଲିସ।
ଇଟିଭି ଭାରତ, ପୁରୀ